Unknown

 

 

 

 

 

 

 

 

 

 

 

ସେବକାଳର କଥା

ଶ୍ରୀ ନଗେନ୍ଦ୍ରନାଥ ମହାପାତ୍ର

 

ସୂଚୀପତ୍ର

 

୧.

ନାଗନାଥ

୨.

ସିଂହବିଦ୍ୟାଧର

୩.

କୁଆଳୋ

୪.

ତ୍ରିଭୁବନ ମହାଦେବୀ

୫.

କାପିଳାସ

୬.

ଶ୍ରୀ ସିଦ୍ଧ ରାମଚଣ୍ଡୀ

୭.

ଭୀମନଗରୀ

୮.

ଶ୍ରୀଧରସ୍ୱାମୀ

୯.

ଶ୍ରୀ ସିଦ୍ଧ-ବଳରାମ

୧୦.

ନୃସିଂହ ଭ୍ରମରବର

୧୧.

ଭକ୍ତରାଜା

୧୨.

ମହାରାଜ ବ୍ରଜବିହାରୀ

୧୩.

ଗୋବିନ୍ଦଦୀକ୍ଷିତ

୧୪.

କବି କୃଷ୍ଣଦାସ

୧୫.

ବର୍ଗି ଆଉ ଢେଙ୍କାନାଳର ସବା ଶେଷ ବଡ଼ ଲଢ଼େଇ

୧୬.

କବିବର ବ୍ରଜନାଥ ବଡ଼ଯେନା

୧୭.

ପଣ୍ଡିତ ନୃସିଂହ ମହାପାତ୍ର

୧୮.

ମହାରାଜ ଭଗୀରଥ

୧୯.

ଢେଙ୍କା ଶବର

୨୦.

ନାରୀକବି ସୁଲକ୍ଷଣା

୨୧.

ମହିମା ଗୋସେଇଁ

୨୨.

ରାଜର୍ଷି ସୂରପ୍ରତାପ

Image

 

ଉତ୍ସର୍ଗ

 

ଅଶେଷ ଗୁଣମଣ୍ଡିତ ଆଶ୍ରିତବତ୍ସଳ

ଶ୍ରୀଳ ଶ୍ରୀଯୁକ୍ତ ଢେଙ୍କାନାଳାଧୀଶ୍ୱର ମହୋଦୟ,

ଶ୍ରୀକର-ସରୋଜେଷୁ

ବିନୀତ କୃତାଞ୍ଜଳି ନିବେଦନଂ

 

ଶ୍ରୀମନ୍ମହାରାଜ !

 

ଏ ବହିଖଣ୍ଡି ମୁଁ ପିଲାଙ୍କ ପାଇଁ ଲେଖିଛି । ଯେ ସର୍ବ ଲୋକମହନୀୟ ସିଂହାସନରେ ଶ୍ରୀଛାମୁ ସମାସୀନ, ସେହି ଭାରତବିଶ୍ରୁତ ସିଂହାସନର କେତେକ ଭୂତପୂର୍ବ ଅଧିଷ୍ଠାତୃ-ଲୋକପାଳମାନଙ୍କର ଗୁଣ ଏଥିରେ କଥଞ୍ଚିତ୍ ଶିଶୁବୋଧ୍ୟ ଭାଷାରେ ଲିପିବଦ୍ଧ ହୋଇଅଛି । ମୁଁ ଯେଉଁ ହେତୁ ଏ ବହିଖଣ୍ଡି ଶ୍ରୀଛାମୁଙ୍କ କରକମଳ ମଣ୍ଡନପାଇଁ ଉପଯୁକ୍ତ ବିବେଚନା କରିଛି–ମୋର ମନେହୁଏ, ଶ୍ରୀଛାମୁ ସେ ବିବେଚନାରେ ଦୁଃସାହସିକତାର ଆରୋପ କରିବେ ନାହିଁ ।

 

ବିହାର-ଓଡ଼ିଶା ସରକାରଙ୍କର ପ୍ରତ୍ନତତ୍ତ୍ୱାନ୍ୱେଷଣ କର୍ମ (Research activities)ରେ ଜଳାଞ୍ଜଳି ଦେଇ ମୁଁ ଘରେ ‘ଦାରୁଭୂତୋ ମୁରାରିଃ’ ହୋଇ ବସିଥିବାବେଳେ ଶ୍ରୀଛାମୁ ମୋର ମନରେ ସାହସବଳ ଦେଇ ମୋତେ ପୂର୍ବର କର୍ମମୟ ଜୀବନକୁ ଫେରାଇ ଆଣିବାରେ ଶତସହସ୍ର ଚେଷ୍ଟା କରିଛନ୍ତି–କରୁଛନ୍ତି । ଏ କାର୍ଯ୍ୟରେ ଶ୍ରୀ ଛାମୁଙ୍କର ତୃତୀୟ ସହୋଦର ଶ୍ରୀମାନ୍ ନିନିସାହେବ ବରାବର ସହାୟତା କରି ଆସିଛନ୍ତି । ଜଡ଼ ମୁଁ–ଶ୍ରୀଛାମୁଙ୍କ ବହୁ ମନୋବେଦନାର କାରଣ ହୋଇଅଛି । ଆଜି ଏ ବହିଖଣ୍ଡି ଶ୍ରୀଛାମୁଙ୍କ କଥଞ୍ଚିତ୍ ସନ୍ତୋଷ ଆଣିବ, ଏହାହିଁ ଏ ସମର୍ପଣର ସର୍ବପ୍ରଥମ ଆଉ ମୂଳୀଭୂତ କାରଣ ।

 

ସରକାରୀ କର୍ମରେ ତଥା ଅନ୍ୟାନ୍ୟ ବ୍ୟପଦେଶରେ ମୋର ଲଲାଟଲିପି ମୋତେ ଉତ୍କଳର ତଥା ଭାରତର ଅନେକ ନରପାଳମାନଙ୍କର ସମକ୍ଷକୁ ଟାଣି ନେଇଥିଲା । କେତେକ ପରିଚୟ ପାଇବାର ସୁଯୋଗ ବି ଘଟିଥିଲା । ସମସ୍ତ ବିଦ୍ୟାର ପରିଚୟରେ ଏ ପ୍ରକାର ଆଗ୍ରହ, କେବଳ ଗ୍ରନ୍ଥାଧ୍ୟୟନ ଆଉ ଆଲୋଚନାରେ ଏପରି ଗାଢ଼ ମନୋନିବେଶ ଓ କାଳକ୍ଷେପ ମୁଁ ଅତ୍ୟଳ୍ପ ସ୍ଥାନରେ ପ୍ରତ୍ୟକ୍ଷ କରିଛି । ନିଜ ପ୍ରଜାର ସାମାନ୍ୟ ଗୁଣକଣାକୁ ‘ପର୍ବତୀକୃତ୍ୟ ନିତ୍ୟ’ ଗ୍ରହଣ କରିବା ଏବଂ ସେଥିସକାଶେ ଅଭିମାନ ଅନୁଭବ କରି ଉତ୍‌ଫୁଲ୍ଲ ହେବା ତତୋଽଧିକ ଅଳ୍ପତର । ଏ ବିଷୟରେ ଅନ୍ୟ ବହୁସହସ୍ର ଉଦାହରଣ ଛାଡ଼ିଦେଇ ଯେଉଁଦିନ ମୋତେ A.G.G. Colonel Meek ସାହେବଙ୍କ ସହିତ introduce କରି ଦେଇଥିଲେ ଏବଂ ଅନେକ ଆଲୋଚନା ପରେ ସାହେବ ଯେତେବେଳେ ଅଜସ୍ର ପ୍ରଶଂସା କରିଥିଲେ, ସେଦିନର ସପରିବାର ଶ୍ରୀଛାମୁଙ୍କର ଯେ ପ୍ରସନ୍ନତା ମୁଁ ଅନୁଭବ କରିଛି, ତାହା ଏ ହତଭାଗ୍ୟ ଜୀବନର ସୃତି-ଗନ୍ତାଘରେ ଚିରଦିନ ଦୀପ୍ତ ରହିବ ।

 

ଶ୍ରୀମତୀ ରାଣୀ ରତ୍ନପ୍ରଭାଙ୍କ ଶ୍ରୀଛାମୁରେ ସଂସ୍କୃତ ସାହିତ୍ୟର ଆଲୋଚନା ବେଳେ ଏ ଦିଗରେ ମୁଁ ଯେ ଉତ୍ସାହ ପ୍ରତ୍ୟକ୍ଷ କରିଛି ତାହା ଅତୁଳନୀୟ । ସେହି ଉତ୍ସାହ ମଧ୍ୟ ଶ୍ରୀଛାମୁଙ୍କର । ପିତାମହୀ ଆଉ ଜନନୀ ମୋତେ ପ୍ରଦାନ କରି କୃତକୃତ୍ୟ କରିଛନ୍ତି । ମୋଟ ଉପରେ ମହାବୀର ହରିସିଂହ ବିଦ୍ୟାଧର, ନୃସିଂହ ଭ୍ରମରବର, କୁଞ୍ଜବିହାରୀ ବ୍ରଜବିହାରୀ, ବୀରବର ତ୍ରିଲୋଚନ, ପଣ୍ଡିତମଣ୍ଡନ ଭଗୀରଥଙ୍କର ପ୍ରତିଷ୍ଠିତ ଢେଙ୍କାନାଳ ରାଜବଂଶର ଶିରାପ୍ରଶିରାରେ ଯେ ଭାରତଭାରତୀଙ୍କର ବିଶ୍ୱବିମୋହିନୀ ବୀଣା କ୍ୱଣିତ ହୋଇ ଆସିଅଛି, ବିଦ୍ୟାସାଗର ଉପାଧିପ୍ରାପ୍ତ ଶ୍ରୀଛାମୁଙ୍କର ନୀରବ ବାଣୀ-ସାଧନାରେ ଦିନେ ତାର ପ୍ରତିଧ୍ୱନି ଭାରତଗଗନରେ ଧ୍ୱନିତ ହେବ–ଏପରି ବିଶ୍ୱାସ ମୁଁ ପୋଷଣ କରେ ।

 

ଅକିଞ୍ଚନ ମୁଁ; ମୋର ନିନ୍ଦା ପ୍ରଶଂସାରେ ଶ୍ରୀଛାମୁଙ୍କର କ୍ଷତିଲାଭ କିଛି ନାହିଁ–ଏହା ମୁଁ ମୋର ରଚିତ ‘ରତ୍ନପ୍ରଭାଙ୍କ-ଶ୍ରୀକର ଶ୍ରୀ’ ନାମକ ସଂସ୍କୃତ ଖଣ୍ଡକାବ୍ୟରେ ପ୍ରକାଶ କରି ସାରିଛି । ଯଦ୍ୟପି ଏ ବହିଖଣ୍ଡି ପଢ଼ି ଉତ୍କଳୀୟ ଶିଶୁପ୍ରାଣ ପ୍ରାଚୀନ ଉତ୍କଳୀୟ ନରପତିମାନଙ୍କ ସମ୍ବନ୍ଧରେ ଯତ୍‌କିଞ୍ଚିତ୍ ଶ୍ରଦ୍ଧାଭକ୍ତି ପୋଷଣ କରି ସେମାନଙ୍କର ସୁବିସ୍ତୃତ ଇତିହାସ ସଂଗ୍ରହ ପାଇଁ ସାମାନ୍ୟ ଉଦ୍‌ବେଗ ଅନୁଭବ କରେ ଏବଂ ଶ୍ରୀଛାମୁ ଉପସ୍ଥିତ କ୍ଷୁଦ୍ର ପୁସ୍ତିକାରେ ସେହି ଲକ୍ଷ୍ୟ ପ୍ରତ୍ୟକ୍ଷ କରି ନିଜର ଅଶେଷ ଆୟାସ କେତେକାଂଶରେ ଫଳପ୍ରସୂ ହୋଇଥିବାର ମନେ କରନ୍ତି, ମୁଁ ନିଜକୁ କୃତକୃତ୍ୟ ମନେ କରିବି । ଇତି ଶମ୍ ଶିବମ୍ ।

 

ବାହୁଚ୍ଛାୟାଶ୍ରିତସ୍ୟ

ଶ୍ରୀ ନଗେନ୍ଦ୍ର ଧରଶର୍ମଣଃ

Image

 

ନାଗନାଥ

 

ପିଲାମାନେ ! ତୁମେ ଶୁଣିଥିବ ଆମ ଦେଶର ନାଁ ଭାରତବର୍ଷ । ଏଦେଶରେ କେତେଗୁଡ଼ିଏ ବଡ଼ ବଡ଼ ପବିତ୍ର ସ୍ଥାନ ଅଛି । ସେ ଗୁଡ଼ିକୁ ତୀର୍ଥ ବା ଧାମ ବୋଲି କହନ୍ତି । ଏଗୁଡ଼ିକ ବହୁତ ପୁରୁଣା । ସେ ସବୁ ଶହ ଶହ, ହଜାର ହଜାର ବର୍ଷ ତଳର କଥା । ବଡ଼ ବଡ଼ ସହରମାନଙ୍କରେ ବହୁତ ବଡ଼ ବଡ଼ ଦେଉଳ ତିଆରି ହୋଇଥିଲା । ଚାରିଆଡ଼ୁ ହଜାର ହଜାର ଲୋକ ଆସି ଦେବତାଙ୍କୁ ଦର୍ଶନ କରି କେତେ ମାନସିକ କରି ଯାଉଥିଲେ । ସବୁବେଳେ ଘଣ୍ଟ ମୃଦଙ୍ଗ ଶଙ୍ଖ କାହାଳି ଦେଉଳ ଭିତରେ ବାଜୁଥିଲା । କେତେ ଖଜା ପିଠା ଡାଲି ଅନ୍ନ ଖିରି ଖେଚେଡ଼ି ଦେବତାଙ୍କଠାରେ ଭୋଗ ଲାଗୁଥିଲା । ଦେବତାଙ୍କ ଭୋଗ ପାଣ ହାଡ଼ିଠାରୁ ଆଣି ବ୍ରାହ୍ମଣମାନେ ମଧ୍ୟ ପାଉଥିଲେ । ସେଥିଲାଗି ଦେବତାଙ୍କ ଭୋଗକୁ ନିର୍ମାଲ୍ୟ ବୋଲାଯାଏ । ନିର୍ମାଲ୍ୟ ଅର୍ଥ ଯେଉଁଥିରେ କିଛି ମଇଳା ନାହିଁ–ଯାହା ପାଇଲେ ମଇଳା ବା ପାପ ଛାଡ଼ି ପଳାଏ । କିନ୍ତୁ ବାରଗୋଟି ଧାମ ଛଡ଼ା ଆଉ କେଉଁ ତୀର୍ଥରେ ନିର୍ମାଲ୍ୟ ହଉ ନ ଥିଲା । ଏବ କାଳରେ କେବଳ ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ ନିର୍ମାଲ୍ୟ ହଉଚି । କିନ୍ତୁ ମୁଁ ଯୋଉଁ କାଳର କଥା କହୁଚି, ସେତେବେଳକୁ ପୁରୀ ତୀର୍ଥ କେହି ଜାଣି ନ ଥିଲେ । ତୁମେ କାଶୀ ନାଁ ଶୁଣିଚ । ସେ ସେବକାଳର ଧାମ । କାଶୀ ଛଡ଼ା ଆଉ ଏଗାରଟି ଧାମ ଆମ ଦେଶରେ ଥିଲା ।

 

ପଶ୍ଚିମ ଦେଶରେ ସୋମନାଥ, ହିମାଳୟ ପର୍ବତରେ କେଦାରନାଥ, ମଗଧ ଦେଶରେ ବୈଦ୍ୟନାଥ, ଦକ୍ଷିଣରେ ରାବଣର ଘର ଲଙ୍କା ପାଖରେ ରାମନାଥ ପ୍ରଭୃତି ଧାମକୁ ସେ କାଳର ଚାରିଆଡ଼ୁ ଲୋକ ଆସୁଥିଲେ । ତୁମେ ଜାଣ ଆମ ଓଡ଼ିଶା ଦେଶରେ ସେ କାଳରେ ନାଗନାଥଙ୍କ ଧାମରେ ନିର୍ମାଲ୍ୟ ହେଉଥିଲା । ଏହି ନାଗନାଥ ଆଜିକାଲି ବ୍ରାହ୍ମୀନଦୀ କୂଳରେ ଢେଙ୍କାନାଳର ନାଗନା ଗାଁରେ ଅଛନ୍ତି । ତାଙ୍କ ପାଖରେ ବ୍ରାହ୍ମୀନଦୀ ଉତ୍ତର ଦିଗକୁ ବୋହି ଯାଉଚି । ଆଉ କୋ’ଠେଇ ବ୍ରାହ୍ମୀ ଉତ୍ତରକୁ ଯାଉନାହିଁ । ଏଣୁ ସେ ସ୍ଥାନ ବଡ଼ ପବିତ୍ର । ସେଠାରେ ବ୍ରାହ୍ମୀ ଜଳରେ ବୁଡ଼ିଲେ ମୁକ୍ତି ମିଳେ ବୋଲି ଶାସ୍ତ୍ରରେ ଲେଖାଅଛି । ପୁରାଣମାନଙ୍କରେ ଲେଖାଅଛି, ସେଠାରେ ‘ଦାରୁକା ବନ’ ବୋଲି ଗୋଟିଏ ବଡ଼ ଅରଣ୍ୟ ଥିଲା । ସେହି ଅରଣ୍ୟ ମଝିରେ ଗୋଟିଏ ବଡ଼ ସୁନ୍ଦର ନଗର ବା ଗଡ଼ ଥିଲା । ଏବେ ମଧ୍ୟ ନାଗନାଠାରୁ କୋଶେ ଦୁଇ କୋଶ ଦୂରରେ ଗୋଟିଏ ଗଡ଼ର ଭଙ୍ଗା ପାଚେରୀ, ଜଳି ଘର ଦ୍ୱାରର କାନ୍ଥ ଭାଙ୍ଗି ପଡ଼ିଥିବାର ଦେଖାଯାଏ । ତାହାକୁ ଲୋକେ ନୂଆଗଡ଼ ବୋଲି କହନ୍ତି । ଯେତେବେଳେ ପଠାଣମାନେ ଆଉ ବର୍ଗିମାନେ ଆମ ଦେଶରେ ଭାରି ଉତ୍ପାତ କରୁଥିଲେ ସେତେବେଳେ ବାଟ ଘାଟ ସବୁ ପଡ଼ିଗଲା । ଆଗପରି ଦୂରଦୂରାନ୍ତ ଯାତ୍ରୀ ଆଉ ନାଗନାଥଙ୍କ ଦେଉଳକୁ ଆସିଲେ ନାହିଁ । ପୁରୁଣା ଦେଉଳ ଭାଙ୍ଗି ପଡ଼ିଲା । ତା ଉପରେ ଏବ ଦେଉଳ ତୋଳା ହୋଇଚି ।

 

ସେ ହଜାର ହଜାର ବର୍ଷ ତଳର କଥା । ତେଣୁ ଆଜିକାଲି ନାଗନାଥଙ୍କୁ କେହି ଜାଣୁ ନାହାନ୍ତି । ସେ ଗୋଟିଏ ପଲ୍ଲୀ ଗାଁରେ ପଡ଼ିଛନ୍ତି । ତୁମେ ଦେଖିବ–ତାଙ୍କ ଦେଉଳଟି ଖାଲକୁ ପଶିଗଲାଣି । ପଣ୍ଡିତମାନେ କହନ୍ତି । ହଜାର ବର୍ଷକେ ଭୂଇଁ ଚାରି ପାଞ୍ଚ ହାତ ତଳକୁ ଲହସି ଯାଏ । ଦେଉଳର ଚାରିପଟର ସ୍ଥାନମାନ ଏବେ ଖୋଳିଲେ ବହୁତ ପୁରୁଣା କାଳର ଚିହ୍ନ ମିଳନ୍ତା । କପିଳାସ ପାର୍ବତୀଙ୍କ ପାଖରେ ଯୋଉଁ ପଥର କୁମ୍ଭରେ ପୁରୁଣା ଅକ୍ଷର ଲେଖା ହୋଇଚି, ସେଥିରେ ନାଗନା ନାଁ ଅଛି । ସେବକାଳର ଲୋକେ ଉତ୍କଳରେ ନାଗନାଥ ବୋଲି କହୁଥିଲେ । ତାର ଅର୍ଥ ଆମ ଓଡ଼ିଶା ଦେଶରେ ନାଗନାଥ ଧାମ ସବୁଠୋଉଁ ବଡ଼ । କାଳ କଣ ନ କରେ !!

Image

 

ସିଂହ ବିଦ୍ୟାଧର

 

ପିଲାମାନେ ! ତୁମେ ଜାଣ, ଢେଙ୍କାନାଳ ନଅର ଆଗ କିଏ ତୋଳାଇଥିଲେ ? ସେ ଜଣେ ବଡ଼ ବୀର ପୁରୁଷ–ତାଙ୍କ ନାଁ ହରି ସିଂହ ବିଦ୍ୟାଧର । ସେ ପଶ୍ଚିମ ଦେଶର କ୍ଷେତ୍ରୀ । ତାଙ୍କ ଘର ଜୟପୁର । ସେ ରାମଚନ୍ଦ୍ରଙ୍କ ପୁଅ କୁଶଙ୍କ ବଂଶର ଲୋକ । ଏମାନଙ୍କୁ ସୂର୍ଯ୍ୟବଂଶୀ ବୋଲି କହନ୍ତି । ସେ ପାଞ୍ଚଶ ବର୍ଷ ତଳର କଥା ।

 

ସେତେବେଳେ କୋଦାଲୋକ ବୋଲି ଗୋଟିଏ ଖୁବ ବଡ଼ ରାଜ୍ୟ ଥିଲା । ଏହି କୋଦାଲୋକକୁ ଏବେ କୁଆଳୋ କହୁଚନ୍ତି । ହରିସିଂହ ସେହି ବାଟରେ ଢେଙ୍କାନାଳକୁ ଆସିଥିଲେ । ସେତେବେଳକୁ ପୁରୀରେ ଗଜପତି ମହାରାଜାମାନେ ଥାଆନ୍ତି । ଆମ୍ଭମାନଙ୍କର ସମ୍ରାଟ୍‌ ଷଷ୍ଠ ଜର୍ଜଙ୍କୁ ଆଜିକାଲି ଯେପରି ସବୁ ରାଜାମାନେ ମାନୁଛନ୍ତି, ସେବକାଳରେ ସେହିପରି ସମସ୍ତେ ଗଜପତି ମହାରାଜାଙ୍କୁ ମାନୁଥିଲେ । ସେତେବେଳକୁ ପ୍ରତାପରୁଦ୍ରଦେବ ଗଜପତି । ସେ କାଞ୍ଚୀଜେମା ପଦ୍ମାବତୀଙ୍କ ପୁଅ । ଯୋଉଁ ଗଜପତି ପୁରୁଷୋତ୍ତମ କାଞ୍ଚୀ ଲଢ଼େଇ କରି ଥିଲେ ସେ ତାଙ୍କ ବାପା ।

 

ଦକ୍ଷିଣ ଦେଶରେ ସେତେବେଳେ ପ୍ରତାପରୁଦ୍ର ଲଢ଼େଇ କରୁଥିଲେ । ଲଢ଼େଇ କେତେ ବର୍ଷ ଧରି ଲାଗିଥିଲା । କେହି ଜିଣି ପାରୁ ନ ଥିଲେ । ଏହି ହରି ସିଂହ କ୍ଷେତ୍ରୀଙ୍କୁ ପ୍ରତାପରୁଦ୍ର ଗଜପତି ସେହି ଲଢ଼େଇକୁ ପଠାଇଲେ । ହରି ସିଂହ ବର୍ଷେ ଦିବର୍ଷ ଭିତରେ ସେଠା ରାଜାଙ୍କୁ ଜିଣି ତାଙ୍କର ସନ୍ତକ ମୀନକେତନ କଟାରୀ ଓ ପଗଡ଼ି ଛଡ଼ାଇ ଆଣିଲେ । ଗଜପତି ଭାରି ଖୁସି ହୋଇ ହରି ସିଂହଙ୍କ ମୁଣ୍ଡରେ ଶିରୋପା ବାନ୍ଧି ସେ ସବୁ ସନ୍ତକ ଦେଲେ ଓ କହିଲେ ତୁମଙ୍କୁ କରମୂଳପାଟଣା ଦଶକୋଶର ରଜା କରାଗଲା । ହରି ସିଂହ ତ ଆଗରୁ ଏ ରାଜ୍ୟ ଦେଖିଥିଲେ । ସେ କରମୂଳପାଟଣାରେ ଗଡ଼ ବସାଇ ରାଜୁତି କରୁଥାଆନ୍ତି । କିଛି ଦିନ ଭିତରେ ସେ ଆଖପାଖର ସାଆନ୍ତ ରାଜାମାନଙ୍କୁ ଜିଣି ହଦଗଡ଼ ପାଖରେ ପୁଣି ଗୋଟାଏ ବଡ଼ ଗଡ଼ ବସାଇଲେ । ଏବେ କମଗରା ଗାଁ ପାଖରେ ସେ ଗଡ଼ର ଚିହ୍ନ ଅଛି । ତା ପାଖରେ ନଈ ଭିତରୁ କେତେ ଶିବମୂର୍ତ୍ତି ଓ କୋଠାବାଡ଼ିର ଚିହ୍ନ ବାହାରୁଚି ।

 

ସେତେବେଳକୁ ବିଶାଳିଆରେ ଶ୍ରୀଧର ଭଞ୍ଜ ରଜା ଥାଆନ୍ତି । ବିଶାଳିଆ ଭଞ୍ଜେ ଢେଙ୍କା ଶଅରକୁ ଜିଣି ଢେଙ୍କାନାଳ ଗଡ଼କୁ ବଡ଼ ଗଡ଼ ଆଉ ବିଶାଳିଆକୁ ସାନ ଗଡ଼ କରି ଥାଆନ୍ତି । ସିଂହ ବିଦ୍ୟାଧର ବିଶାଳିଆ ଭଞ୍ଜଙ୍କୁ ଲଢ଼େଇରେ ଜିଣିଲେ । ଦିନେ ଗଡ଼ ପାଖରେ ବସି କୋ’ଠେଇ ଗଡ଼ ବସାଇବେ ବୋଲି ଭାବିଲାବେଳକୁ ଗୋଟାଏ ଛଞ୍ଚାଣ ଗୋଟିଏ ପାରାକୁ ତଡ଼ିଲା । ପାରା ଉଡ଼ି ଉଡ଼ି ଆସି ପାଣିଓହୋଳା ପର୍ବତ ତଳେ ଆଜିକାଲି ଯୋଠେଇ ରଜାଘର ନଅର ଅଛି, ସେଇଠେଇ ଓଲଟି ଛଞ୍ଚାଣକୁ ମାଡ଼ି ବସିଲା । ହରିସିଂହ ଏପରି ବିପରୀତ କଥା ଦେଖି ସେ ସ୍ଥାନକୁ ବୀରଭୂମି ମନେ କରି ନିଜ ନଅରର ଶୁଭ ଦେଲେ । ସେହି ନଅରରେ ହରି ସିଂହଙ୍କର ଅଠର ପୁରୁଷ ଭୋଗ କଲେଣି ।

 

ଢେଙ୍କାନାଳର ଆଜିକାଲି ରାଜା ଶ୍ରୀ ଶଂକର ପ୍ରତାପ ସିଂହ ଦେଓ ମହୀନ୍ଦ୍ରବାହାଦୂର ବୀର ହରିସିଂହ ବିଦ୍ୟାଧରଙ୍କର ଅଷ୍ଟାଦଶ ପୁରୁଷ ।

Image

 

କୁଆଳୋ

 

ସେ ଆଜିକି ହଜାର ଦେଢ଼ ହଜାର ବର୍ଷ ତଳର କଥା । ଢେଙ୍କାନାଳର ଉତ୍ତର ପଶ୍ଚିମ କୋଣରେ ତାଳଚେର ଗଡ଼ ପାଖକୁ କୁଆଳୋ ବୋଲି ଯୋଉଁ ଜାଗା ଅଛି, ସେ କାଳରେ ତାହା ଗୋଟିଏ ଭାରି ବଡ଼ ଗଡ଼ ଥିଲା । ତହିଁରେ ଜଣେ ବଡ଼ ରଜା ରହୁଥିଲେ । ଆଜି କାଲି ତାଳଚେର, ଅନୁଗୋଳ, ହିନ୍ଦୋଳ, ପାଲଲହଡ଼ା, କେଉଁଝର, ଆଠମଲ୍ଲିକ, ବଉଦ, କନ୍ଧମାଳ, ସୋନପୁର ଆଦି ଧରି ସବୁ ରାଜ୍ୟ ଏହି କୁଆଳୋ ରଜାଙ୍କ ତଳେ ଥିଲା । ସାରା ଢେଙ୍କାନାଳ ତାଙ୍କ ରାଜ୍ୟ ଥିଲା । କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର ମାହାଲ ମଧ୍ୟ ଥରେ ଥରେ ଏହି ରାଜ୍ୟ ତଳେ ରହୁଥିଲା । ତାଙ୍କ ରାଜ୍ୟକୁ କୋଦାଲୋକ ମଣ୍ଡଳ ଆଉ ରାଜାଙ୍କୁ ମଣ୍ଡଳେଶ୍ୱର ବୋଲାଯାଉଥିଲା ।

 

କୋଦାଲୋକ ନଗରରେ ବହୁତ କୋଠାବାଡ଼ି, ଦେଉଳ ଅଟ୍ଟାଳି ତୋଳା ହୋଇଥିଲା । ବଡ଼ ବଡ଼ ପୋଖରୀ ଖୋଳା ହୋଇଥିଲା । ଏବେ ମଧ୍ୟ ତୁମେ କୁଆଳୋକୁ ଗଲେ ଦେଖିବ–ବଣ ବିଲ ବାଡ଼ି ଘର–ଯୁଆଡ଼େ ଯାଅ, କଟା ପଥର, ଶିବମୂର୍ତ୍ତି, ଭଙ୍ଗା ଦେବତା, ଭଙ୍ଗା ଦେଉଳ ଚାରିଆଡ଼େ ପଡ଼ିଚି । ଭାଙ୍ଗି ନ ଥିବା ବଡ଼ ବଡ଼ କେତେ ଦେଉଳ ଏବେ ମଧ୍ୟ ଅଛି । ମୁଣ୍ଡେ ଉଞ୍ଚର–କୁଣ୍ଢ ପାଇବ ନାହିଁ–ଶିବମୂର୍ତ୍ତି ଛିଡ଼ା ହୋଇଚନ୍ତି । ସତେ ଯିମିତି ଇଲେ ମୂର୍ତ୍ତି ଦିହରୁ କାଳି ନିଗଡ଼ି ପଡ଼ିବ । କି ସୁନ୍ଦର ଠାକୁରାଣୀସବୁ ଭଙ୍ଗା ମଣ୍ଡପରେ ବସିଚନ୍ତି । ପୋଖରୀ ସବୁ ପୋତିହୋଇ ଗଲାଣି; ତଥାପି ପଦ୍ମଫୁଲ, କଇଁଫୁଲ–ଧୋବ, ନେଳୀ-ନାଲି, ସିଂଘଡ଼ା ପୂରି ରହିଚି । ଲୋକେ କହୁଥିଲେ କୁଆଳୋ ପୋଖରୀରେ ସହସ୍ର ପାଖୁଡ଼ା ଧୋବ ପଦ୍ମ ଅଛି ।

 

କୁଆଳୋରେ ସ୍ତମ୍ଭବଂଶର ରଜାମାନେ ଥିଲେ । ରଣସ୍ତମ୍ଭ, କଳହସ୍ତମ୍ଭ, କାଞ୍ଚନସ୍ତମ୍ଭ ପ୍ରଭୃତି ରଜାମାନେ ଦୂରଦୂରାନ୍ତ ଦେଶରୁ ଭଲ ଭଲ ବ୍ରାହ୍ମଣ ଡାକିଆଣି ବହୁତ ଜମିବାଡ଼ି ଖଞ୍ଜି ଦେଇଥିଲେ । ସେହି ବ୍ରାହ୍ମଣମାନଙ୍କର ବଂଶଧରମାନେ ଆଜିକାଲି କୁଆଳୋର ଆଖପାଖ ଧଳପୁର, ସାଆଁନ୍ଦା, କୁରୁଣ୍ଟି, ପାଟରପଦା, ପାଣିଗେଙ୍ଗୁଟିଆ ଆଦି ଗାଁମାନଙ୍କରେ ରହିଚନ୍ତି । ସେହି ରଜାମାନେ ସ୍ତମ୍ଭେଶ୍ୱରୀ ବା ଖମ୍ବେଇଶୁଣୀ ଠାକୁରାଣୀ ଆଉ ଶିବଙ୍କୁ ଭାରି ଭକ୍ତି କରୁଥିଲେ । ଠାକୁର ଠାକୁରାଣୀଙ୍କ ନାଁ ନ ଧଇଲେ କୁଆଡ଼େ ଯାଉ ନ ଥିଲେ କି କିଛି କରୁ ନ ଥିଲେ । ଏହି ସ୍ତମ୍ଭେଶ୍ୱରୀ ଠାକୁରାଣୀ ଏବେ କୁଆଳୋ ପାଖ ସିଙ୍ଗଡ଼ା ଗାଁରେ ଅଛନ୍ତି । ତାଙ୍କୁ ସିଙ୍ଗଡ଼ାଚଣ୍ଡୀ କହନ୍ତି-। କୁଆଳୋର କନକଦୁର୍ଗା ଠାକୁରାଣୀ ବଡ଼ ସୁନ୍ଦର । କୁଆଳୋର ଆଖପାଖ ଗାଁମାନଙ୍କରୁ ଯୋଉଁ ତମ୍ବାପଟା ସନନ୍ଦମାନ ମିଳିଚି ସେଥିରେ ସେ ରଜାମାନଙ୍କ ବିଷୟରେ ବହୁତ କଥା ଲେଖାଅଛି । ବଡ଼ ହେଲେ ତୁମେମାନେ ତାହା ଜାଣିବ ।

 

ଏହି ସ୍ତମ୍ଭ ରଜାମାନଙ୍କୁ ଆମ ଲୋକେ ଖମ୍ବରଜା ବୋଲି କହୁଥିଲେ । ‘ଡମର ଘରକୁ ଥମ୍ବର ଘର, ମେରେମେରା ଥିଲା କୁମ୍ଭାରଘର’ । ଏହି ପହଳି ଏବେ ବି ବୁଢ଼ା ବୁଢ଼ା ଲୋକେ କହୁଛନ୍ତି । ଡମାଳ ବୋଲି ଗୋଟିଏ ଜାତି ଏବେ ବି ଖମ୍ବେଇଶୁଣୀଙ୍କୁ ପୂଜା କରନ୍ତି । ଡମାଳମାନେ ବ୍ରାହ୍ମୀକୂଳରେ ଥିବା ଡମାଳଗାଁରେ ଅଛନ୍ତି ।

 

ଖମ୍ବରଜାମାନଙ୍କ ଛଡ଼ା କୁଆଳୋରେ ଆହୁରି ବହୁତ ରଜାମାନେ ଥିଲେ । ସେମାନେ ନିଜ ଗଡ଼ର ଭାରି ଟେକ କରିଛନ୍ତି କୋଦାଲୋକ ସବୁଦିଗର ଆଲୋକ ବା ଦୀପ ବୋଲି କହିଛନ୍ତି । ସତକୁ ସତ କୁଆଳୋରେ ଚାରିଆଡ଼ୁ ବଡ଼ ବଡ଼ ପଣ୍ଡିତମାନେ ଆସି ଜମା ହେଉଥିଲେ ଓ ଜମିବାଡ଼ି ପାଇ ଘରଦ୍ୱାର କରି ରହୁଥିଲେ । ସେମାନଙ୍କ ମଧ୍ୟରେ ଜଗନ୍ଧର ଭଟ୍ଟ ବୋଲି ଜଣେ ପଣ୍ଡିତ ସଂସ୍କୃତରେ ବହୁତ ବହି ଲେଖି ଯାଇଛନ୍ତି ।

Image

 

ତ୍ରିଭୁବନ ମହାଦେବୀ

 

ଢେଙ୍କାନାଳର ପାଟରପଦା ଗାଁରୁ ଯେ ଯେ ତମ୍ବାପଟାମାନ ମିଳିଛି ସେଥିଭିତରୁ କେତେ ଖଣ୍ଡିରେ ‘କରବଂଶ’ ରଜାମାନଙ୍କ କଥା ଅଛି । ସେସବୁ ପଢ଼ିଲେ ତୁମେ ଜାଣିପାରିବ ଯେ ପ୍ରାୟ ଏକହଜାର ବର୍ଷ ତଳେ ଏହି ଜାଗାମାନଙ୍କରେ ‘କରବଂଶ’ର ରଜାମାନେ ରାଜୁତି କରୁଥିଲେ । ସେମାନଙ୍କର କେତେଗୁଡ଼ିଏ ଗଡ଼ ଥିଲା । ସେଥିମଧ୍ୟରୁ ଭୁବନେଶ୍ୱର ପାଖରେ ‘ତୋଷଳା କଟକ’ ଆଉ ଢେଙ୍କାନାଳ କୁଆଳୋର ‘କୋଦାଲୋକ ନଗର’ ବୋଧହୁଏ ସବୁଠାରୁ ବଡ଼ ଥିଲା ।

 

କରବଂଶର ଦୁଇ ଦଳ ରଜାଙ୍କର ନାଁ ମିଳୁଚି । ଦଳେ ବୌଦ୍ଧଧର୍ମ୍ମ ମାନୁଥିଲେ; ଆଉ ଦଳେ ବେଦର ଧର୍ମ୍ମ ମାନୁଥିଲେ । ତ୍ରିଭୁବନ ମହାଦେବୀ ସେହି କରବଂଶର ଜଣେ ରାଣୀ । ସେ ବେଦର ଧର୍ମ୍ମ ମାନୁଥିଲେ । ସେ ଦକ୍ଷିଣ ଦେଶର ରଜା ରାଜମଲ୍ଲ ଦେବଙ୍କର ଝିଅ; କରବଂଶର ମହାରାଜା ଲଳିତହାର ଦେବଙ୍କୁ ବିଭା ହୋଇଥିଲେ ।

 

ଲଳିତହାର ଅଳ୍ପ ବୟସରେ ମରିଗଲେ । ତାଙ୍କ ପ୍ରଜାମାନେ, ସାଆନ୍ତମାନେ ଆଉ ପାତ୍ରମାନେ ଏକାଠେଇଁ ଆସି ରାଣୀ ତ୍ରିଭୁବନ ମହାଦେବୀଙ୍କୁ କହିଲେ–‘‘ଆପଣଙ୍କ ବଂଶରେ ରଜା ହେବା ଭଳି ବର୍ତ୍ତମାନ କେହି ନାହାନ୍ତି । ଆପଣ ଆମମାନଙ୍କର ମାଆ । ଆପଣ ସିଂହାସନରେ ବସି ରାଜ୍ୟ ଚଳାନ୍ତୁ ।’’ ତ୍ରିଭୁବନ ମହାଦେବୀ କହିଲେ–‘‘ମୋର ପ୍ରାଣପ୍ରଭୁ ଚାଲିଗଲେ; ମୋ ଛାତି ଫାଟିଯାଉଚି, ଆଖିରୁ ଲୁହ ଶୁଖି ନାହିଁ । ମୁଁ ଅଗ୍ନିରେ ଝାସ ଦେଇଥାନ୍ତି, କେବଳ ତୁମମାନଙ୍କ ମୁହଁ ଚାହିଁ ଝାସ ଦେଲି ନାହିଁ ।’’ ପ୍ରଜାମାନେ ଆପତ୍ତି କଲେ ‘‘ଆମେ ଅନାଥ ହୋଇଯିବୁଁ, ଆଉ କିଏ ପୁଅପରି ଆମକୁ ପାଳିବ ? ବାପା ଯାଇଛନ୍ତି; ତାଙ୍କ ଅଙ୍ଗରୁ ଅଙ୍ଗେ ଆପଣ ବସିଛନ୍ତି–ଆମକୁ ନିରାଶ କରନ୍ତୁ ନାହିଁ ।’’

 

ଅଗତ୍ୟା ତ୍ରିଭୁବନ ମହାଦେବୀ ଗେରୁଆ ଲୁଗା ପିନ୍ଧି ପାଟଶାଢ଼ୀ, ସୁନା ଆଉ ରତ୍ନ ଅଳଙ୍କାରମାନ ପକାଇଦେଇ ସିଂହାସନ ପାଖରେ ତଳେ ଯାଇ ବସିଲେ । ସେ ପ୍ରଜାପାଟକଙ୍କୁ ପୁଅପରି ପାଳୁଥାଆନ୍ତି । ସାଆନ୍ତ ରଜା ଆଉ ପାତ୍ରମାନଙ୍କୁ ଆପଣାର ଭାଇପରି ଦେଖନ୍ତି । ଦିନ ରାତି ମାମଲା ମକଦ୍ଦମା ବୁଝିସାରି ପୁରାଣ ଶାସ୍ତ୍ରମାନ ପଢ଼ନ୍ତି ଆଉ ଶୁଣନ୍ତି । ପାଇକମାନେ ଲଢ଼େଇକୁ ଗଲେ ସେ ବି ଲଢ଼େଇ ପଡ଼ିଆରେ କୌଣସି ଦେବତାଙ୍କ ପାଖରେ ଛାଉଣି ପକାଇ ରହନ୍ତି । ଏହିପରି ଗୋଟିଏ ଲଢ଼େଇ ଛାଉଣିରୁ ଶୁଭେଶ୍ୱର ମହାଦେବଙ୍କ ପାଟକ (ଦେଉଳ) ପାଖରେ ଜଣେ ବଡ଼ ବ୍ରାହ୍ମଣଙ୍କୁ ବହୁତ ଜମି ଖଞ୍ଜିଦେଇ ଖଣ୍ଡିଏ ତମ୍ବାପଟା ସନନ୍ଦ କରି ଦେଇଛନ୍ତି ।

 

ତାଙ୍କ ପାଖରେ ବହୁତ ବଡ଼ ବଡ଼ ପଣ୍ଡିତ ଥିଲେ । ସେ ଅନେକ ଦେଉଳ ଅଟାଳି ତୋଳାଇଥିଲେ । ସଦାଶିବପୁର (କାଳିଆପାଳ)ରେ ବାଲୁକେଶ୍ୱର ମହାଦେବଙ୍କ ପାଖରେ ତାଙ୍କ ବଂଶର ରାଜାମାନେ ବହୁତ କୀର୍ତ୍ତି କରିଥିଲେ । ସେସବୁ ଭାଙ୍ଗି ପଡ଼ି କୁଆଡ଼େ ଉଭେଇ ଗଲାଣି । ତାଙ୍କ ବଂଶର ଆଉ ଜଣେ ଦଣ୍ଡୀ ମହାଦେବୀ ସେହିପରି ରାଜ୍ୟ ଚଳାଉଥିଲେ ।

 

ଲୋକେ କହନ୍ତି ଭାରତବର୍ଷରେ ସ୍ତ୍ରୀମାନେ ରାଜ୍ୟ ଚଳାନ୍ତି ନାହିଁ । ତୁମେ ଦେଖୁଚ–ହଜାର ବର୍ଷ ତଳେ ରାଣୀମାନେ ରାଜ୍ୟ ଚଳାଇ ପ୍ରଜାପାଟକଙ୍କୁ କିପରି ପୁଅ ପରି ପାଳୁଥିଲେ । ଧନ୍ୟ ଢେଙ୍କାନାଳ !

Image

 

କପିଳାସ

 

ପିଲେ, ତୁମେ କପିଳାସ ଦେଖିଚ ? ଆମ ଓଡ଼ିଶା ଭିତରେ କପିଳାସ ଗୋଟିଏ ବଡ଼ ପର୍ବତ । ଏ ପର୍ବତ ଉପରେ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଦେଉଳ ଅଛି । ଶ୍ରୀ ପାର୍ବତୀ ବିଶ୍ୱନାଥ ଆଉ ଗଙ୍ଗା-ନାରାୟଣଙ୍କ ଦେଉଳ ବି ଅଛି । କପିଳାସ ପାର୍ବତୀଙ୍କ ଲେଖେ ସୁନ୍ଦର ଠାକୁରାଣୀ ମୂର୍ତ୍ତି ସାରା ଭାରତବର୍ଷରେ ଖୁବ୍ ଅଳ୍ପ ଅଛନ୍ତି । ଏହା ଗୋଟିଏ ପବିତ୍ର ତୀର୍ଥ । ପୁରାଣମାନଙ୍କରେ କପିଳାସ କଥା ଲେଖା ହୋଇଚି । ବଡ଼ ହେଲେ ତୁମେମାନେ ସେସବୁ ପଢ଼ିବ ।

 

ତୁମେ ରାବଣ ନାଁ ଶୁଣିଚ । ସେ ଶିବଙ୍କର ଭାରି ଭକ୍ତ । ହିମାଳୟ ପର୍ବତରେ କୈଳାସପୁରରେ ଶିବ ଉମା ଗଣେଶ କାର୍ତ୍ତିକେୟ ଦୁଇ ପୁଅ ଆଉ ନନ୍ଦୀ ପ୍ରଭୃତି ଚାକର ବାକର ଧରି ସ୍ଫଟିକରେ ତିଆରି କୋଠାରେ ଥାଆନ୍ତି; ମନ ହେଲେ ଧଳା ବଡ଼ ବୃଷଭ ପିଠିରେ ଚଢ଼ି ଏଣେତେଣେ ବୁଲିଯାଆନ୍ତି । ରାବଣ ଭାବିଲା ଶିବଙ୍କୁ ଦର୍ଶନ କରିବାଲାଗି ଏତେ ବାଟ କିଏ ଯିବ ? କୈଳାସପୁରକୁ ଉପାଡ଼ି ସମୁଦ୍ର ଭିତର ଲଙ୍କାକୁ ନେଇଯିବା–ସବୁବେଳେ ଶିବଙ୍କୁ ଘରେ ଦେଖିବା । ମନରେ ଏପରି ପାଞ୍ଚି ହିମାଳୟ ପର୍ବତରୁ କୈଳାସ ଶିଖରକୁ ଉପାଡ଼ି ହାତ ଚକିରେ ଧରି ଦକ୍ଷିଣଦିଗକୁ ଲଙ୍କାକୁ ବେଗରେ ପଳାଉଥିଲା । ଝାଡ଼ଖଣ୍ଡ ଶିବଙ୍କର ବଡ଼ ପ୍ରିୟ ସ୍ଥାନ । ଶିବ ରାବଣର ପାପୁଲିରେ କୈଳାସ ଉପରେ ବସି ବୁଢ଼ା ଆଙ୍ଗୁଠି ତଳକୁ ଟିପିଦେଲେ । ଶିବପୁରୀ ସାଥିରେ ପର୍ବତଟି ରାବଣ ହାତ ଚକିରୁ ଦୋହଲି ଖସିପଡ଼ିଲା । ସେହି ପର୍ବତକୁ ଆଜିକାଲି କପିଳାସ କହୁଛନ୍ତି ।

 

କପିଳ ନାମରେ ଜଣେ ବଡ଼ ଋଷି ଥିଲେ । ସେ ସାଙ୍ଖ୍ୟଶାସ୍ତ୍ର ଲେଖିଛନ୍ତି । ସେ ଶିବଙ୍କ ଦର୍ଶନ ସକାଶେ କପିଳାସରେ ଆଶ୍ରମ କରିଥିଲେ । ସେଥିଲାଗି ମଧ୍ୟ ଏ ପର୍ବତକୁ କପିଳବାସ ବା କପିଳାସ ବୋଲାଯାଏ ।

 

ସତ୍ୟଯୁଗରେ ସୌଦାସ ବୋଲି ଜଣେ ରଜା କାଶୀରେ ଶିବମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ତପସ୍ୟା କରୁଥିଲେ । ମହାଋଷି ବଶିଷ୍ଠ ତାଙ୍କୁ ଶିବମନ୍ତ୍ର ଉପଦେଶ ଦେଇଥିଲେ । ଶିବ ମହାପ୍ରଭୁ ଦର୍ଶନ ଦେଇ ସୌଦାସଙ୍କୁ କହିଲେ–‘‘ମୋର ଝାଡ଼ଖଣ୍ଡରେ କପିଳାସ ପର୍ବତ ଉପରେ ଗୁପ୍ତ କାଶୀ ଅଛି । ମୁଁ ସବୁବେଳେ ସେଠାରେ ଥାଏ । ତୁମେ ସେଠାକୁ ଗଲେ ମୋର ଦର୍ଶନ ପାଇବ ।’’

 

ସୌଦାସ କେତେ ଲଟା, ବଣ, ପର୍ବତ, ନଈ ଡେଇଁ ଡେଇଁ କେତେ ବର୍ଷ ପରେ କପିଳାସ ପର୍ବତରେ ପହୁଞ୍ଚିଲେ । ସେଠାରେ ପ୍ରଭୁଙ୍କୁ ଦର୍ଶନ କରି କୋଠାବାଡ଼ି ଭଣ୍ଡାର ରଖି ନିଜ ଦେଶକୁ ଗଲେ । କେତେକାଳ ଚାଲିଗଲା । କୋଠାବାଡ଼ି ଭାଙ୍ଗି ପଡ଼ି ସବୁ ବଣ ଜଙ୍ଗଲ ହୋଇଗଲା-

 

ପୁରୀରେ ସେତେବେଳେ ପ୍ରତାପ ନରସିଂହ ଦେବ ଗଜପତି । ସେ ଥରେ ସମୁଦ୍ର କୂଳରେ ବୁଲୁ ବୁଲୁ ଅନ୍ଧାରରେ ଗୋଟିଏ ଷଣ୍ଢକୁ ଦେଖି ବାଘ ବୋଲି ମାରି ପକାଇଲେ । ପଛରେ ଷଣ୍ଢ ବୋଲି ଜାଣିପାରି କିପରି ପାପ ଛାଡ଼ିବ ବୋଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଧାରଣା ଦେଲେ । ଜଗନ୍ନାଥ ମହାପ୍ରଭୁ ସପନେଇଲେ, ‘‘ତୁମେ କପିଳାସ ଶିଖରରେ ଶିଖରେଶ୍ୱର ମହାପ୍ରଭୁଙ୍କ ଶରଣ ପଶ; ପାପ ଛାଡ଼ିବ ।’’

 

ସେଠୋଉଁ ଗଜପତି ମହାରାଜ ଚାର ପେଶିଲେ । ବହୁତ ନଈ, ପର୍ବତ, ଲଟା, ବଣ ପାର ହୋଇ ଶେଷରେ କପିଳାସକୁ ଅଇଲେ । କପିଳାସରେ ଚନ୍ଦ୍ରଶେଖର ଆଉ ବିଶ୍ୱନାଥଙ୍କ ଦେଉଳ ତୋଳାଇଲେ । ବିଶ୍ୱନାଥଙ୍କୁ ଲୋକେ ବୃଦ୍ଧେଶ୍ୱର ବା ବୁଢ଼ାଲିଙ୍ଗ କହନ୍ତି । ପୟୋଽମୃତ କୁଣ୍ଡ, ମଣିକର୍ଣ୍ଣିକା ଆଉ ଜମ୍ଭ କୁଣ୍ଡ କଲେ; ପଥର ଅଗଣା କଲେ; ସରଘର କଲେ, ଜମିବାଡ଼ି ଖଞ୍ଜା କରିଦେଲେ । ସେବାସି, ସୁଆର, ପଣ୍ଡା, ପୁରୋହିତ, ମାଳି ଖଞ୍ଜିଲେ । ତୁଳସୀ ସେନାପତି ବୋଲି ଢେଙ୍କାନାଳର ଜଣେ ବଡ଼ କାରିଗର ଏ ତୀର୍ଥ ତିଆରି କରି ରମ୍ପା ଗାଁ ଖଣ୍ଡିକ ପୁରସ୍କାର ପାଇଥିଲା । ଗଜପତି ପୁରୁଷୋତ୍ତମ କାଞ୍ଚିଜେମା ପଦ୍ମାବତୀଙ୍କ ସାଥିରେ କାଞ୍ଚିରୁ ଯେଉଁ ପାର୍ବତୀ ମୂର୍ତ୍ତି ଆଣିଥିଲେ, ତାଙ୍କୁ ଲକ୍ଷ୍ମୀ ନୃସିଂହଙ୍କ ସାଙ୍ଗରେ ଦେଉଳ କରି ବସାଇଲେ । ତୁମେ କପିଳାସ ଗଲେ ସେ ସବୁ ଦେଖିବ ।

 

ଆଜିକି ସାତଶ ବର୍ଷ ତଳେ ଏ ସବୁ ତିଆରି ହୋଇଥିଲା । କପିଳାସରେ ଯେ ବ୍ରହ୍ମଚାରୀ ମଠ ଅଛି, ସେଥିରେ ଶ୍ରୀଧର ସ୍ୱାମୀ ବୋଲି ଜଣେ ବଡ଼ ପଣ୍ଡିତ ସନ୍ନ୍ୟାସୀ ଥିଲେ । କପିଳାସରେ କେତେଗୁଡ଼ିଏ ବଡ଼ ବଡ଼ ଗୁମ୍ଫା ଅଛି । ସୀତା ଅନ୍ତୁଡ଼ୀଶାଳ, ପାଦପଦ୍ମ ଗୁମ୍ଫା, କେନ୍ଦୁପାଣିଆ ଗୁମ୍ଫା ପ୍ରଭୃତି ସେଥିମଧ୍ୟରେ ଖୁବ୍ ବଡ଼ । କପିଳାସ ଶିଖର ଉପରେ ବିଲଙ୍କା ବୋଲି ଯେଉଁ ଜାଗା ଅଛି, ସେଠାରେ ଗୋଟିଏ ବଡ଼ ଗଡ଼ ଆମ ଢେଙ୍କାନାଳ ରଜା ତୋଳାଇ ରହୁଥିଲେ । ଏବେ ତାର ଭଙ୍ଗା କାନ୍ଥ ଓ ଜଳି ଆଦି ଅଛି । ଏବେ ଜେଜେମଣିମା ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଗଙ୍ଗା ନାରାୟଣଙ୍କ ଦେଉଳ ତୋଳାଇ ସେଥିରେ ଗଙ୍ଗାନାରାୟଣ ମୂର୍ତ୍ତିଙ୍କୁ ବିଜେ କରାଇଅଛନ୍ତି । ବିଷ୍ଣୁଙ୍କ ପାଦନଖରୁ ଗଙ୍ଗା ବୋହୁଥିବାର ପୁରାଣରେ ଲେଖାଅଛି । ସେଠାରେ ତୁମେ ଦେଖିବ, ସତକୁ ସତ ଗଙ୍ଗାନାରାୟଣଙ୍କ ବୁଢ଼ା ଆଙ୍ଗୁଠି ନଖରୁ ଭାରି ନିର୍ମ୍ମଳ ଝରଣା ବୋହି ଆସୁଛି ।

 

କାଶୀ ଭିତରେ ଗଙ୍ଗାରେ ଯେପରି ମଣିକର୍ଣ୍ଣିକା ଘାଟ ଅଛି, ଏଠାରେ ସେପରି ମଣିକର୍ଣ୍ଣିକା କୁଣ୍ଡ ଅଛି । ଏଠାରେ ଗାଧୋଇ ପୟୋଽମୃତ କୁଣ୍ଡ ପାଣିରେ ଶିବଙ୍କ ପୂଜା କରି ତାହା ପିଇଲେ ପାପ ନାଶ ହୁଏ ଓ ବୈକୁଣ୍ଠ ମିଳେ । କପିଳାସରେ ରହିଲେ ସବୁ ରୋଗ ଛାଡ଼ି ପଳାଏ । ପଣ୍ଡିତମାନେ କହିଛନ୍ତି କପିଳାସରେ କଳାଆଭ ଆଉ ଗନ୍ଧକ ଖଣି ଭିତରୁ ପାଣି ବାହାରୁଥିବାରୁ ସେ ପାଣି ପିଇଲେ ରୋଗ ଛାଡ଼ିଯାଏ । କପିଳାସକୁ ଓଡ଼ିଶାର ଦାର୍ଜିଲିଙ୍ଗ କହିବା ଉଚିତ । ଫାଲ୍‌ଗୁନ ମାସ ଶିବରାତ୍ରି ଦିନ କପିଳାସରେ ଜାଗର ଯାତ୍ରା ହୁଏ । ଏ ଯାତ୍ରାକୁ ଓଡ଼ିଶାର ପୁରୀ କଟକ ଆଦି ଅଞ୍ଚଳରୁ ବହୁତ ଲୋକ ଆସନ୍ତି ।

Image

 

ଶ୍ରୀ ସିଦ୍ଧରାମଚଣ୍ଡୀ

 

ଢେଙ୍କାନାଳ ଗଡ଼ର ପଶ୍ଚିମକୁ ପ୍ରାୟ ଆଠ ନଅ କୋଶ ଦୂରରେ ବ୍ରାହ୍ମୀନଦୀ କୂଳରେ ଶ୍ରୀ ସିଦ୍ଧରାମଚଣ୍ଡୀଙ୍କର ଆସ୍ଥାନ । ସେ ଗାଁକୁ ନାଧରା କହନ୍ତି । ତା ପଶ୍ଚିମକୁ କୁଞ୍ଜବିହାରିପୁର ବ୍ରାହ୍ମଣ ଗାଁ । ରାମଚଣ୍ଡୀ ବଡ଼ ପୁରୁଣା ଠାକୁରାଣୀ । ରାମଚଣ୍ଡୀଙ୍କ ମଣ୍ଡପରେ କେତେକ ବୌଦ୍ଧମୂର୍ତ୍ତି ଅଛନ୍ତି-

 

ଅଯୋଧ୍ୟାର ଦଶରଥ ମହାରାଜାଙ୍କ ପୁଅ ଶ୍ରୀରାମ ଯେତେବେଳେ ସୀତା ଆଉ ଲକ୍ଷ୍ମଣଙ୍କ ସାଥିରେ ପଞ୍ଚବଟୀ ଅରଣ୍ୟରୁ ବାହାରି ଚାରିଆଡ଼େ ବୁଲୁଥିଲେ, ସେତେବେଳେ ସେ ବ୍ରାହ୍ମୀକୂଳରେ ଶିବଙ୍କର ପୂଜା କରି ରାମଚଣ୍ଡୀ ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥିଲେ । ତେଣୁ ତାଙ୍କୁ ରାମଚଣ୍ଡୀ ବୋଲି ଲୋକେ କହନ୍ତି । ରାମଚଣ୍ଡୀ ଠାକୁରାଣୀ ଯେ ଅନେକ ଦିନର, ସେ କଥାରେ ସନ୍ଦେହ ନାହିଁ ।

 

ରାମଚଣ୍ଡୀଙ୍କ ପଶ୍ଚିମକୁ ପୂର୍ବେ ଭୀମନଗରୀ ଗଡ଼ ଲାଗିକରି ଥିଲା । ପୁରୀ ଗଜପତି ମହାରାଜା ଅନଙ୍ଗଭୀମ ଯୁବରାଜ ଥିଲାବେଳେ ଏଠାରେ ରହିଥିଲେ । ତାଙ୍କ ବାପାଙ୍କର କାଳ ହେବା ପରେ ସେ ଗଜପତି ହୋଇ ରାଜୁତି କରିବାକୁ ପୁରୀ ବାହାରିଗଲେ । ଭଗବତୀ ରାମଚଣ୍ଡୀଙ୍କର ଆଠଗୋଟି ଭୁଜ; ଏଣୁ ଲୋକେ ତାଙ୍କୁ ଅଷ୍ଟଭୁଜା ବୋଲି କହନ୍ତି । ଚଣ୍ଡୀ ଗୋଟିଏ ପାଦ ସିଂହ ଉପରେ ଆଉ ଗୋଟିଏ ପାଦ ମହିଷ ଉପରେ ରଖି ଠିଆ ହୋଇଛନ୍ତି । ଆଠ ହାତ ମଧ୍ୟରୁ ଖାଇଲି ହାତ ଚାରୋଟିରେ ଖଣ୍ଡା, ଶରମୁଣାରୁ ବାହାର କରୁଥିବା ଗୋଟିଏ ଶର, ଚକ୍ର ଆଉ ତ୍ରିଶୂଳ ଅଛି । ବାଁ ହାତ ଚାରୋଟିରେ ପରଶୁ, ଧନୁ, ନାଗ ଆଉ ଆଢ଼େଣୀ (ପଟ୍ଟୀଶ) ଅଛି । ଦେବୀଙ୍କ ଚାରିପଟରେ ଗଣେଶ, କାର୍ତ୍ତିକେୟ ଆଉ ନୃସିଂହଙ୍କର ମୂର୍ତ୍ତିଗୁଡ଼ିକ ଭାରି ଚମତ୍କାର–କଳା ନିଗିଡ଼ି ପଡ଼ୁଛି; ସତେ ଯିମିତି ଇଲେ କଥା କହିବେ ।

ରାମଚଣ୍ଡୀଙ୍କ ମାଳିମାନେ ଗୋଟିଏ ଗପ କହନ୍ତି । କଳାପାହାଡ଼ ଝାଡ଼ଖଣ୍ଡକୁ ଆସି ବହୁତ ଦେଉଳ ଭାଙ୍ଗି ପକାଇଲା । ଯୋଠେଇ ଦେବ ଦେବୀ ପ୍ରତିମା ପାଇଲା ଭାଙ୍ଗି ଫୋପାଡ଼ିଦେଲା । ସିଦ୍ଧ ବଳଦେବଙ୍କୁ ସେବାସିମାନେ ଠାକୁରପୋଖରୀ ହୁଡ଼ାରେ ପୋତି ପକାଇଲେ । ଶ୍ରୀନାଗନାଥଙ୍କ ଦେଉଳରେ ଠାକୁରାଣୀଙ୍କ ମୁହଁ ଭାଙ୍ଗି ପକାଇଲା । ଯେତେବେଳେ ରାମଚଣ୍ଡୀଙ୍କ ପାଖରେ ପହଞ୍ଚି ଦେଉଳ ଭିତରକୁ ପଶିଲା, ଗୋଟିଏ ଅତି ସୁନ୍ଦର ଝିଅ ଶାହେ ଅଳଙ୍କାର ଲଗାଇ ପାଟଶାଢ଼ୀ ପିନ୍ଧି ରଣଝଣ ହୋଇ କାଖରେ ମାଠିଆ ଯୋଡ଼ିଏ ଧରି ଦେଉଳ ଭିତରୁ ବାହାରି ପଡ଼ିଲେ । ପଠାଣ ତ ତାଙ୍କୁ ଦେଖୁ ଦେଖୁ କାବା ହୋଇଗଲା । ତାର ଚେତା ବୁଡ଼ିଗଲା । ଇମିତି କନ୍ୟା କ’ଣ ଅଛନ୍ତି-ସେ ଇମିତି ଜଣେ କେବେ ଦେଖି ନ ଥିଲା । କଳାପାହାଡ଼ ବାଟ ଓଗାଳିଲା,–ତୁମେ କୁଆଡ଼େ ଯାଉଛ ? ଝିଅଟି ଟିକିଏ ହସି କହିଲେ, ‘‘ତୁମେ ଅଇଲଣି, ପାଣି ନାହିଁ–ମୁଁ ଟିକିଏ ଧାଇଁ ଯାଇ ନଈରୁ ମାଠିଆ ଦିଟା ବୁଡ଼ାଇ ଘିନି ଆସେ । ତୁମେ ଠିଆ ହେଇଥା ।’’ ପଠାଣର ତ ପାଟି ଫିଟିଲା ନାହିଁ । ସେ ଭକ ଭକ ଜଳକା ହୋଇ ଚାହିଁଥାଏ । ଝିଅଟି ପାହାଚରୁ ଆଉ ପାହାଚେ–ସେଠୋଉ ଆଉ ପାହାଚେ ଓହ୍ଲାଇ ଓହ୍ଲାଇ ତଳକୁ ଖସିଗଲେ । ପଠାଣ ବସି ପଡ଼ିଲା । ଏ ଘଡ଼ି ଚାହିଁ ନାହିଁ କି ସେ ଘଡ଼ି ଚାହିଁ ନାହିଁ । ଦେଉଳ ଭିତରକୁ ଯାଇ ଦେଖିଲା, ଦେଉଳର ସିଂହାସନ ତୁଚ୍ଛା-ଦେବତା ନାହାନ୍ତି । ପାଟି କରି କହିଲା, ‘‘ସାବାସ୍ ଚଣ୍ଡି ! ତୁ ବୁଦ୍ଧିରେ ମୋତେ ବଳିଗଲୁ ।’’ ସେଥିଲାଗି ଲୋକେ ଗୀତ ଗାଆନ୍ତି–

‘‘ଭଲା ରାମଚଣ୍ଡି ଭଲା ରେ,

କଳାପାହାଡ଼କୁ ଦୁଆରେ ବସାଇ ଭଲା ପାଣି ପାଇଁ ଗଲା ରେ ।’’

 

କଳାପାହାଡ଼ର ମନ କଅଣ ହେଲା–ସେ ଆଉ ଭୀମନଗରୀ ଗଡ଼ର ପଶ୍ଚିମକୁ ଗଲା ନାହିଁ । କେତେ ଦେବତା ରକ୍ଷା ପାଇଗଲେ ।

 

ଏ କଥାକୁ କୃପାସିନ୍ଧୁ ବାବୁ କୋଣାର୍କ ରାମଚଣ୍ଡୀଙ୍କ କଥା ବୋଲି କହିଛନ୍ତି । କିନ୍ତୁ ଏ କଥା କୋଣାର୍କର ନୁହେ । ଏ କଥା ଭୀମନଗରୀ ରାମଚଣ୍ଡୀ ଠାକୁରାଣୀଙ୍କ ମାଳିମାନେ ପୁରୁଷକୁ ପୁରୁଷ ବାପ ଅଜାଠାରୁ ଶୁଣି ଆସୁଅଛନ୍ତି ଓ କହି ଆସୁଅଛନ୍ତି ।

 

ଭୀମନଗରୀ ଗଡ଼ ଥିଲାବେଳେ ରାମଚଣ୍ଡୀଙ୍କ ଦେଉଳ ଘଣ୍ଟ ମୃଦଙ୍ଗ କାହାଳୀ ଶବ୍ଦରେ ଗହ ଗହ କମ୍ପୁଥିଲା । ଭୀମନଗରୀ ଗଡ଼ ଭୂଇଁରେ ମିଶିଗଲାଣି । ଶ୍ରୀ ସିଦ୍ଧରାମଚଣ୍ଡୀ ଏବେ ସୁଦ୍ଧା ଭୀମନଗରୀ ଗଡ଼ର ପୂର୍ବ ସୀମାରେ ବସି ଲୋକଙ୍କ ମନକାମନା ପୂରଣ କରୁଛନ୍ତି । ମକର ସଂକ୍ରାନ୍ତି ଦିନ ତାଙ୍କ ପାଖରେ ଗୋଟିଏ ବଡ଼ ଯାତ୍ରା ହୁଏ, ବହୁତ ଲୋକ ଆସନ୍ତି ।

 

ଶ୍ରୀ ସିଦ୍ଧରାମଚଣ୍ଡୀଙ୍କ ପାଦତଳେ କୋଟି କୋଟି ମୁଣ୍ଡିଆ ।

Image

 

ଭୀମନଗରୀ

 

ସେ ଆଜିକି ହଜାରବର୍ଷ ତଳର କଥା । ରାମଚଣ୍ଡୀ ଠାକୁରାଣୀଙ୍କ କଥାରେ ଭୀମନଗରୀ ନାଁ ଶୁଣିଚ । ଭୀମନଗରୀ ଥିଲା କେଶରୀ ରଜା ଓ ଗଙ୍ଗବଂଶି ରଜାମାନଙ୍କର ଓଡ଼ିଶା ରାଜ୍ୟର ପଶ୍ଚିମ ସୀମା । ମାଦଳାପାଞ୍ଜିରେ ତା ନାଁ ଅଛି ଭୀମନଗରୀ ଦଣ୍ଡପାଟ । ହଣ୍ଟର ସାହେବ ଓଡ଼ିଶା-ଇତିହାସରେ ବି ସେଇତା ଲେଖିଛନ୍ତି ।

 

ଏବେ ଚାଳିଶ ପଚାଶ ବର୍ଷ ତଳେ ବ୍ରାହ୍ମୀନଈରେ ଗୋଟାଏ ବଡ଼ ବଢ଼ି ଆସିଥିଲା । ଅନେକ ଗାଁଗଣ୍ଡା ଘରଦ୍ୱାର ଭସାଇ ନେଲା । ବଢ଼ି ଛାଡ଼ିଗଲା ପରେ ଲୋକେ ଦେଖିଲେ ରାମଚଣ୍ଡୀ-ଠାକୁରାଣୀଙ୍କ କିଛି ଦୂରରେ ପଶ୍ଚିମକୁ ତଡ଼ାରୁ ଖଣ୍ଡେ ଭାଙ୍ଗିପଡ଼ିଛି । ବହୁତ ଗୁଡ଼ାଏ ଲୁହାଗଜ ଏଣେ ତେଣେ ପଡ଼ିଛି । ଗୋଟାଏ ବଡ଼ ପିତ୍ତଳ ହଣ୍ଡା ଅଣେଇ ହୋଇ ପାଣି ପାଖରେ ପଡ଼ିଛି, ଆଉ ପାଣିଭିତରକୁ ମୁଠା ମୁଠା ପୁରୁଣାକାଳ ରୂପା ଟଙ୍କା ପଡ଼ି ପଡ଼ି ଯାଇଛି । ହଣ୍ଡା ଭିତରେ ହଣ୍ଡାଏ ରୂପା ଟଙ୍କା; କେତୋଟି ସୁନାର । ଯେ ଯେତେ ପାଇଲେ ପାଣି ଭିତରୁ ଖୋଜି ଖୋଜି ଘରକୁ ଧରି ପଳାଇଲେ । ଶେଷରେ ଢେଙ୍କାନାଳର ମେନେଜର ବନମାଳି ବାବୁ ଏ କଥା ଶୁଣିପାରି ଲୋକଙ୍କୁ ଡକାଇଲେ; ଲୋକଙ୍କୁ ପଚରାପଚରି କରିବାରୁ କେତେଗୁଡ଼ିଏ ଟଙ୍କା ଲୋକେ ଆଣି ଦେଲେ । ବନମାଳି ବାବୁ ଚାରି ଚାରି ଅଣାରେ ଟଙ୍କାଗୁଡ଼ା ନିଲାମ କରାଇ ଲୋକଙ୍କୁ ବାଣ୍ଟିଦେଲେ । ସେଥିରୁ ଗୁଡ଼ିଏ ଟଙ୍କା ପୂର୍ବ ମହାରାଜା ଶ୍ରୀଶୂରପ୍ରତାପ ମହୀନ୍ଦ୍ର-ବାହାଦୂର ଲୋକଙ୍କଠାରୁ ଅଣାଇ ବିହାର ଓଡ଼ିଶା ଲାଟ ଗେଟ୍‌ ସାହେବଙ୍କୁ ଉପହାର ଦେଇଥିଲେ । ଲାଟସାହେବ ସେଗୁଡ଼ିକ ପାଟଣା ଯାଦୁଘରେ ରଖାଇ ଦେଇଛନ୍ତି । ତୁମେମାନେ ପାଟଣା ମିଉଜିୟମକୁ ଗଲେ ଦେଖିବ–ଏବେ ସୁଦ୍ଧା ସେଗୁଡ଼ିକ ଅଛି ।

 

ଟଙ୍କାଗୁଡ଼ିକ ହଜାର ବର୍ଷ ତଳର । କେତେକ ପାଞ୍ଚଶ ବର୍ଷ ପୂର୍ବର । ଦିଲ୍ଲୀର ସୁଲତାନ ନାସିରୁଦ୍ଦିନ ମହମ୍ମଦ, ଫିରୋଜସାହ, କୈକୋବାଦ, ସଇଜୁଦ୍ଦିନ, ଆଲ୍ଲାଉଦ୍ଦିନ, ମାମୁଦସାହ, ବଲବନ୍, ମୋଗଲ ବାଦଶାହ ଅକ୍କବର ପ୍ରଭୃତିଙ୍କ ସୁନା ଆଉ ରୂପାର ଟଙ୍କା ସେଥିଭିତରେ ଅଛି ।

 

ଏହା ପୂର୍ବରୁ ପ୍ରାୟ ସତୁରିବର୍ଷ ତଳେ ବଲ୍‌ ସାହେବ ଦୁଇଟି ପଥରର ହତିଆର ଭୀମନଗରୀ ଗଡ଼ରୁ ପାଇଥିଲେ। ସେ ଦୁଇଟି କଲିକତା ଭାରତୀୟ ଯାଦୁଘରେ ଅଛି । ବଲ୍‌ ସାହେବ କହିଛନ୍ତି, ସେ ପଥରର ହତିଆରଗୁଡ଼ିକ ଖୁବ୍ ପୁରୁଣା, ପ୍ରାଚୀନ ପ୍ରସ୍ତରଯୁଗ ଲୋକଙ୍କର । ଏଠା ବ୍ରାହ୍ମଣମାନେ ସେଗୁଡ଼ିକୁ ବଜ୍ରସୂଚୀ ବୋଲି କହୁଥିଲେ । ସେଗୁଡ଼ିକ ଖୁବ୍ ସାନ ସାନ ପଥର ଟୁକୁରା; ଦେଖିବାକୁ କଳା, କିନ୍ତୁ ଲୁହାକୁ ବି ଭାଙ୍ଗି ଦେଇପାରିବ । ହରିସିଂହ ବିଦ୍ୟାଧର କରମୂଳ ପାଟଣାରେ ରାଜୁତି କରି ଭୀମନଗରୀକୁ ଢେଙ୍କାନାଳରେ ମିଶାଇଥିଲେ । ଢେଙ୍କାନାଳ ରଜାମାନେ କେବେ କେବେ କିଛିକାଳ ଢେଙ୍କାନାଳ ଗଡ଼ରେ ରହୁଥିଲେ କିନ୍ତୁ ଭୀମନଗରୀ ପୁରୁଣାଗଡ଼ ନଈ ନିକଟରେ ଥିବାରୁ ସବୁବେଳେ ସେଠାରେ ରହୁଥିଲେ । ବର୍ଗିମାନେ ଦାମୋଦର ରାୟସିଂହ ଭ୍ରମରବରଙ୍କୁ ଏହି ଭୀମନଗରୀ ଗଡ଼ ଉଆସରେ ରାତିରେ ହଠାତ୍ ମାରିପକାଇଲେ ଓ ଗଡ଼ଟିକୁ ଛାରଖାର କରି ପୋଡ଼ିଦେଲେ । ସେହିଦିନୁ ଶ୍ରୀ ତୁଟିଗଲା ଆଉ ଭୀମନଗରୀ ଗଡ଼ ମାଟିରେ ମିଶିଗଲା । ସେ ଆଜିକି ଦୁଇଶ ବର୍ଷ ତଳର କଥା ।

 

ଭୀମନଗରୀ ଗଡ଼ର ଚାରିପଟେ ବହୁତ ପୁରୁଣା ପୁରୁଣା ଶିବ ଦେଉଳ ଆଉ ପୁରୁଣା ପୁରୁଣା ଗାଁମାନ ଅଛି । ପଣ୍ଡିତମାନେ ଅନୁମାନ କରି କହନ୍ତି, କେଶରୀବଂଶ ରଜାମାନେ ସେ ସବୁ ଦେଉଳ ତୋଳାଇ କେତେ ଗାଁମାନ ବସାଇଥିଲେ । ଗଙ୍ଗବଂଶି ରଜାମାନଙ୍କର ଆଠ ଦଣ୍ଡପାଟ ଭିତରୁ ଭୀମନଗର ଦଣ୍ଡପାଟ ସବୁଠାରୁ ବଡ଼, ପୁରୁଣା ଆଉ ସୁନ୍ଦର ଥିଲା । ତେଣୁ ଗଜପତି ଅନଙ୍ଗଭୀମ ଯୁବରାଜ ଅବସ୍ଥାରେ ସେଠାରେ ଅନେକ ଦିନ ଥିଲେ ଓ ସେଠାରୁ ଯାଇ ବଉଦ, ସୁନପୁର ଆଦି ଭୂୟାଁମାନଙ୍କୁ ଜିଣି ଆଣିଥିଲେ ବୋଲି ମାଦଳାରେ ନିଜେ କହିଛନ୍ତି । ସେଠାରୁ ନାଗନାଥଙ୍କୁ ଦର୍ଶନ କରିବାକୁ ଆସି ବ୍ରାହ୍ମୀ କୂଳରେ ନାଗନାଥ ପାଖରେ ଭୀମପୁର (ଭୀଁପୁର) ଗାଁ ବସାଇଥିଲେ । ଏବେ ଭୀମନଗରୀ ଧାନବିଲ ଓ ପଡ଼ିଆ ହୋଇ ପଡ଼ିଛି । ଲୋକେ ମଝିରେ ମଝିରେ ଭୂଇଁ ଖୋଳିଲାବେଳେ ସେଠାରୁ ବହୁତ ପୁରୁଣା ପୁରୁଣା ଜିନିଷ ପାଆନ୍ତି ।

 

‘ଯଦୁପତେଃ କ୍ୱଗତା ମଥୁରାପୁରୀ ?

ରଘୁପତେଃ କ୍ୱତଥୋତ୍ତର କୋଶଳ ?’

Image

 

ଶ୍ରୀଧର ସ୍ୱାମୀ

 

ପିଲେ ! ତୁମେ କପିଳାସ ଗଲେ ଦେଖିବ ଶ୍ରୀ ଶିଖରେଶ୍ୱରଙ୍କ ବଡ଼ ଦେଉଳପାଖ ରୋଷଘର ଉପରକୁ ବୃଦ୍ଧେଶ୍ୱର ବିଶ୍ୱନାଥଙ୍କ ଦେଉଳ ଦକ୍ଷିଣକୁ ଲାଗି ଗୋଟିଏ ବଡ଼ ମଠ ଅଛି । ଲୋକେ ତାକୁ ବ୍ରହ୍ମଚାରୀ ମଠ କହନ୍ତି । ଆଜିକୁ ସାତଶ ବର୍ଷ ତଳେ ସେହି ମଠରେ ଶ୍ରୀଧର ସ୍ୱାମୀ ବୋଲି ଜଣେ ବଡ଼ ପଣ୍ଡିତ ସନ୍ନ୍ୟାସୀ ଥିଲେ । ସେ ସଂସ୍କୃତ ଭାଷାରେ ଭାରି ପଣ୍ଡିତ; ଏପରି ପଣ୍ଡିତ ଭାରତରେ ଖୁବ୍ ଅଳ୍ପ ଥିଲେ । ସେ ବହୁତ ପୁରାଣର ଟୀକା କପିଳାସରେ ରହି ଲେଖିଛନ୍ତି । ସେମାନଙ୍କ ମଧ୍ୟରେ ସଂସ୍କୃତ ଭାଗବତର ଟୀକା, ଭଗବଦ୍‌ଗୀତା ଟୀକା ଓ ବିଷ୍ଣୁପୁରାଣ ଟୀକା ସବୁଠାରୁ ବଡ଼ ଆଉ ଭଲ । ସେ କପିଳାସ ପାର୍ବତୀ ଆଉ ତାଙ୍କ ପାଖରେ ଯେ ଲକ୍ଷୀ ନୃସିଂହ ମହାପ୍ରଭୁ ଅଛନ୍ତି ତାଙ୍କର ବଡ଼ ଭକ୍ତ ଥିଲେ । ସେ ତାଙ୍କର ସବୁ ବହିରେ ସେହି ନୃସିଂହଙ୍କ କଥା ଲେଖିଛନ୍ତି ।

 

ଗଜପତି ପ୍ରତାପ ନରସିଂହ ଦେବ କପିଳାସ ଦେଉଳ ତୋଳାଇ ଜଣେ ଭଲ ପଣ୍ଡିତ ସନ୍ନ୍ୟାସୀ କପିଳାସ ନୀତିକାନ୍ତି ବୁଝିବା ପାଇଁ ଖୋଜୁଥାଆନ୍ତି । ସେତେବେଳକୁ ପୁରୀର ଭୋଗବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଶ୍ରୀ ରାମକୃଷ୍ଣାନନ୍ଦ ଶଙ୍କରପୀଠର ସ୍ୱାମୀ । ଶ୍ରୀଧର ସ୍ୱାମୀ ତାଙ୍କର ଶିଷ୍ୟ । ଗଜପତିଙ୍କୁ ରାମକୃଷ୍ଣ ଶ୍ରୀଧରଙ୍କ କଥା କହିଲେ । ପ୍ରତାପ ନରସିଂହ ଦେବ ଶ୍ରୀଧର ସ୍ୱାମୀଙ୍କୁ କପିଳାସ ତୀର୍ଥର ସବୁ ଭାର ଦେଇ ବୁଝିବାକୁ ପଠାଇଲେ । ଶ୍ରୀଧର କପିଳାସକୁ ଆସି ମଠ ତିଆରି କଲେ । ସେ ଜୀବନଯାକ ବ୍ରହ୍ମଚାରୀ ଥିବାରୁ ତାଙ୍କ ମଠର ନାଁ ବ୍ରହ୍ମଚାରୀ ମଠ ହେଲା । ଏବକାଳ ପର୍ଯ୍ୟନ୍ତ ବ୍ରହ୍ମଚାରୀ ବ୍ରାହ୍ମଣ ନ ହେଲେ କେହି ସେ ମଠରେ ଅଧିକାରୀ ହୋଇପାରିବେ ନାହିଁ ।

 

ଶ୍ରୀଧର ସ୍ୱାମୀ ଦିନରାତି ଶାସ୍ତ୍ର ପଢ଼ିବାରେ ଆଉ ଲେଖିବାରେ ଲାଗିଥାଆନ୍ତି । ତାଙ୍କବେଳକୁ ସଂସ୍କୃତ ଭାଗବତ, ଗୀତା ଆଉ ବିଷ୍ଣୁପୁରାଣର ସହଜ ଟୀକା ନ ଥିଲା; ତେଣୁ ସେସବୁ ଆଗ ଲେଖିବାରେ ମନ ବଳାଇଲେ । ପଣ୍ଡିତମାନେ କହନ୍ତି, ଯେଉଁ ବ୍ୟାସଋଷି ପୁରାଣ କରିଥିଲେ, ସେ ତାର ଅର୍ଥ ବୁଝିଥିଲେ କି ନାହିଁ ଜଣାନାହିଁ; ମାତ୍ର ଶ୍ରୀଧର ସ୍ୱାମୀ ସବୁ ବୁଝିଥିଲେ । ଆଜି ଶ୍ରୀଧର ସ୍ୱାମୀଙ୍କ ଟୀକା ନ ଥିଲେ ଗୀତା ଭାଗବତ ପରି ଭିଡ଼ ଭିଡ଼ ଶାସ୍ତ୍ରମାନ କେହି ବୁଝିପାରୁ ନ ଥାନ୍ତେ । ଶ୍ରୀଧରଙ୍କ ବହିକୁ ବଡ଼ ବଡ଼ ପଣ୍ଡିତମାନେ ମୁଣ୍ଡିଆ ମାରନ୍ତି । ଧନ୍ୟ କପିଳାସ ! ଧନ୍ୟ ଢେଙ୍କାନାଳ !

 

ଏହି ଢେଙ୍କାନାଳ ମାଟି କେତେ ଯେ ସାଧୁ, ସନ୍ନ୍ୟାସୀ, ପଣ୍ଡିତ, କବି ଆଉ ବୀରପୁରୁଷମାନଙ୍କୁ ଛାତିରେ ଧରି ଧନ୍ୟ ହୋଇଅଛି, ତାହା କିଏ ଗଣି କହିପାରିବ ?

Image

 

ଶ୍ରୀ ସିଦ୍ଧ-ବଳରାମ

 

ଆଜିକାଲି ରଜାଙ୍କ ନଅର ପାଖରେ ଯେଉଁ ବଡ଼ ଦେଉଳ ଅଛି ସେଥିରେ ବଳରାମ ମହାପ୍ରଭୁ ଅଛନ୍ତି । ଏ ଦେଉଳ ମହାରାଜ ନୃସିଂହ ଭ୍ରମରବର ତୋଳାଇଥିଲେ । ଆଜିକୁ ତିନିଶ ବର୍ଷ ତଳେ ଏ ଦେଉଳ ତୋଳା ହୋଇଥିଲା । ବଳରାମ ମହାପ୍ରଭୁ ବଡ଼ ପ୍ରତ୍ୟକ୍ଷ ଦେବତା । ସେ ସତ୍ୟଯୁଗର ପ୍ରଭୁ । ଏ ଦେଉଳକୁ ସେ ଯେପରି ଆସିଲେ–ମୁଁ ତୁମକୁ କହିବି ।

 

ସିଦ୍ଧ ବଳରାମ ଆଗେ ଅନୁଗୋଳର ତଳମୂଳରେ ଥିଲେ । ତାଙ୍କର ଦଶଖମ୍ବ ମଣ୍ଡପ ଏବେ ସୁଦ୍ଧା ସେଠାରେ ଅଛି । ଝାଡ଼ୁଆ ଲୋକେ ତାଙ୍କୁ ସେଠାରେ ପୂଜା କରୁଥିଲେ । ସେଠାରେ ମହାପ୍ରଭୁ କେତେକାଳରୁ ଥିଲେ କହିହେବ ନାହିଁ । ତାହାପରେ ମହାପ୍ରଭୁ ହିନ୍ଦୋଳର ଚିତଲପୁରକୁ ଅଇଲେ । ସେଠାରେ ଏବେ ସୁଦ୍ଧା ପୁରୁଣା ଦେଉଳ ଅଟ୍ଟାଳିମାନ ଅଛି । କେତେକାଳ ଚାଲିଗଲା–ସେଠୋଉଁ ମହାପ୍ରଭୁଙ୍କୁ ଲୋକେ ଭୀମନଗରୀ ଗଡ଼କୁ ଆଣିଲେ । ସିଦ୍ଧ ବଳଦେବ ଭୀମନଗରୀ ଗଡ଼ରେ ବହୁତ ଦିନ ଥିଲେ । ଭୀମନଗରୀ ଗଡ଼ରେ ସେତେବେଳେ ବହୁତ ବହୁତ ଭଲ ଭଲ ପଣ୍ଡିତ ଲୋକ ଥିଲେ । କେତେ କେତେ ସାଧୁ ସନ୍ନ୍ୟାସୀ ଥିଲେ, ସମସ୍ତେ ମହାପ୍ରଭୁଙ୍କର ଭଲଭାବରେ ସେବା ପୂଜା କରୁଥାଆନ୍ତି ।

 

ସେତେବେଳେ ପୁରୀ ଗଜପତିଙ୍କ ଯୁବରାଜ ଅନଙ୍ଗଭୀମ ଭୀମନଗରୀ ଗଡ଼ରେ ରହି ରାଜୁତି କରୁଥିବା କଥା ତୁମେ ଶୁଣିଚ । ତାଙ୍କ ବାପା ମରିଗଲେ । ଓଡ଼ିଶାର ସବୁ ଲୋକେ ତାଙ୍କୁ ଗଜପତି କଲେ । ସେ ଭୀମନଗରୀରୁ ଗଲାବେଳେ ସିଦ୍ଧ-ବଳଦେବଙ୍କୁ ହାତୀ ଉପରେ ସୁନା ଅମାରିରେ ବସାଇ ନେଉଥିଲେ । ସେ ବଳରାମଙ୍କର ବଡ଼ ଭକ୍ତ । ବାଟରେ ରାତି ହେଲା । ମହାପ୍ରଭୁ ରଜାଙ୍କୁ ସପନେଇଲେ, ‘‘ହେ ରାଜା ! ଝାଡ଼ଖଣ୍ଡ ଆମ୍ଭର ପ୍ରିୟଭୂମି । ତୁ ପୁରୀ ଯାଇ ଗଜପତି ଶାଢ଼ୀ ବାନ୍ଧ । ତୋହର ସର୍ବମଙ୍ଗଳ ହେବ । ଆମ୍ଭଙ୍କୁ ଏଠାରେ ଛାଡ଼ିଯା’ ।’’

 

ମହାପ୍ରଭୁଙ୍କ କଥା ଶୁଣି ରଜା ଡେଙ୍ଗବୋରେଇ ଗାଁରେ ମଣ୍ଡପ ତୋଳାଇ ପ୍ରଭୁଙ୍କୁ ବିଜେ କରାଇଲେ । ପ୍ରଭୁଙ୍କ ଭୋଗରାଗ ଲାଗି ବଳରାମପ୍ରସାଦ ବିଷ ଖଞ୍ଜା କରିଦେଲେ । ପୁରୀକୁ ଯାଇ ଗଜପତି ହେଲେ । ଜଗନ୍ନାଥ ମହାପ୍ରଭୁଙ୍କ ବଡ଼ଦେଉଳ ତୋଳାଇଲେ । ସେ ଦେଉଳ ଏପର୍ଯ୍ୟନ୍ତ ପୁରୀରେ ଅଛି ।

 

ଏହାପରେ ପୃଥ୍ୱୀ ମୋଗଲାଣ ହୋଇଗଲା । ପଞ୍ଝା ପଞ୍ଝା ହୋଇ ପଠାଣ ଆସିଲେ । କଳାପାହାଡ଼ ଆସି ଦେଉଳସବୁ ଭାଙ୍ଗିପକାଇଲା । ଦେବତାସବୁ ସାବଳରେ ତାଡ଼ି ଭାଙ୍ଗି ଫୋପାଡ଼ି ଦେଲା । ସିଦ୍ଧ ବଳଦେବଙ୍କ ସେବକମାନେ ଡରି ପ୍ରଭୁଙ୍କୁ ମଣ୍ଡପରୁ ନେଇଗଲେ । କାଣ୍ଡବିନ୍ଧା ଗାଁର ଠାକୁରା ପୋଖରୀ ହୁଡ଼ାରେ ପଟୋଉତନ ବାଡ଼ କରି ପ୍ରଭୁଙ୍କୁ ପୋତି ପକାଇଲେ । କେତେକାଳ ଗଲା । ପ୍ରଭୁଙ୍କ ଉପରେ ଗଛପତ୍ର, ଲଇବୁଦା ମାଡ଼ି ବଣ ଜଙ୍ଗଲ ହୋଇଗଲା ।

 

ସେତେବେଳକୁ ବିଶାଳିଆରେ ଭଞ୍ଜସାଆନ୍ତେ ରାଜୁତି କରୁଥାଆନ୍ତି । ଦିନେ ଶଅର ଦି ଜଣ ଟୁଙ୍ଗା ଖୋଳୁ ଖୋଳୁ ମହାପ୍ରଭୁଙ୍କ ମୁଣ୍ଡରେ ଖଣତି ବାଜି କ୍ଷୀର ବୋହିଲା–ବାସନାରେ ଚାରିଆଡ଼ ମହକି ଉଠିଲା । ଶଅର ଯାଇ ଭଞ୍ଜସାଆନ୍ତଙ୍କୁ ଜଣାଇବାରୁ ଭଞ୍ଜେ ପ୍ରଭୁଙ୍କୁ ବିଶାଳିଆକୁ ଆଣି ପୂଜାକଲେ ।

 

ସିଂହ ବିଦ୍ୟାଧର ଭଞ୍ଜଙ୍କୁ ଜିଣି ସିଦ୍ଧ-ବଳଦେବଙ୍କୁ ଢେଙ୍କାନାଳ ଗଡ଼କୁ ଘେନି ଆସିଲେ । ଆଜିକାଲି ବଉଳମୂଳେ ଯୋଉଁ ମଣ୍ଡପ ଅଛି, ତହିଁରେ ପ୍ରଭୁଙ୍କୁ ବିଜେ କରାଇ ପୂଜା କଲେ ଆଉ ବଡ଼ଦେଉଳ ଶୁଭ ଦେଲେ । ନୃସିଂହ ଭ୍ରମରବର ଦେଉଳ ତୋଳା ଶେଷକରି ପ୍ରଭୁଙ୍କୁ ସିଂହାସନରେ ବିଜେ କରାଇଲେ ।

 

ପ୍ରଭୁଙ୍କ ବିଷୟରେ ବହୁତ କଥା ‘ବଳଭଦ୍ର ମହିମା ବୋଲି’ ନାମକ ପୁରୁଣା ପୋଥିରେ ଲେଖାଅଛି । ଦିନେ ମହାରାଜ ନୃସିଂହ ଭ୍ରମରବରଙ୍କୁ ବଳଭଦ୍ର ପଣ୍ଡା ବୋଲି ଜଣେ ସେବକ ପ୍ରଭୁଙ୍କ ଛଡ଼ା ଅଁଳେଇ ମାଳଟିଏ ଭେଟିଲା । ସେଥିରୁ ଗୋଟିଏ ଲମ୍ବା ବାଳ ବାହାରିଲା । ରଜା ପଣ୍ଡା ନିଜ ଘରୁ ଏ ମାଳ ଆଣି ଦେଇଛି ବୋଲି ତାକୁ ବନ୍ଦୀଖାନାରେ ରଖିଲେ । ପ୍ରଭୁ ରାତିରେ ରାଜାଙ୍କୁ ସପନେଇଲେ–‘କାଲି ସକାଳେ ଦେଉଳକୁ ଆସ ।’ ରାଜା ସକାଳୁ ଶୁଚି ହୋଇ ଦର୍ଶନ କଲାବେଳକୁ ପ୍ରଭୁଙ୍କର ଲମ୍ବ ଲମ୍ବ କଳାବାଳ ମୁଣ୍ଡରୁ ସିଂହାସନ ତଳଯାକେ ପଡ଼ିଥିବାର ଦିଶିଲା । ରାଜା ପଣ୍ଡାକୁ ମୁକୁଳାଇ ପୁରସ୍କାର ଦେଲେ ।

 

ଦିନେ ଜଣେ ସନ୍ନ୍ୟାସୀ ଆସି ପ୍ରଭୁଙ୍କ ଦେଉଳ ମୁଖଶାଳାରେ ରହିଲେ । ସେ କାହାକୁ କିଛି ଖାଇବାକୁ ମାଗନ୍ତି ନାହିଁ । ରାତି ଅଧ ବେଳକୁ ଭାରି ଭୋକ ହେବାରୁ ପ୍ରଭୁଙ୍କୁ ବହୁତ ଗାଳିଦେଲେ । କହିଲେ–‘‘ତୁ କାହା କଥା କିଛି ନ ବୁଝି ନିଜେ ମଉଜରେ ସିଂହାସନରେ ବସିଛୁ।’’ ସେତେବେଳକୁ ଜଣେ ପଣ୍ଡା ଥାଳିଏ ଭୋଗ ଧରି ବାହାରପଟୁ ଆସିଲେ । ବୋଇଲେ, ‘‘ସନ୍ନ୍ୟାସୀ ! ତୁମେ ତ କାହାକୁ କିଛି ମାଗିଲ ନାହିଁ–କିପରି ଖାଆନ୍ତ ? ମୋର ଇଲେ ଘରେ ମନେ ପଡ଼ିବାରୁ ଭୋଗ ଧରି ଆସିଲି–ଭାବିଲି ସନ୍ନ୍ୟାସୀ ତ ଖାଇ ନାହାନ୍ତି । ଏ ଥାଳିଖଣ୍ଡି ଭଗବାନ ସାହୁ ଗୁଡ଼ିଆ ଘରେ ଦେଇ ଆସିବ ।’’ ଏହା କହି ପଣ୍ଡା ଚାଲିଗଲେ । ସନ୍ନ୍ୟାସୀ ଖାଇସାରି ଥାଳିଖଣ୍ଡି ଧୋଇ ମୁଣ୍ଡତଳେ ଦେଇ ଶୋଇଲେ ।

 

ସକାଳୁ ସେବକମାନେ ଆସିଲେ । ଦେଉଳ କବାଟ ଫିଟାଇ ନୀତି ବଢ଼ାଇଲାବେଳକୁ ଦେଖିଲେ, ସିଂହାସନରେ ପ୍ରଭୁଙ୍କର ସୁନାଥାଳୀ ନାହିଁ । ସମସ୍ତେ ପାଟି କଲେ, ଚାରିଆଡ଼ ଖୋଜିଲେ, ଖୋଜୁ ଖୋଜୁ ଥାଳୀ ସନ୍ନ୍ୟାସୀ ମୁଣ୍ଡଉପରେ ଥିବାର ଦେଖିଲେ । ସମସ୍ତେ ସନ୍ନ୍ୟାସୀଙ୍କୁ ଚୋରି ଧଇଲେ । ସନ୍ନ୍ୟାସୀ କହିଲେ, ‘‘ବିଚିତ୍ର କଥା ଏ; ତୁମେ ରାତି ଅଧରେ ଖାଇବାକୁ ଦେଇ କହିଲ, ଭଗବାନ ସାହୁ ଗୁଡ଼ିଆଘରେ ଥାଳୀ ଦେଇ ଆସିବ–ଇଲେ ମତେ କରୁଛ ଚୋର ?’’

 

ସମସ୍ତେ ଜାଣିଲେ ଏ ଦୟାମୟ ପ୍ରଭୁଙ୍କ କୃତ୍ୟ । ସନ୍ନ୍ୟାସୀଙ୍କୁ ସମସ୍ତେ ଧନ୍ୟ ଧନ୍ୟ କଲେ । ସିଦ୍ଧ-ବଳଦେବ ମହାପ୍ରଭୁଙ୍କୁ କୋଟି କୋଟି ନମସ୍କାର ।

Image

 

ନୃସିଂହ ଭ୍ରମରବର

 

ପିଲାମାନେ ! ଢେଙ୍କାନାଳ ନଅର ଯେ ବୀର ସିଂହ ବିଦ୍ୟାଧର ତୋଳାଇଥିଲେ, ତାଙ୍କ ବଂଶର ନୃସିଂହ ଭ୍ରମରବର ବହୁତ କୀର୍ତ୍ତି କରି ଯାଇଅଛନ୍ତି । ନୃସିଂହ ମହାବୀର ଥିଲେ । ତାଙ୍କପରି ଭକ୍ତ ରାଜା ବେଶି ଦେଖାଯାଆନ୍ତି ନାହିଁ । ସେ ନିତି ବଳରାମଙ୍କୁ ଦର୍ଶନ କରୁଥିଲେ । ବଳଭଦ୍ର ପଣ୍ଡା ଅଁଳେଇ ମାଳ କଥା ତୁମେ ଶୁଣିଛ ! ରଜା ବଡ଼ ଭକ୍ତ ହୋଇ ନ ଥିଲେ ମହାପ୍ରଭୁ କଅଣ ତାଙ୍କୁ ଏପରି ଦେଖାଦେଇ ଥାଆନ୍ତେ ? ସେ ‘ଦଶବୋଲି’ ନାମରେ ଖଣ୍ଡିଏ ବହି ଲେଖିଯାଇଅଛନ୍ତି । ତୁମେ ସେ ବହି ପଢ଼ିଲେ ଦେଖିବ ସେ କିପରି ଭକ୍ତ ।

 

‘ମଧୁପୁର କୋଇଲି’ ବୋଲି ଆଉ ଖଣ୍ଡିଏ ବହି ଗୋକୁଳ-ପଟ୍ଟନାୟକେ ଲେଖିଯାଇ ଅଛନ୍ତି । ନୃସିଂହ ଭ୍ରମରବର ଯେପରି ମଧୁପୁର ଗଡ଼ ଲଢ଼େଇରେ ଜିଣି ଆଣିଥିଲେ ସେଥିରେ ତାହା ଲେଖାଅଛି ।

 

ସେତେବେଳକୁ ଔରଙ୍ଗଜୀବ୍ ଦିଲ୍ଲୀ ବାଦସାହ । ଓଡ଼ିଶାରେ ଅକ୍କବରଙ୍କ କାଳରୁ ମୋଗଲ ଶାସନ ଚଳୁଥିଲା । ମୋଗଲ ଅମଲାମାନେ ଭଲ ବୁଝାମଣା କରୁ ନ ଥିଲେ । ରାଜ୍ୟ ଚଳାଇବାରେ ହୁଗୁଳାପଣିଆ କରୁଥିଲେ । ମଧୁପୁର ଡାଳିଯୋଡ଼ା ଆଦି ରଜାମାନେ ଢେଙ୍କାନାଳର ପୂର୍ବ ସୀମାରେ କଳିଗୋଳ କରୁଥାଆନ୍ତି । ଗାଁ ଗଣ୍ଡା ଲୁଟି କରୁଥାନ୍ତି । ନୃସିଂହ ଏ କଥା ବୁଝିଦେବାକୁ ମୋଗଲମାନଙ୍କୁ ଜଣାଇଲେ । କେହି କିଛି ଶୁଣିଲେ ନାହିଁ । ତେଣୁ ନୃସିଂହ ତାଙ୍କର ଛଅଶ ନାଗା ଫଉଜ ଓ ପାଞ୍ଚହଜାର ଘୋଡ଼ାସୁଆର ଧରି କାହ୍ଲୁରିଆ ଗାଁ ବାଟେ ପେଙ୍ଗୁଆରେ ଛାଉଣି ମାରି ରହିଲେ । ସେଠାରେ ପାଇକସବୁ ଚାରିଆଡ଼ୁ ଆସି ଠୁଳହେଲେ ।

 

ଢେଙ୍କାନାଳ ଫଉଜ ଆଗ ମଧୁପୁର ଅରହୁଣୀ ଗଡ଼କୁ ବେଢ଼ି ପକାଇଲେ । ତାହାପରେ ବେଗାପଡ଼, ଅଞ୍ଜିରାଗଡ଼ ଆଉ ମଧୁପୁରଗଡ଼ ଗୋଟାକୁ ଗୋଟା ଢେଙ୍କାନାଳ ପାଇକେ ଜିଣି ଆଣିଲେ । ମଧୁପୁର ରଜାଙ୍କ ଚେତା ବୁଡ଼ିଗଲା । ଡାଳିଯୋଡ଼ିଆ ଡାଳ କୁରାଢ଼ି କାନ୍ଧରେ ପକାଇ ଯେପରି କ୍ଷମା ମାଗିଥିଲେ, ମଧୁପୁର ଲୋକେ ସେପରି ନ କରିବା ଯାଏ କେଭେ ଛାଡ଼ିବା ନାହିଁ ବୋଲି ନୃସିଂହ ନିଜ ପାଇକଙ୍କୁ ହୁକୁମ ଦେଇଥିଲେ । ସତକୁ ସତ ମଧୁପୁର ରଜା ଆସି ନୃସିଂହଙ୍କର ଶରଣ ପଶିଲେ । ନୃସିଂହଙ୍କର ବୀରହୃଦୟ ତରଳିଗଲା । ସେ ମଧୁପୁର ରଜାଙ୍କୁ କ୍ଷମା କଲେ । ବେଗା, ନିହଲପ୍ରସାଦ ଓ ଅଞ୍ଜିରାକୁ ନିଜ ରାଜ୍ୟରେ ମିଶାଇଲେ । ବାକୀ ରାଜ୍ୟ ତାଙ୍କୁ ଫେରାଇଦେଲେ । ବାଟରେ ଆସିବାବେଳେ ନବାବଙ୍କ ଫୌଜଦାର ନୃସିଂହଙ୍କୁ ବହୁତ ପ୍ରଶଂସା କରି ବଧାଇ ଦେଲେ । ଏହାପରେ ନୃସିଂହ ଚଉଷଠିପଡ଼ା ଜିଣି କବାଟବନ୍ଧ ଓ ଗୋଳିମୁହଁପାଟଣାକୁ ଢେଙ୍କାନାଳରେ ମିଶାଇଲେ । ଏ ପର୍ଯ୍ୟନ୍ତ ମୋଗଲବନ୍ଦୀ ଭିତରେ ଏ ଗାଁ ଦି ଖଣ୍ଡି ଢେଙ୍କାନାଳର ଅଛି । ଏ ଲଢ଼େଇରେ ବଳରାମପୁର ରଜା କର ଦେଇଥିବାରୁ ତାଙ୍କୁ ଅଞ୍ଜିରାଗଡ଼ ପୁରସ୍କାର ଦେଇଥିଲେ ।

 

ମହାବୀର ନୃସିଂହ ବିଜୟ ନିଶାଣ ଉଡ଼ାଇ ନିଜ ରାଜ୍ୟକୁ ଫେରି ଆସିଲେ । ବାଟରେ କପିଳାସରେ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁ ଆଉ ପାର୍ବତୀ, ନୃସିଂହଙ୍କୁ ଦର୍ଶନ କଲେ; ବୋଝ ବୋଝ ସୂନିଆଁ ଭେଟି କଲେ । ଓଡ଼ିଶା ଗଜପତି ନବାବଙ୍କ ଲୋକଠାରୁ ଢେଙ୍କାନାଳ ରଜାଙ୍କ ଜୟକାହାଣୀ ଶୁଣି କଅଁରଗୁରୁ ଓକିଲଙ୍କ ସାଥିରେ କେତେ କଉତୁକିଆ ଜିନିଷ ଉପହାର ଦେଇ ପଠାଇଲେ । ସେ ଆସି ନୃସିଂହଙ୍କ ମୁଣ୍ଡରେ ବୀରଶାଢ଼ୀ ବାନ୍ଧିଲେ ।

 

ଏହାପରେ ବୀର ନୃସିଂହ ଅନେକ ଲଢ଼େଇ କରିଥିଲେ । ସୁକିନ୍ଦାର ଖଣ୍ଟକୁଳ ବ୍ରାହ୍ମଣ ଦଳର ମୂଳ ଉପାଡ଼ି ସୁକିନ୍ଦା ରଜାଙ୍କ ସାଥିରେ ଲଢ଼େଇ କରିଥିଲେ । ସୁକିନ୍ଦାରଜା ନିଜର ବାଲିବୋ, ଗରୁଡ଼ବନ୍ଦି, ମୃଦଙ୍ଗ, ମହୁଲପାଳ ଆଦି ଗାଁ ଢେଙ୍କାନାଳକୁ ଛାଡ଼ିଦେଲେ ଆଉ ନୃସିଂହଙ୍କର ଶରଣ ପଶିଲେ । ଏହାପରେ ନୃସିଂହ ତାଳଚେର ରଜାଙ୍କର ସାଆନ୍ତ ଜେନାସାଆନ୍ତଙ୍କୁ ଲଢ଼େଇରେ ଜିଣି ଶିଉଳାଗଡ଼ ଆଣିଲେ । ମଢ଼ି ପାଖରେ ଯେ କାଲୁଣୀ ଠାକୁରାଣୀ ଅଛନ୍ତି ତାଙ୍କୁ ଶିଉଳାଗଡ଼ ଜେନାସାଆନ୍ତେ ପୂଜା କରୁଥିଲେ । ବଡ଼ଦାସୀ, ସାନଦାସୀ, ଝମ୍ପାଣ ବୋଲି ମଢ଼ି ପାଖରେ ଯେଉଁ ତିନୋଟି ପୋଖରୀ ଅଛି, ସେସବୁ ଜେନାସାଆନ୍ତେ ଖୋଳାଇଥିଲେ । ଏହାପରେ ନୃସିଂହ ହିନ୍ଦୋଳ ରଜା ନରହରି ସିଂହଙ୍କୁ ଜିଣି ବଦାଳୁଗାଁ ଆରପଟକୁ ରାଜ୍ୟସୀମା ବଢ଼ାଇ ଦେଇଥିଲେ ।

 

ତୁମେ ଦେଖୁଛ ମହାବୀର ନୃସିଂହ ଏକା ଏ ରାଜ୍ୟକୁ ବଢ଼ାଇ ଶହେ କୋଡ଼ିଏ କୋଶ କରିଛନ୍ତି । ଢେଙ୍କାନାଳ ଓଡ଼ିଶାରେ ତୃତୀୟ ବଡ଼ ରାଜ୍ୟ ଓ ଭାରତର ଗଡ଼ଜାତମାନଙ୍କ ମଧ୍ୟରେ ଏକାଦଶ ସ୍ଥାନ ଆବୋରି ବସିଛି ।

 

ନୃସିଂହ ବଡ଼ ବୀର, ବଡ଼ ଭକ୍ତ, ବଡ଼ ପଣ୍ଡିତ ଆଉ ବଡ଼ କବି ଥିଲେ । ତାଙ୍କ ଯୋଗୁଁ ଢେଙ୍କାନାଳ ଗୋଟିଏ ବଡ଼ ରାଜ୍ୟ ହୋଇ ଏତେ କୀର୍ତ୍ତି କରିପାରିଥିଲା । ବଳରାମ ଦେଉଳକୁ ଚାହିଁଲେ ତୁମେ ଜାଣିପାରିବ, ଢେଙ୍କାନାଳ କାରିଗରମାନେ କିପରି କମ କାମ କରିପାରୁଥିଲେ । ନୃସିଂହ ଯାଉଁଳି ପୋଖରୀ ଖୋଳାଇଥିଲେ–ସେଥିଲାଗି ଯାଉଁଳି ପୋଖରୀକୁ ନୃସିଂହ ସାଗର କହନ୍ତି । ସେ ଧରାଧରପୁର ଶାସନରୁ ବଶିଷ୍ଠଗୋତ୍ରର ପଣ୍ଡିତ ନୃସିଂହ ମହାପାତ୍ରଙ୍କୁ ଡାକି ଆଣି ଶରଦ୍‌ ବାଜପେୟ ଯଜ୍ଞ କରିଥିଲେ । ତାଙ୍କ ଛଡ଼ା ରୁଗ୍‌ବେଦ ପଢ଼ିଥିବା ବ୍ରାହ୍ମଣ ଏଠାରେ ଆଉ କେହି ନ ଥିଲେ । ତାଙ୍କୁ ନୃସିଂହ ଚାଉଳିଆ ଗାଁରେ ଦକ୍ଷିଣା ରୂପେ କିଛି ଜମି ଖଞ୍ଜା କରି ଦେଇଥିଲେ । ତାଙ୍କର ବଂଶର ଲୋକମାନେ ଆଜିକାଲି ବଳଭଦ୍ରପୁର ଶାସନରେ ଅଛନ୍ତି । ଶରଦ୍‌ ବାଜପେୟ ରାଜସୂୟ ଯଜ୍ଞ ପରି ଯଜ୍ଞ ବଡ଼ ରାଜା ନ ହେଲେ କେହି କରିପାରନ୍ତି ନାହିଁ । ନୃସିଂହ ପୁରୁଷୋତ୍ତମ କ୍ଷେତ୍ରରେ ବୈକୁଣ୍ଠକୁ ଗଲେ ।

Image

 

ଭକ୍ତରାଜା

 

ପିଲେ ! ତୁମେମାନେ ମହାବୀର ନୃସିଂହଙ୍କ କଥା ଶୁଣିଲ । କୁଞ୍ଜବିହାରୀ ଭ୍ରମରବର ଥିଲେ ତାଙ୍କ ବଡ଼ ପୁଅ-ରାଜ୍ୟର ଯୁବରାଜ । କୁଞ୍ଜବିହାରୀ ବଡ଼ ଭକ୍ତ, ଭାରି ପଣ୍ଡିତ ଥିଲେ । ସେ ଭାରତର ବହୁତ ତୀର୍ଥ ବୁଲିଥିଲେ । ଆଜିକାଲି ଢେଙ୍କାନାଳ ରାଜବଂଶରେ ଯେଉଁ ବୃନ୍ଦାବନଚନ୍ଦ୍ରଙ୍କ ମୂର୍ତ୍ତି ଇଷ୍ଟଦେବତା ବୋଲି ପୂଜା ପାଉଛନ୍ତି, କୁଞ୍ଜବିହାରୀ ତାଙ୍କୁ କାଶୀ, ପ୍ରୟାଗ, ହିମାଳୟ ଆଦି ତୀର୍ଥଯାତ୍ରାବେଳେ ବୃନ୍ଦାବନରୁ ଆଣି ନିଜ ନଅରରେ ପ୍ରତିଷ୍ଠା କରିଥିଲେ । ସବୁବେଳେ ପ୍ରଭୁଙ୍କର ଧ୍ୟାନ କରିବା, ବୃନ୍ଦାବନଚନ୍ଦ୍ରଙ୍କ ପାଖରେ ବସି ନାମ ନେବାରେ ତାଙ୍କର ଦିନ କଟିଯାଏ । ତାଙ୍କ ରାଜସଭାରେ ବହୁତ ବଡ଼ ବଡ଼ ପଣ୍ଡିତ ଥିଲେ । କେତେ କବି ଥିଲେ । ମଝିରେ ମଝିରେ କୁଞ୍ଜବିହାରୀ ପଣ୍ଡିତ ସଭାରେ ବସି ବହୁତ ଶାସ୍ତ୍ର ଶୁଣୁଥିଲେ; ନିଜେ ବି କିଛି କିଛି ଲେଖୁଥିଲେ । ତାଙ୍କର ନିଜ ରଚିତ କେତେଗୁଡ଼ିଏ ଭାରି ଭଲ ଭଲ ଗୀତ ଥିବା ଖଣ୍ଡିଏ ତାଳପତ୍ର ପୋଥି ଏବେ ମିଳିଛି । ସେ ସବୁ ପଢ଼ିଲେ ତୁମେ ବୁଝିପାରିବ ସେ କିପରି ପଣ୍ଡିତ, କିପରି କବି ଆଉ କିପରି ଭକ୍ତ ଥିଲେ । ସେ କନ୍ତିଓ ମଠରେ ନିଜ ଗୁରୁଙ୍କୁ ରଖାଇ ବହୁତ ଜମିଜମା ଖଞ୍ଜି ଦେଇଥିଲେ । ଆହୁରି ଅନେକ ମଠ ବି ବସାଇଥିଲେ । ସବୁ ଗୁଣରେ ସେ ବାପାଙ୍କର ଉପଯୁକ୍ତ ପୁଅ ଥିଲେ–ମାଛିକୁ ମ’ କହୁ ନଥିଲେ । ରଜାମାନେ ପାରିଧି କରିବାକୁ ସବୁବେଳେ ଭଲ ପାଆନ୍ତି । କୁଞ୍ଜବିହାରୀ କେଭେ ସେଥିରେ ମନ ବଳାଉ ନ ଥିଲେ । ବାଘ, ଭାଲୁ, କେନ୍ଦୁଆ ଆଦି ରାଜ୍ୟ ଭିତରେ ଉତ୍ପାତ କଲେ ସେ ପାଇକମାନଙ୍କୁ ପୁରସ୍କାର ଦେଇ ସେ ସବୁଙ୍କୁ ମରାଇ ଦେଉଥିଲେ । ସାରା ରାଜ୍ୟଭିତରେ ଯେତେ କଣା, କୁଜା, ଛୋଟା, ରୋଗୀ, ଅନାଥ, ବୁଢ଼ା, ପିଲା ବା ସ୍ତ୍ରୀ ଥିଲେ ସେମାନଙ୍କୁ ନିତି ପାଞ୍ଚ କାହାଣ କଉଡ଼ି ନ ବାଣ୍ଟିଲେ ପାଣି ଛୁଉଁ ନ ଥିଲେ । ସେଥିଲାଗି ରାଜ୍ୟର ଖଣ୍ଡକରୁ ଯାହା ମିଳୁଥିଲା ତାକୁ ଅଲଗା କରି ରଖିଦେଉଥିଲେ । ଆଜିକାଲି ରାଜ୍ୟର ସେହି ଖଣ୍ଡକୁ ପାଞ୍ଚକାହାଣିଆ ବିଷ କହୁଛନ୍ତି । ସେ ଶମ୍ଭୁଗୋପାଳଙ୍କର ଦେଉଳଟି ତୋଳାଇଥିଲେ ଆଉ ବଳରାମଙ୍କ ଦେଉଳର ମୁଖଶାଳାଟି କରାଇଥିଲେ । ନିତି ବୃନ୍ଦାବନଚନ୍ଦ୍ର, ବଳଦେବ ଓ ଶମ୍ଭୁଗୋପାଳଙ୍କୁ ଦର୍ଶନ ନ କଲେ ସେ ମଣୋହିରେ ବସୁ ନ ଥିଲେ ।

 

କୁଞ୍ଜବିହାରୀଙ୍କୁ ନିତାନ୍ତ ଭଲ ମଣିଷ ଦେଖି ଆଖପାଖ ରଜାମାନେ ରାଜ୍ୟର ଚାରିପଟେ ଗୋଳମାଳ କରିଥିଲେ । କୁଞ୍ଜବିହାରୀ ଅନୁଗୋଳ ରଜାଙ୍କ ସାଥିରେ ଲଢ଼ାଇ କରିଥିଲେ । ଏହି ଲଢ଼େଇରେ ମଙ୍ଗଳ କାମନା କରିବା ଲାଗି ଦଳେ ବ୍ରାହ୍ମଣଙ୍କୁ ଶ୍ରୀରାମଚଣ୍ଡୀ ଠାକୁରାଣୀଙ୍କ ପାଖରେ ବରଣ କରାଇଥିଲେ । ଦକ୍ଷିଣାରୂପେ ସେମାନଙ୍କୁ କୁଞ୍ଜବିହାରୀପୁର ଶାସନ ଦାନ କରିଥିଲେ । ଏହି ଶାସନକୁ ଆଜିକାଲି ବଡ଼ଧଳପୁର କହୁଛନ୍ତି ।

 

ଆଗ କୁଞ୍ଜବିହାରୀ ଅନୁଗୋଳକୁ ଜିଣ ଖଣ୍ଡେ ରାଜ୍ୟ ଛଡ଼ାଇ ଆଣିଥିଲେ । ସେଥିରେ ଖଡ଼୍ଗ ପ୍ରସାଦଗଡ଼ ବସାଇଥିଲେ । ତିଗିରିଆ ଯୁବରାଜଙ୍କୁ ଢେଙ୍କାନାଳ ପାଇକମାନେ ଲଢ଼େଇରେ ହରାଇ ଲଙ୍ଗଳା ମୁକୁଳା କରି ଛାଡ଼ି ଦେଇଥିଲେ ।

 

ଖୋର୍ଦ୍ଧା ରଜା ଦିବ୍ୟସିଂହ ଦେବ ରଜା ହେବା ସାଥେ ସାଥେ ଢେଙ୍କାନାଳ ସାଥିରେ ଲଢ଼େଇ କରିବାକୁ ନିଜର ପାଟଖଣ୍ଡା ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନସିଂହାସନରେ ଥୋଇ ଦେଇ ପ୍ରଭୁଙ୍କ ପାଖେ ଶରଣ ପଶିଲେ । ରାତିରେ ଜଗନ୍ନାଥେ ସପନରେ କହିଲେ–‘‘ଢେଙ୍କାନାଳ ମୋର ବଡ଼ ଭାଇଙ୍କର ରାଜ୍ୟ; ତୁ ସେଠାକୁ ଗଲେ ଯଶ ପାଇବୁ ନାହିଁ; ହାରିବୁ-ଯାଆନା ।’’ ଏଣୁ ଦିବ୍ୟସିଂହ ଢେଙ୍କାନାଳ ସାଥିରେ ଲଢ଼େଇ କରିବାକୁ ଡରିଲେ–ଅଇଲେ ନାହିଁ ।

 

ପୁଣି ଅନୁଗୋଳ ଜଗଦେବ ଭାରି ଉତ୍ପାତ କଲେ–ଲଢ଼େଇ ଲାଗିଲା । ଏହି ଲଢ଼େଇ ଚାଲିଥିଲା ବେଳେ କୁଞ୍ଜବିହାରୀ ବୈକୁଣ୍ଠକୁ ଚାଲିଗଲେ ।

Image

 

ମହାରାଜ ବ୍ରଜବିହାରୀ

 

ମହାରାଜ ବ୍ରଜବିହାରୀ କୁଞ୍ଜବିହାରୀ ଭ୍ରମରବରଙ୍କ ପୁଅ ଆଉ ମହାବୀର ନୃସିଂହଙ୍କର ନାତି । ତୁମେ ଶୁଣିଚ ଅନୁଗୋଳ ଲଢ଼େଇ ଲାଗିଥାଏ–ତାଙ୍କ ବାପା ମରିଗଲେ । ବ୍ରଜବିହାରୀ ସେତେବେଳକୁ ଯୁବରାଜ । ସେ ଢେଙ୍କାନାଳ ସୈନ୍ୟଦଳର ସେନାପତି ହୋଇ ଅନୁଗୋଳରେ ଲଢ଼ାଇ କରୁଥାଆନ୍ତି ।

 

ତାଙ୍କର ଆଉ ଦୁଇ ଭାଇ ଥିଲେ–ବେଣୁଧର ହରିଶ୍ଚନ୍ଦ୍ର ଆଉ ଘନଶ୍ୟାମ ମତ୍ତଗଜସିଂହ ଖଣ୍ଡାପାତ୍ର । ଘନଶ୍ୟାମଙ୍କୁ ସମସ୍ତେ ଧନୀ ମତ୍ତଗଜ ସିଂହ ବୋଲି ଡାକନ୍ତି । ବେଣୁଧର ହରିଶ୍ଚନ୍ଦ୍ର ବଡ଼ ଧାର୍ମିକ ପୁରୁଷ-ରଜାପୁଅ ହେଲେ ବି ସନ୍ନ୍ୟାସୀ ପରି ତୀର୍ଥବାର୍ଥ କରି ବୁଲନ୍ତି । ବ୍ରଜବିହାରୀ ରଜା ହୋଇ ଧନୀ ମତ୍ତଗଜ ସିଂହଙ୍କୁ ରାଜ୍ୟର ମନ୍ତ୍ରୀ ଆଉ ଖଣ୍ଡାପାତ୍ର ବା ସେନାପତି ଶାଢ଼ୀ ଦେଲେ । ଅନୁଗୋଳ ଲଢ଼େଇରେ ଧନୀ ଖୁବ୍ ଯଶ କରିଥିଲେ । ବାପା ଲଢ଼େଇ ନ ସରୁଣୁ ଚାଲିଗଲେ ଦେଖି ବ୍ରଜବିହାରୀ ବହୁତ କାନ୍ଦିଲେ–ବହୁତ ପାଇକ ଠୁଳ କରି ବାପାଙ୍କ ମାନ ଉଦ୍ଧାରିବାପାଇଁ ଲଢ଼େଇରେ ଭାରି ଲାଗିଗଲେ । ବହୁତ ଦିନ ଲଢ଼େଇ ହେଲା । ପଦ୍ମନାଭ ସିଂହ ଆଉ ଶ୍ରୀଧର ସିଂହ ବୋଲି ଦୁଇଜଣ ବଡ଼ ବୀର ବ୍ରଜବିହାରୀଙ୍କ ସାଥେ ସାଥେ ଥାଆନ୍ତି । ଶେଷକୁ ଅନୁଗୋଳ ଜଗଦ୍ଦେବ ହାରିଯାଇ ଜଙ୍ଗଲ ଭିତରେ ମାଟିତଳେ ଘର କରି ଲୁଚି ରହିଲେ । ଗୋତମରାଗଡ଼, ଦକ୍ଷିଣପଶିଗଡ଼ ଆଉ ବେଟୁଙ୍ଗଗଡ଼ ଅନୁଗୋଳର ଟାଣୁଆ ଟାଣୁଆ ଗଡ଼ ଥିଲା । ତିନି ଗଡ଼ଯାକ ଢେଙ୍କାନାଳରେ ମିଶିଲା । ବିଟଙ୍ଗ ବା ବେଟୁଙ୍ଗ ଗଡ଼କୁ ଆଜିକାଲି ଲୋକେ ବଳରାମ ପ୍ରସାଦ ଗଡ଼ କହୁଛନ୍ତି ବୋଲି ମନେହୁଏ । ଯୋ’ଦିନ ରାଜା ଲଢ଼େଇରୁ ଭୀମନଗରୀ ଗଡ଼କୁ ଜୟ ନିଶାଣ ଉଡ଼ାଇ ବାହୁଡ଼ି ଅଇଲେ; ସେ ଦିନ ସବୁ ପ୍ରଜା, ଦଳବେହେରା, ବେହେରା ପଧାନ, ବ୍ରାହ୍ମଣମାନେ ଆଉ ପାତ୍ରମାନେ ଠୁଳ ହୋଇ ରଜାଙ୍କୁ ସଂସ୍କୃତରେ ଲେଖା ଏକ ଅଭିନନ୍ଦନପତ୍ର ଭେଟିଲେ–ତାହା ସଭାରେ ପଢ଼ା ହେଲା । ତାଙ୍କ ସଭାପଣ୍ଡିତ କବିଚନ୍ଦ୍ର ଗୋବିନ୍ଦ ଦୀକ୍ଷିତେ ଶ୍ଳୋକ ତିଆରି କରି ବୋଇଲେ । କବିଭୂଷଣ ଜଗନ୍ନାଥ ପଟ୍ଟନାୟକେ ପରାକୃତରେ ଚଉପଦୀ ଗାଇଲେ । ରଜା ବ୍ରାହ୍ମଣମାନଙ୍କୁ ବହୁତ ଜମିବାଡ଼ି ଖଞ୍ଜି ଦେଇ ଗାଁ ବସାଇଲେ । ସେ ଗାଁ ନାଁ ହେଲା ବ୍ରଜବିହାରୀ ପୁର; ଆଜିକାଲି ତାକୁ ସାନ ଧଳପୁର କହୁଛନ୍ତି ।

 

ବ୍ରଜବିହାରୀ ବଡ଼ ପଣ୍ଡିତ ବି ଥିଲେ । ସେ ଯେପରି ବୀର ସେପରି ପଣ୍ଡିତ । ତାଙ୍କ ଗାଦିର ସବୁ ଗୁଣ ତାଙ୍କଠାରେ ପୂରି କରିଥିଲା । ନୃସିଂହଙ୍କର ସେ ପ୍ରକୃତ ନାତି ଥିଲେ । ତାଙ୍କ ହାତରେ ବହୁତ ଦାମର ହୀରାବସା ମୁଦିମାନ ଥିଲା । ସେ ବଡ଼ ବଡ଼ ଘୋଡ଼ା ଉପରେ ବସି ଯେଡ଼େ ବେଗେ ଧାଇଁଲେ ବି ଦିହ ହଲୁ ନ ଥିଲା । ତାଙ୍କର ଫଉଜଙ୍କ ଭିତରେ ଘୋଡ଼ାସୁଆର, ହାତୀ, ପାଇକ ସବୁ ଥିଲେ । ପୁଣି ନଈରେ ଶହ ଶହ ଡଙ୍ଗା ଲଢ଼େଇବେଳେ ଚାଲୁଥିଲା ।

 

ସେ ବୃନ୍ଦାବନଚନ୍ଦ୍ରଙ୍କୁ ବଡ଼ ଭକ୍ତି କରୁଥିଲେ । ନିତି ତାଙ୍କର ପୂଜା ନ କଲେ ସେ ପାଣି ଛୁଉଁ ନ ଥିଲେ । ତାଙ୍କ ରାଜ୍ୟ ଭିତରେ ସମସ୍ତେ ଯିମିତି ଧର୍ମ୍ମ ଓ ନ୍ୟାୟ ବାଟରେ ଚାଲିବେ, ସେଥିଲାଗି ସେ କଡ଼ା ନଜର ରଖିଥିଲେ । ତାଙ୍କ ରାଜସଭାରେ ବଡ଼ ବଡ଼ ପଣ୍ଡିତ ଓ କବିମାନେ ଥିଲେ । ନିତି ଶାସ୍ତ୍ରଚର୍ଚ୍ଚା ହଉଥିଲା । କୌତୁକିଆ ପ୍ରଶ୍ନ କରି ତାର ଉତ୍ତରରେ ଶ୍ଳୋକ ଲେଖିବା, ପାଦ ପୂରଣ କରିବା, ସମସ୍ୟା ପୂରଣ କରିବା ଓ ନୂଆ ନୂଆ ବିଷୟ ଚର୍ଚ୍ଚା କରିବା ତାଙ୍କ ରାଜସଭାର କାମ ଥିଲା । ସେ ସମସ୍ତଙ୍କର ଗୁଣ ଚିହ୍ନି ଆଦର କରୁଥିଲେ ।

 

ତାଙ୍କ ସଭାପଣ୍ଡିତ ଗୋବିନ୍ଦ ଦୀକ୍ଷିତେ ତାଙ୍କ ବିଷୟରେ ବହୁତ କଥା ସଂସ୍କୃତରେ ଲେଖି ଯାଇଅଛନ୍ତି । ବ୍ରଜନାଥ ବଡ଼ଯେନାଙ୍କ ଭାଇ ଜଗନ୍ନାଥ ବି ‘ଗୋପୀ-ବିରହ ବୋଲି’ରେ କେତେକ କଥା ଲେଖିଛନ୍ତି ।

 

ତାଙ୍କ ସମୟରେ ବର୍ଗିମାନେ ପ୍ରଥମେ ଝାଡ଼ଖଣ୍ଡକୁ ଅଇଲେ ।

Image

 

ଗୋବିନ୍ଦ ଦୀକ୍ଷିତ

 

ଗୋବିନ୍ଦ ଦୀକ୍ଷିତ ରାଜା ବ୍ରଜବିହାରୀ ଭ୍ରମରବରଙ୍କର ସଭାପଣ୍ଡିତ ଥିଲେ । ତାଙ୍କ ପରି ପଣ୍ଡିତ ସେତେବେଳେ ଓଡ଼ିଶାରେ କେହି ନ ଥିଲେ । ସେ ଯେପରି ପଣ୍ଡିତ, ସେପରି ବଡ଼ କବି ମଧ୍ୟ ଥିଲେ । ସେ ଥିଲେ କର୍ମ୍ମନିଷ୍ଠ ବ୍ରାହ୍ମଣ; ବେଦରେ ଯେତେ ଯେତେ ପ୍ରକାର ଯଜ୍ଞ ଲେଖାଅଛି, ସବୁ ସେ ଭଲ ଭାବରେ କରିପାରୁଥିଲେ । ଧର୍ମଶାସ୍ତ୍ର ସବୁ ସେ ଭଲକରି ପଢ଼ିଥିଲେ ।

 

ନୃସିଂହ ଭ୍ରମରବର ଧରାଧର ପୁରରୁ ଯେଉଁ ନୃସିଂହ ମହାପାତ୍ର ପଣ୍ଡିତଙ୍କୁ ଶରଦ ବାଜପେୟ ଯଜ୍ଞ କରିବା ପାଇଁ ଅଣାଇଥିଲେ, ଗୋବିନ୍ଦ ଦୀକ୍ଷିତେ ଥିଲେ ତାଙ୍କର ନାତି । ସେ ବଶିଷ୍ଠ ଗୋତ୍ରର ରୁଗ୍‌ବେଦୀ ବ୍ରାହ୍ମଣ ଥିଲେ । ଜେଜେବାପାଙ୍କଠାରୁ ସେ କର୍ମ୍ମକାଣ୍ଡର ଗଣ୍ଠି ଗଣ୍ଠି ତଥ୍ୟସବୁ ଭଲଭାବରେ ବୁଝିଥିଲେ । ସେ ଢେଙ୍କାନାଳଗଡ଼ର ମୁକ୍ତାଦେଈପୁର ଶାସନର ବାସିନ୍ଦା-ରଜା ଭୀମନଗରୀରେ ରହିଲାବେଳେ ସେ ବି ସେଠାରେ ରହୁଥିଲେ । ଭୀମନଗରୀରେ ତାଙ୍କର ଗୋଟିଏ ଘର ଥିଲା । ଗଡ଼ ପାଖ ବଳଭଦ୍ରପୁର ଶାସନରେ ମଧ୍ୟ ତାଙ୍କର ଜମିଜମା ଓ ଘର ଥିଲା । ତାଙ୍କ ଉପରେ ଓ ତଳେ ଭାଇ ଭଉଣୀ ମରି ଯାଇଥିବାରୁ ବାପ ମା ତାଙ୍କୁ ଘରେ ଛକଡ଼ି ବୋଲି ଡାକୁଥିଲେ ।

 

ତାଙ୍କର ନିଜ ହାତରେ ଲେଖା କେତେଗୁଡ଼ିଏ ବଡ଼ ବଡ଼ ସଂସ୍କୃତ ତାଳପତ୍ର ପୋଥି ଏବେ ମିଳିଛି । ତାଙ୍କ ନିଜ ରଚିତ କେତେଗୁଡ଼ିଏ ସଂସ୍କୃତ କବିତା ଏହି ପୋଥିମାନଙ୍କରେ ବାହାରିଛି-। ସେଥିଭିତରେ ରଜାଘରର ଇଷ୍ଟଦେବତା ବୃନ୍ଦାବନଚନ୍ଦ୍ରଙ୍କର ଗୋଟିଏ ସ୍ତବ, ରାଜା ବ୍ରଜବିହାରୀଙ୍କର ଗୋଟିଏ ରାଜସ୍ତୁତି ଆଉ ଅନୁଗୋଳ ଯୁଦ୍ଧ ଓ ଭୀମନଗରୀ ଗଡ଼ରେ ଥିଲାବେଳେ ରାଜା ବ୍ରଜବିହାରୀଙ୍କ ଭାଇ ଏବଂ ଆଉ ଆଉ ପାତ୍ରମାନଙ୍କ ବିଷୟରେ ପଚାଶ ଷାଠିଏଟି ସଂସ୍କୃତ ଶ୍ଳୋକ ବି ଅଛି । ସେସବୁ ପଢ଼ିଲେ ତୁମେ ବୁଝିପାରିବ, ସେ କିପରି ପଣ୍ଡିତ ଆଉ କିପରି କବି ଥିଲେ ।

 

ସେସବୁ ପଢ଼ିଲେ ଜଣାଯାଏ, ସେତେବେଳକୁ ବର୍ଗିମାନେ ନୂଆ ନୂଆ ଏ ଦେଶକୁ ଆସୁଥାଆନ୍ତି । ଆସି ଭାରି ଉତ୍ପାତ ବି କରୁଥାଆନ୍ତି । ଗୋବିନ୍ଦ ଦୀକ୍ଷିତେ କେତେ ଶ୍ଳୋକରେ କପିଳାସ, ପାର୍ବତୀ, ଚନ୍ଦ୍ରଶେଖର, ବୃଦ୍ଧେଶ୍ୱର ଓ ନୃସିଂହଙ୍କୁ ବର୍ଗିମାନେ କିପରି ଆମ ରାଜ୍ୟରେ ଉତ୍ପାତ ନ କରନ୍ତୁ ବୋଲି ଜଣାଇଛନ୍ତି । ଥରେ ରାଜାଙ୍କୁ ଭାରି ବାତପିତ୍ତ ଜର ହୋଇଥିଲା । ଦୀକ୍ଷିତେ ଶ୍ରୀ ସିଦ୍ଧ-ବଳରାମ ଓ ରାମଚଣ୍ଡୀ ଠାକୁରାଣୀଙ୍କୁ ରାଜାଙ୍କୁ ରୋଗରୁ ଭଲ କରିଦବାକୁ ସ୍ତୁତି କରିଅଛନ୍ତି । ସେତେବେଳକୁ ଘନଶ୍ୟାମ ଖଣ୍ଡାପାତ୍ରଙ୍କୁ ଭୀମନଗରୀର ସବୁ ଲୋକେ ଭାରି ମାନୁଥାଆନ୍ତି । ସେ ରଜାଙ୍କ ଦରବାରରେ ବହୁତ ଖାତିର ପାଉଥାଆନ୍ତି । ସେ ବ୍ରଜବିହାରୀ ରଜାଙ୍କ ସାନ ଭାଇ ଓ ରାଜକନ୍ୟା ଚିତ୍ରଲେଖା ତାଙ୍କର ଭାର୍ଯ୍ୟା । ବେଣୁଧର ହରିଶ୍ଚନ୍ଦ୍ର ତାଙ୍କର ମଧ୍ୟ ଜଣେ ଭାଇ । ହରିଶ୍ଚନ୍ଦ୍ର ବଡ଼ ଧାର୍ମ୍ମିକ ଥିଲେ ଆଉ ତୀର୍ଥବାର୍ଥ କରି ସବୁଦିନେ ଏଣେତେଣେ ବୁଲୁଥିଲେ । ବ୍ରଜବିହାରୀ ରଜାଙ୍କ ମାଆ ଥିଲେ ବୋଧହୁଏ ସତ୍ୟଭାମା–ସେ ଭକ୍ତରଜା କୁଞ୍ଜବିହାରୀଙ୍କ ରାଣୀ । ସେତେବେଳେ କପିଳାସକୁ ତୀର୍ଥ ବୋଲି ସମସ୍ତେ ଭାରି ଭକ୍ତି କରୁଥିଲେ । ଚନ୍ଦ୍ରଶେଖର, ବୃଦ୍ଧେଶ୍ୱର, ପାର୍ବତୀ ଓ ନୃସିଂହଙ୍କ ଦେଉଳସବୁ ତିଆରି ହୋଇ ସାରିଥିଲା । ବ୍ରଜବିହାରୀ ଅନୁଗୋଳ ଲଢ଼େଇରୁ ବାହୁଡ଼ି ଆସିବା ଦିନ ଯେ ଅଭିନନ୍ଦନପତ୍ର ପଢ଼ା ହୋଇଥିଲା, ତାକୁ ଦୀକ୍ଷିତେ ଲେଖିଥିଲେ ।

 

ଦୀକ୍ଷିତେ ତାଙ୍କ ଜେଜେବାପାଙ୍କ ପରି ରାଜା ବ୍ରଜବିହାରୀଙ୍କର ଗୋଟିଏ ନବଗ୍ରହ ଯଜ୍ଞ କରିଥିଲେ । ସେହି ଯଜ୍ଞର ଦକ୍ଷିଣା ଭାବରେ ସେ ରଜାଙ୍କଠାରୁ କେତେକ ଜମି ଖଞ୍ଜା ପାଇଥିଲେ । ସେଥିରୁ ଶଏ କାହାଣ କଉଡ଼ି ଆମଦାନି ହେଉଥିଲା । ଯଜ୍ଞ ସରିବା ପରେ ଗୋବିନ୍ଦ ମହାପାତ୍ରଙ୍କୁ ଦୀକ୍ଷିତ ଉପାଧି ମିଳିଲା । ଦାମୋଦରଙ୍କୁ ଯେତେବେଳେ ବର୍ଗି ଓ ପଠାଣମାନେ ନଅରରେ ମାରିପକାଇଲେ, ତାଙ୍କ ପୁଅ ଜୟନାରାୟଣ ନବାବଙ୍କ ପାଖୁ ଅରଜି ପଠାଇଥାଆନ୍ତି, ପୃଥ୍ୱୀ ଅରାଜକ ପରି ହୋଇଥାଏ, ସେତେବେଳକୁ ଦୀକ୍ଷିତେ ଭାରି ମନଦୁଃଖରେ ସିଦ୍ଧ-ବଳରାମଙ୍କର ଗୋଟିଏ ସ୍ତୁତି ଲେଖି ନିଜ ବିଷୟରେ ବହୁତ କଥା ଜଣାଇଅଛନ୍ତି । ସେତେବେଳକୁ ସେ ବୁଢ଼ା ଓ କାମ କରିବାକୁ ଅପାରଗ ହୋଇ ପଡ଼ିଥାଆନ୍ତି । ତାଙ୍କର ଭଲ ଘରଦ୍ୱାର, ତୋଟାବାଡ଼ି ବା ବେଶି ଜମିଜମା ନ ଥିଲା; ନିତି ଯାଇ ବଳରାମ ଓ ଜଗନ୍ନାଥଙ୍କୁ ବଡ଼ଦେଉଳରେ ଦର୍ଶନ କରୁଥାଆନ୍ତି-ସମ୍ଭବ ସେତେବେଳେ ସେ ମୁକ୍ତାଦେଈପୁରରେ ଥାଆନ୍ତି ।

 

ଦୀକ୍ଷିତଙ୍କ ରଚନାରୁ ରାଜା ବ୍ରଜବିହାରୀ ଓ ସେକାଳର ଢେଙ୍କାନାଳ ବିଷୟରେ ବହୁତ କଥା ଜଣାଯାଏ । ସେତେବେଳର କିଛି ଇତିହାସ ନାହିଁ । ତାଙ୍କ ରଚନା ନ ଥିଲେ ସେକାଳ ବିଷୟରେ ଆମେ କିଛି ଜାଣିପାରୁ ନ ଥାନ୍ତେ । ଦୀକ୍ଷିତ ଉପାଧି ସାଥିରେ ସେ କବିଚନ୍ଦ୍ର ଉପାଧି ରଜାଙ୍କଠାରୁ ପାଇଥିଲେ ବୋଲି ବୁଝାଯାଏ । ଜଗନ୍ନାଥ କବିଭୂଷଣ ଓ ଗୋବିନ୍ଦ ଦୀକ୍ଷିତ କବିଚନ୍ଦ୍ର ଏକା ରାଜସଭାରେ ଥିଲେ–ଦୁହେଁଯାକ ସାଥୀ । ତାଙ୍କ ରଚନାରୁ ଜଣାଯାଏ, ଭୀମନଗରୀ ଗଡ଼ର ସବୁ ବଡ଼ ବଡ଼ ପାତ୍ରମାନେ ଓ ରାଜକୁଳର ସମସ୍ତେ ଆଉ ପ୍ରଜାମାନେ ତାଙ୍କୁ ବଡ଼ ଭଲ ପାଉଥିଲେ ଓ ଭକ୍ତି କରୁଥିଲେ ।

Image

 

କବି କୃଷ୍ଣଦାସ

 

ଓଡ଼ିଶାର ବଡ଼ ବଡ଼ ପୁରୁଣା କବି କିଏ କିଏ ଜାଣିଚ ? ଶାରଳା ଦାସ, ବଳରାମ ଦାସ ଆଉ ଜଗନ୍ନାଥ ଦାସ ମହାଭାରତ, ରାମାୟଣ ଆଉ ଭାଗବତ ଲେଖିଯାଇଛନ୍ତି । ଏମାନେ ଓଡ଼ିଶାର ଆଦିକବି । ମାରକଣ୍ଡ ଦାସ, ଦନାଇ ଦାସ ଆଦି ବଡ଼ ପୁରୁଣା କବି । ତାଙ୍କ ପଛକୁ ଜୟଦେବ ସଂସ୍କୃତ ଗୀତରେ ଆଉ କୃଷ୍ଣଦାସେ ଓଡ଼ିଆରେ କାବ୍ୟ ଲେଖିବାକୁ ବାଟ ଫିଟାଇଲେ । ଜୟଦେବ ଗୀତଗୋବିନ୍ଦ ଲେଖିଛନ୍ତି । କୃଷ୍ଣଦାସେ ରସକଲ୍ଲୋଳ, ରସବିନୋଦ, ନାମରତ୍ନଗୀତା, ଶହ ଶହ ଚଉତିଶା ଆଉ ଆର୍ତ୍ତତ୍ରାଣ ଜଣାଣ ଲେଖିଛନ୍ତି । ସେ କେଉଁଠି ଥିଲେ ଜାଣ ? ସେ ଢେଙ୍କାନାଳ ରାଜ୍ୟର ଏକଘରିଆ ଗାଁରେ କନକେଶ୍ୱର ଶିବଲିଙ୍ଗଙ୍କୁ ପୂଜା କରି ବ୍ରାହ୍ମୀ ନଦୀ କୂଳରେ ରହିଥିଲେ ।

 

ସେତେବେଳକୁ ହଦଗଡ଼ରେ ବଳରାମ ସାଆନ୍ତ ସିଂହାରେ ରାଜୁତି କରୁଥାଆନ୍ତି । ସାଆନ୍ତ ସିଂହାର ବଂଶ ମହାବୀର ହରିସିଂହଙ୍କ ବଂଶର ଗୋଟାଏ ଶାଖା । ମହାବୀର ହରିସିଂହ କରମୂଳ ପାଟଣାରେ ଗଡ଼ କରି ରହିଥିଲାବେଳେ କରମୂଳର ପଶ୍ଚିମକୁ ପ୍ରାୟ ଆଠ ଦଶ କୋଶ ଦୂରରେ ଏହି ହଦଗଡ଼ ବ୍ରାହ୍ମୀ କୂଳରେ ତିଆରି କରା ହୋଇଥିଲା ବୋଲି ତୁମେ ଆଗରୁ ଶୁଣିଚ । ହରି ସିଂହଙ୍କର କାଳ ହେଲାପରେ କରମୂଳରେ ଜଣେ ଭାଇ ଓ ହଦଗଡ଼ରେ ପୁରୁଷୋତ୍ତମ ବିଦ୍ୟାଧର ରାଜୁତି କଲେ । ହରିସିଂହଙ୍କର ପୁଅ ଲୋକନାଥ ବିଦ୍ୟାଧର ରାୟ ସିଂହ ଭ୍ରମରବର ଢେଙ୍କାନାଳ ଆଉ ଭୀମନଗରୀର ରଜା ହେଲେ । ହଦଗଡ଼ରେ ପୁରୁଷୋତ୍ତମ ବିଦ୍ୟାଧରଙ୍କ ପରେ ନୀଳକଣ୍ଠ ସାଆନ୍ତ ସିଂହାର ଓ ତାଙ୍କ ପୁଅ ସଦାଶିବ ସାଆନ୍ତ ସିଂହାର ପରେ ପରେ ରଜା ହେଲେ । କାଳିଆପାଳ ବା ସଦାଶିପୁର ବ୍ରାହ୍ମଣ ଶାସନରେ ସଦାଶିବ ବହୁତ କୀର୍ତ୍ତି କରିଥିଲେ । ତାଙ୍କ ପରେ ବଳରାମ ସାଆନ୍ତ ସିଂହାରେ ରଜା ହୋଇଥାଆନ୍ତି ।

 

ବଳରାମ କୃଷ୍ଣ ଦାସଙ୍କୁ ଜଲେଶ୍ୱର ବା ପୁରୀରୁ ଅଣାଇ ନିଜ ରାଜ୍ୟରେ ଜାଗା ଦେଇଥିଲେ । ସେତେବେଳେ ବ୍ରାହ୍ମୀର ଉତ୍ତର କୂଳରେ ଥିବା କମଗରାଠାରୁ ତାଳଚେର ସୀମାପର୍ଯ୍ୟନ୍ତ ଢେଙ୍କାନାଳର ପ୍ରାୟ ସବୁ ଜାଗା ହଦଗଡ଼ ତଳେ ଥିଲା । କୃଷ୍ଣ ଦାସଙ୍କୁ ବଳରାମ କିଛି ଜମିଜମା ବୃତ୍ତି ବାଡ଼ି ଖଞ୍ଜି ଦେଇଥିଲେ । କୃଷ୍ଣ ଦାସେ ନିଜ ରଚିତ ରସବିନୋଦ ବହିରେ ତାଙ୍କ କଥା ଲେଖିଛନ୍ତି । ସେ ତାଙ୍କ ବହିମାନଙ୍କରେ ନିଜକୁ ଦୀନ ବା ସାମାନ୍ୟ କୃଷ୍ଣ ଦାସ ବୋଲି ଲେଖିଛନ୍ତି । ସେ ବଡ଼ ଭକ୍ତ ଥିଲେ । ତାଙ୍କ ବହିସବୁ ପଢ଼ିଲେ ତୁମେ ଜାଣିପାରିବ-ସେ କିପରି ଭକ୍ତ, ପଣ୍ଡିତ ଆଉ କବି ।

 

ସେ ଆଜିକି ତିନିଶ ବର୍ଷ ତଳର କଥା । ଦୀନକୃଷ୍ଣ ଦାସଙ୍କ ଗାଁକୁ ଭୀମନଗରୀ ଗଡ଼ ଚାରିକୋଶ ବାଟ । ଦାସେ ବଳରାମ ସାଆନ୍ତ ସିଂହାରଙ୍କୁ ବଡ଼ ପ୍ରଶଂସା କରିଛନ୍ତି । ସେତେବେଳକୁ ପଠାଣମାନେ ଓଡ଼ିଶାରେ ଭାରି ଉତ୍ପାତ କରୁଥାଆନ୍ତି । ସେପରି ଜାଗାରେ ଏପରି ଭଲ ଭଲ କାବ୍ୟ କିପରି ଲେଖା ହୋଇଥାଆନ୍ତା ? ନିଶ୍ଚିନ୍ତ ନିର୍ଜନରେ ଏକଘରିଆ ଗାଁରେ ବସି ଦାସେ ବହି ଲେଖୁଥିଲେ । ଉପେନ୍ଦ୍ରଭଞ୍ଜ କାହାକୁ କବି ବୋଲି ଖାତିର କରି ନାହାନ୍ତି; କିନ୍ତୁ ଜୟଦେବଙ୍କୁ ଆଉ ଦୀନକୃଷ୍ଣ ଦାସଙ୍କୁ ଗୁରୁ ବୋଲି ମାନିଛନ୍ତି । କୃଷ୍ଣ ଦାସେ ବଡ଼ ଭଲ କବି ଥିଲେ । ରସକଲ୍ଲୋଳ ଆଉ ଆରତତ୍ରାଣ ସେ ବୁଢ଼ା ବୟସରେ ଲେଖିଛନ୍ତି । ତାଙ୍କର ବହିସବୁ ପଢ଼ିଲେ ମନପ୍ରାଣ ଖୁସିରେ ନାଚି ଉଠେ; କାନରେ ଅମୃତ ପୂରିଯାଏ । ତାଙ୍କ ଆରତତ୍ରାଣ ଜଣାଣ ପରି ଛୋଟ ସ୍ତବ କୌଣସି ଭାଷାରେ ନାହିଁ–ନୋହିବ ।

 

ଦାସେ ! ତୁମେ ସଂସାରରୁ ଚାଲି ଯାଇଛ; ମାତ୍ର ଆମ ଆଖି ଆଗରେ ହରିନାମ ଗାଇ ନାଚୁଛ ଓ ଜୀଇ ବସିଛ । ଆଉ ଯେ ବଳରାମ ସାଆନ୍ତ ସିଂହାରେ ତୁମର ଆଶ୍ରା ହୋଇ ଅନ୍ନ ଜଳ ଦେଇଥିଲେ, ସେ ବି ତୁମ ସାଥିରେ ଜୀଇ ବସିଛନ୍ତି ।

Image

 

ବର୍ଗି ଆଉ ଢେଙ୍କାନାଳର ସବା ଶେଷ ବଡ଼ ଲଢ଼େଇ

 

ପିଲେ ! ତୁମେ ବର୍ଗିମାନଙ୍କ ନାଁ ଶୁଣିଚ । ବର୍ଗିମାନେ ମରହଟ୍ଟା ଜାତି । ଏମାନେ ଭାରି ନୃଶଂସ । ରାତିରେ ଲୋକେ ଶୋଇଥିଲା ବେଳେ ଆସି ପଶି ଗାଁ ଗଣ୍ଡା ପୋଡ଼ିଦିଅନ୍ତି । ଟଙ୍କା, ଧାନ, ରୂପା, ସୁନା, ଗାଈ, ମଇଁଷି ଯାହା ପାଆନ୍ତି ଧରି ସାନ ସାନ ଘୋଡ଼ାରେ ଚଢ଼ି ପଳାନ୍ତି । ଫାରଶୀ ଭାଷାରେ ‘ବର୍ଗି’ ଅର୍ଥ ଘୋଡ଼ାସୁଆର । ଏମାନେ ପଞ୍ଝା ପଞ୍ଝା ହୋଇ ଲଢ଼େଇ କରନ୍ତି । ଆଗକାଳରେ ମା ମାନେ ବର୍ଗି ନାଁରେ ଗୀତ ଗାଇ ପିଲାଙ୍କୁ ଡରାଇ ଶୋଇପକାନ୍ତି ।

 

ସେ ଦେଢ଼ଶ ଦୁଇଶ ବର୍ଷ ତଳର କଥା । ଦଳେ ବର୍ଗି ଢେଙ୍କାନାଳକୁ ଆସି ବ୍ରଜବିହାରୀ ଭ୍ରମରବରଙ୍କ ପୁଅ ରାଜା ଦାମୋଦର ରାୟସିଂହଙ୍କୁ ନଅରରେ ପଶି ରାତିରେ ମାରି ପକାଇଲେ । ତାଙ୍କ ପୁଅ ଜୟନାରାୟଣ ଭ୍ରମରବର ମୁର୍ଶିଦାବାଦ ନବାବଙ୍କ ଲୋକ ରିଜାଖାଁଙ୍କ ପାଖୁ ନିଜ ଭାଇଙ୍କୁ ଓକିଲ କରି ଅର୍ଜି ଦେଇ ପଠାଇଲେ । କେହି କିଛି ଶୁଣିଲେ ନାହିଁ । ତାଙ୍କ ପରେ ବ୍ରଜବିହାରୀଙ୍କ ସାନ ଭାଇ ଘନଶ୍ୟାମ ମତ୍ତଗଜ ସିଂହ ଖଣ୍ଡାପାତ୍ରଙ୍କ ପୁଅ ମହାବୀର ତ୍ରିଲୋଚନ ରଜା ହେଲେ । ତାଙ୍କ ମାଆ ଥିଲେ ରାଜକନ୍ୟା ଚିତ୍ରଲେଖା ଆଉ ଜେଜେରାଣୀ ସତ୍ୟଭାମା ।

 

ସେତେବେଳକୁ ମରହଟ୍ଟାମାନେ ଓଡ଼ିଶାର ରଜା । ସବୁ ରଜାମାନେ ମରହଟ୍ଟାମାନଙ୍କୁ ପେସକସ୍‌ ବୋଲି କେତେ ଟଙ୍କା କଉଡ଼ି ଦେଉଥାଆନ୍ତି । ସେତେବେଳକୁ ପଇସା ପରି କଉଡ଼ି ଚଳୁଥାଏ; ରୂପା ଟଙ୍କା ବି ଥାଏ । ଢେଙ୍କାନାଳ ଉପରେ ମରହଟ୍ଟାମାନେ ବେଶି ପେସକସ୍‌ ବସାଇଥାଆନ୍ତି । ତ୍ରିଲୋଚନ ଆପତ୍ତି କଲେ, କେହି ଆପତ୍ତି ଶୁଣିଲେ ନାହିଁ । ତାପରେ ତ୍ରିଲୋଚନ ପେସକସ୍‌ ବନ୍ଦ କଲେ । ମରହଟ୍ଟା ସୁବାଦାର ରାଜାରାମ ପଣ୍ଡିତେ କଟକରେ ଥାଆନ୍ତି । ସେ ମଞ୍ଜୁ ଚଉଧୁରୀଙ୍କ ସାଥିରେ ବହୁତ ଫଉଜ ଧରି ଭା’ପୁର ବାଟେ ଢେଙ୍କାନାଳକୁ ଅଇଲେ । ରାଜାରାମ ମନେ କରିଥିଲେ, ରଜାଙ୍କୁ ଡରାଇ ହରାଇ ମାରି ଧରି ପେସକସ୍‌ ନେଇଯିବେ । ରଜା ଏକଥା ଶୁଣିପାରି ଭାପୁର ବାଟକୁ ଢେଙ୍କାନାଳର କେତେକ ପାଇକ ପଠାଇଲେ । ମୋଟରି ଗାଁ ପାଖରେ ମରହଟ୍ଟା ଫଉଜ ଛାଉଣି ପକାଇ ରହିଥିବାର ପାଇକମାନେ ଦେଖିଲେ । ପାଇକଙ୍କୁ ଦେଖି ମରହଟ୍ଟା ଫଉଜ ମିଶି ଆସିବାରୁ ପାଇକମାନେ ତାଙ୍କୁ ବହୁତ ଦଣ୍ଡ ଦେଲେ, ଭାରି ହଇରାଣ କଲେ-। ବହୁତ ମରହଟ୍ଟା ଫଉଜ ମଲେ । ଥୋକେ କଂସା ବାସନ, ରେଜେଇ, ଗାଲିଚା, ମୁଚୁଳି ସାମିଆନା, ଗୋଳା ଗୁଳି ଆଦି ଛାଡ଼ି ଲଙ୍ଗଳା ମୁକୁଳା ହୋଇ ପଳାଇଲେ । ପାଇକମାନେ କୋଶେ ଦିକୋଶ ପଛେ ପଛେ ତଡ଼ିଲେ । ସେମାନେ ଜୀବନବିକଳରେ ବେଗେ ପଳାଇବାରୁ ପାଇକମାନେ କହିଲେ–ଯାଅ, ଏଥର ଛାଡ଼ିଦେଲୁଁ । ଆଉ ଥରେ ଏ ଦିଗକୁ ମୋହିଁଲେ ଜୀବନ ନେବୁଁ ।

 

ରାଜାରାମ କଟକ ପଳାଇଲେ । ଢେଙ୍କାନାଳ ରଜା ଆମ ଫଉଜଙ୍କର ସବୁ ମାଲ ଲୁଟିକରି ନେଲେ ବୋଲି ଚାରିଆଡ଼େ ହୁରି ଉରାଳି କଲେ । ମରହଟ୍ଟା ରଜା ମାଧାଜୀ ଆପଣେ ନାଗପୁରରେ ଥାଆନ୍ତି । ତାଙ୍କ ପାଖୁ ଅରଜି ପଠାଇଲେ,-ଢେଙ୍କାନାଳ ରଜା ପ୍ରବଳ ହୋଇ ଆମ ମରହଟ୍ଟା ରାଜ୍ୟ ସାରା ଓଡ଼ିଶାରୁ ଉଠାଇ ଦେବାକୁ ବସିଛନ୍ତି । ଆପଣ ଆସି ଏ ରାଜ୍ୟ ସମ୍ଭାଳନ୍ତୁ । ଆପଣ ଆସି ଢେଙ୍କାନାଳ ରଜାଙ୍କୁ ଥଣ୍ଡା ନ କରିଦେଲେ ମୁଁ ଆଉ କଟକରେ ରହିବି ନାହିଁ । ସେତେବେଳକୁ ମାଧାଜୀଙ୍କର ଦ୍ୱିତୀୟ ପୁଅ ଚେମ୍‌ଣାଜୀ ବାପୁ ଷାଠିଏ ହଜାର ଘୋଡ଼ା, ହାତୀ, ଫଉଜ ଧରି ବଙ୍ଗଳା ଉପରେ ଚଢ଼ୋଉ କରିବାକୁ ଦଶହରା ଦିନ ଅନୁକୂଳ କରି ବାଟରେ ଆସୁଥାଆନ୍ତି । ରାଜାରାମ ବାଟକୁ ଗଲେ । ତାଙ୍କୁ କହିଲେ,–ବଙ୍ଗଳାକୁ କାହିଁକି ଯିବେ ? ଏବେ ଢେଙ୍କାନାଳ ହେଲାଣି କଲିକତା । ଆସ–ଆଗ ଓଡ଼ିଶା ରାଜ୍ୟ ସମ୍ଭାଳ।

 

ରାଜାରାମ ଆଉ ମଞ୍ଜୁ ଚଉଧୁରୀଙ୍କ କଥାରେ ଚେମ୍‌ଣା ବାପୁ ଷାଠିଏ ହଜାର ଫଉଜ ଧରି ଢେଙ୍କାନାଳକୁ ଅଇଲେ । ନିଦାଘ ଖରାକାଳ, ବାଟରେ ଫଉଜ ଭିତରୁ ବହୁତ ସୈନ୍ୟ ମରିଗଲେ । ଛାଉଣି ଭିତରେ ହଇଜା ହେଲା । ଗାଈ ଗୋରୁ, ଘୋଡ଼ା, ହାତୀ ଚରା ନ ପାଇ ମରିଗଲେ । ସେତେବେଳକୁ ଚାରିଆଡ଼ ବଣ ଜଙ୍ଗଲ । ଲଟା କାଟି କାଟି ବାଟ କରି ଆସୁଥାଆନ୍ତି । ଅବାଟ ବାଟ ହେଲା–ଏତେ ଫଉଜ ପାଣି ପିଉ ପିଉ ପୋଖରୀ ନଈ ଶୁଖିଗଲା । ଗୋଟିଏ ଗୋଟିଏ ଆସୁ ଆସୁ ମାସ ମାସ ହୋଇ ବରଷେ କାଳ କଟିଲା ।

 

ଏଣେ ମହାବୀର ତ୍ରିଲୋଚନ ଗଡ଼ ଚାରିପାଖେ ଜଳି ଖୋଳାଇ ତହିଁରେ ପାଣି ଭର୍ତ୍ତିକରି ରଖିଲେ । ଜଳି ଏଡ଼େ ଗହୀର ହେଲା ଯେ ତା ଭିତରେ ହାତୀ, ଘୋଡ଼ା, ଓଟ ଆଦି ବୁଡ଼ିଯିବେ । ଗଡ଼ଚାରିପାଖେ ଜଳି କାନ୍ଥେ କାନ୍ଥେ ପାଚେରୀ ତିଆରି ହେଲା; ମୁରୁଚା କରି ଭାଡ଼ି ବନ୍ଧାହେଲା । ତା ଉପରେ ମୁଲକ, ମଇଦାନ, ଚଡ଼କ ଆଦି ତୋପସବୁ ଖଞ୍ଜାହେଲା । ଜମ୍ୱୁରା, ସାତହାତିଆ, ପେଟକଟା ନଳି ଆଦି ଯୋଖି ପାଇକମାନେ ଦିନ ରାତି ମୀନପରି ଜଗି ରହିଲେ । ରଜା ଆପେ ଚାରିଆଡ଼େ ବୁଲି ବୁଲି ଦେଖୁଥାଆନ୍ତି ଆଉ ପାଇକମାନଙ୍କୁ ବୁଝାଉଥାଆନ୍ତି । ଭାରି ଲଢ଼େଇ ହେଲା-। ଅଠର ଦିନ କାଳ ଲଢ଼େଇ ଲାଗିଲା । ବହୁତ ମରହଟ୍ଟା ଫଉଜ ମଲେ; ଅଳପ ଥାଆନ୍ତି; ସନ୍ଧି ହେଲା ।

 

ମରହଟ୍ଟାମାନେ ତ୍ରିଲୋଚନଙ୍କୁ ମହୀନ୍ଦ୍ର ବାହାଦୁର ଉପାଧି ଦେଲେ । ଏପର୍ଯ୍ୟନ୍ତ ଢେଙ୍କାନାଳର ସବୁ ରଜା ଏ ଉପାଧି ଘେନୁଛନ୍ତି । ଭାରତରେ ଏକା ପଟିଆଲା ଛଡ଼ା ଏ ଉପାଧି ଆଉ କୋଠେଇଁ ନାହିଁ । ପେସ୍‌କସ୍‌ ଅଧା ଛାଡ଼ ହୋଇଗଲା । ମହାବୀର ତ୍ରିଲୋଚନଙ୍କ ଲାଗି ଓଡ଼ିଶା ବର୍ଗି ଅତ୍ୟାଚାରରୁ ରକ୍ଷା ପାଇଲା । ଏ ଲଢ଼େଇକୁ ଷାଠିଏ ବାଟି ଯୁଦ୍ଧ କହନ୍ତି । ଭାରତର ବଡ଼ଲାଟ ଓ୍ୟାରନ୍‌ ହେଷ୍ଟିଙ୍ଗସ୍‌ ସାହେବ ଏ ଲଢ଼େଇ ସମ୍ୱନ୍ଧରେ କେତେ ଚିଠି ଲେଖିଛନ୍ତି । ତୁମ୍ଭେମାନେ ବଡ଼ ହେଲେ ସେସବୁ ପଢ଼ିବ ।

 

କବି ବ୍ରଜନାଥ ବଡ଼ଯେନା ‘ସମରତରଙ୍ଗ’ ନାମକ କାବ୍ୟରେ ଏ ଲଢ଼େଇ ବର୍ଣ୍ଣନା କରିଛନ୍ତି । ତ୍ରିଲୋଚନଙ୍କ ପରି କ୍ଷେତ୍ରୀମାନଙ୍କୁ ମହାବୀର ବୋଲାଯାଏ । ସାରା ଭାରତର ବାଦସାହଙ୍କ ସାଥିରେ କମର କସି ଲଢ଼େଇ କରିବା କ’ଣ କମ୍‌ ସାହସର କଥା ? ଧନ୍ୟ ବୀରବର ତ୍ରିଲୋଚନ !

Image

 

କବିବର ବ୍ରଜନାଥ ବଡ଼ଯେନା

 

ବ୍ରଜନାଥ ବଡ଼ଯେନା ଓଡ଼ିଶାର ଜଣେ ବଡ଼ କବି । ସେ ବହୁତ ବହି ଲେଖି ଯାଇଅଛନ୍ତି-। ସେଗୁଡ଼ିକ ମଧ୍ୟରେ ଅମ୍ୱିକାବିଳାସ, ସମରତରଙ୍ଗ, ଶ୍ୟାମରାସୋତ୍ସବ, ବିଚକ୍ଷଣା ଆଦି ଗୀତବହି । ଚତୁରବିନୋଦ ବୋଲି ଖଣ୍ଡିଏ ଗପ ବହି ସେ ଗଦ୍ୟରେ ଲେଖିଅଛନ୍ତି । ହିନ୍ଦୀ ଭାଷାରେ ଗୁଣ୍ଡିଚାବିଜେ ବୋଲି ଖଣ୍ଡିଏ କାବ୍ୟ ରଚନା କରିଛନ୍ତି । ସେ ସଂସ୍କୃତରେ ଅନେକ ଶ୍ଳୋକ ଓ ହିନ୍ଦୀ ଭାଷାରେ ବହୁତ ସଙ୍ଗୀତ ବି ଲେଖିଛନ୍ତି । ସେ ବଡ଼ ପଣ୍ଡିତ ଥିଲେ । ଯେଡ଼େ ସେ ପଣ୍ଡିତ ଥିଲେ ତାଠାରୁ ବଡ଼ ଭକ୍ତ ଥିଲେ । ତୁମେ ତାଙ୍କ ବହି ପଢ଼ିଲେ ଦେଖିବ, ସେ କିପରି ଭକ୍ତ, କିପରି ପଣ୍ଡିତ ଆଉ କିପରି କବି । ତାଙ୍କପରି କବି ଓଡ଼ିଶାରେ ବେଶୀ ନାହାନ୍ତି ।

 

ସେ ଢେଙ୍କାନାଳର ଲୋକ । ତାଙ୍କ ଘର କାବେରା ପାଖ ମାଧପୁର । ତା ପାଖକୁ ମହିମାଧର୍ମର ଗାଦି ଯୋରନ୍ଦା ଗାଁ । ଦାର୍ଢ଼୍ୟତାଭକ୍ତିରେ ଯୋ ଭକ୍ତ ରଘୁ ଅରକ୍ଷିତଙ୍କ କଥା ଅଛି, ବ୍ରଜନାଥ ତାଙ୍କ ବଂଶର ଲୋକ । ତାଙ୍କ ବାପା ବାଲୁକେଶ୍ୱର ପଟ୍ଟନାୟକ । ସେ ଜାତିରେ ଶିଷ୍ଟକରଣ । ବ୍ରଜନାଥ ପ୍ରଭୃତି ଚାରି ଭାଇ । ବଡ଼ ଗୋପୀନାଥ ପଟ୍ଟନାୟକ । ସେ ସଂସ୍କୃତରେ ବଡ଼ ପଣ୍ଡିତ ଥିଲେ । କେବଳ ଧାର୍ମିକଭାବରେ ସେ ତାଙ୍କର କାଳ କଟାଇଥିଲେ । ସେ ପୁରୀରେ ମଲେ-। ତାଙ୍କ ପଛକୁ ଜଗନ୍ନାଥ ପଟ୍ଟନାୟକ । ରାଜା ବ୍ରଜବିହାରୀ ଭୀମନଗରୀ ଗଡ଼ରେ ରାଜୁତି କଲାବେଳେ ସେ ତାଙ୍କ ସଭାକବି ଥିଲେ । ସେ ଭଲ ଭଲ କୋଡ଼ିଏ ଖଣ୍ଡି ବହି ଲେଖିଛନ୍ତି । ‘ଗୋପୀ ବିରହବୋଲି’ ସେମାନଙ୍କ ଭିତରେ ଖଣ୍ଡିଏ ଭଲ ବହି । ସେଥିରେ ସେ ନିଜ କଥା କିଛି କିଛି ଲେଖିଛନ୍ତି । ମହାରାଜ ବ୍ରଜବିହାରୀ ତାଙ୍କୁ କବିଭୂଷଣ ଉପାଧି ଦେଇଥିଲେ । ସେ ବ୍ରଜବିହାରୀଙ୍କର ଗୁରୁ ଥିଲେ । ତାଙ୍କ ତଳକୁ ବ୍ରଜନାଥ । ତାଙ୍କର ସବା ସାନଭାଇ ଲୋକନାଥ ପଟ୍ଟନାୟକ; ‘ବସନ୍ତରାସ’ ବୋଲି ଗୋଟିଏ ବଡ଼ ଭଲ ବହି ସେ ଲେଖିଛନ୍ତି । ଏ ସବୁ ବହି ଏପର୍ଯ୍ୟନ୍ତ ଛାପା ହୋଇ ନାହିଁ ।

 

ବ୍ରଜନାଥ କମଗରା ଗାଁରେ ଜନ୍ମ ହୋଇଥିଲେ । ସେତେବେଳକୁ ହଦଗଡ଼ ଥାଏ ଢେଙ୍କାନାଳର ରାଜଧାନୀ । ସେ ଆଜିକି ଦୁଇଶ ବର୍ଷ ତଳର କଥା । ପିଲାଦିନେ ଥରେ ନଈରେ ଗାଧୋଇଲାବେଳେ ବ୍ରଜନାଥଙ୍କ ପାଦରେ ଖଣ୍ଡିଏ ପଥର ବାଜିଲା; ଉପରକୁ ଟେକି ଦେଖିଲେ, ତାହା ଗୋଟିଏ ଦେବୀମୂର୍ତ୍ତି । ତାଙ୍କ ନାଁ ସିଦ୍ଧେଶ୍ୱରୀ ଠାକୁରାଣୀ । ବ୍ରଜନାଥ ତାଙ୍କୁ ନେଇ କମଗରା ରଗଡ଼ ଉପରେ ବସାଇଲେ ଆଉ ବାପାଙ୍କୁ କହି ଗୋଟିଏ ମଣ୍ଡପ ତୋଳାଇ କିଛି ଜମି ଖଞ୍ଜିଦେଲେ-। ପିଲାଦିନୁ ସେ ଦେବତା ପୂଜା କରୁଥିଲେ ଆଉ ପାଠପଢ଼ା ସାଥିରେ ମଝିରେ ମଝିରେ ଗୀତ ବି ଲେଖୁଥିଲେ ।

 

ବ୍ରଜନାଥ ଭଲଭାବରେ ପଢ଼ାପଢ଼ି କରିଥିଲେ । ବଡ଼ ହେଲାବେଳକୁ ସଂସ୍କୃତ, ବଙ୍ଗଳା, ମରଠୀ, ଖୋରଠା, ହିନ୍ଦୀ ଆଉ ଓଡ଼ିଆ ଭାଷାର ସବୁ ପୁରୁଣା ପୁରୁଣା ବଡ଼ ବଡ଼ ବହି ସେ ପଢ଼ି ସାରିଥିଲେ । ସେ ପିଲାଦିନୁ ବହି ଲେଖିବାକୁ ଆରମ୍ଭ କଲେ । ତାଙ୍କ ରଚିତ ବହିର ସଂଖ୍ୟା କୋଡ଼ିଏ କି ବାଇଶି ହେବ । ଓଡ଼ିଆରେ ସେତେବେଳେ କେହି ଗଦ୍ୟ ବହି ଲେଖୁ ନ ଥିଲେ; ଦେଖା କଥାରେ କାବ୍ୟ ଲେଖିବାକୁ କେହି ଇଚ୍ଛା କରୁ ନ ଥିଲେ । ବ୍ରଜନାଥ ଗଦ୍ୟରେ ‘ଚତୁରବିନୋଦ’ କଥା ବହି ଆଉ ଷାଠିଏ ବାଟି ଲଢ଼େଇ ଆଖିରେ ଦେଖି ‘ସମରତରଙ୍ଗ’ ଲେଖି ଆଗ ବାଟ ଫିଟାଇଲେ । ତାଙ୍କ ଲେଖା ବଡ଼ ସହଜ ସରଳ ଆଉ ମଧୁର । ଯେ ତାଙ୍କ ବହି ପଢ଼ୁଛି, ସେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହିଁ ।

 

ବ୍ରଜନାଥ ଓଡ଼ିଶା, ମଧ୍ୟପ୍ରଦେଶ ଆଉ ଦକ୍ଷିଣର ସବୁ ରଜାମାନଙ୍କର ରାଜ୍ୟକୁ ଯାଇ ରାଜସଭାମାନଙ୍କରେ ପୁରାଣ ଶାସ୍ତ୍ର ବିଚାର କରୁଥିଲେ । ତାଙ୍କ ଜ୍ଞାନ ଦେଖି ବଡ଼ ବଡ଼ ପଣ୍ଡିତମାନେ କାବା ହୋଇ ତାଙ୍କ ପାଖରେ ମୁଣ୍ଡ ଲୁଆଉଁଥିଲେ । ସେ ଯୁଆଡ଼େ ଯାଉଥିଲେ, ରାନ୍ଧୁଣିଆ ବ୍ରାହ୍ମଣ, ବାରିକ, ସାଥି, ଶିଳ ଶିଳପୁଆ ପର୍ଯ୍ୟନ୍ତ ନେଇ ଯାଉଥିଲେ । ସବୁ ରଜାମାନଙ୍କୁ ବାଁ ହାତରେ ମଜୁରା କରୁଥିଲେ; କହୁଥିଲେ ଖାଇଲି ହାତ ଢେଙ୍କାନାଳ ରଜାଙ୍କର, ବାଁ ହାତ ଆଉ ଆଉ ରଜାମାନଙ୍କର ।

 

ସେ ଚେମ୍ଣାଜୀ ବାପୁଙ୍କ ଆଗରେ ‘ସମରତରଙ୍ଗ’ ଗାଇ ଶୁଣାଇଥିଲେ । ସେଥିରେ ତାଙ୍କର ନିନ୍ଦା ଥିଲା । ଚେମ୍ଣାଜୀ ଆଗ ଆଗ ବହି ଶୁଣି ଖୁସି ହୋଇଗଲେ; ପଛକୁ ନିନ୍ଦା ଶୁଣି ବହିଖଣ୍ଡ ଫୋପାଡ଼ି ଦେଲେ; କିନ୍ତୁ ବ୍ରଜନାଥ ଡରିଲେ ନାହିଁ । ସେ କହିଲେ, ‘‘ତୁମେ ବାଦସା ହେଲେ କ’ଣ ହେବ ? ମୁଁ ସତ ଲେଖିଛି ।’’

 

‘ସମରତରଙ୍ଗ’ ଶୁଣି ମହାବୀର ତ୍ରିଲୋଚନ ତାଙ୍କୁ ଅପଙ୍ଗା ବିଷର ନୂଆ ଗାଁ ଖଣ୍ଡି ପାନପିକରେ ଦେଇ ବର୍ଷକୁ ଛଅଶ ଟଙ୍କା ଖଞ୍ଜା କରିଦେଲେ; ସାଥେ ସାଥେ ଦୁଇଶ ଟଙ୍କା ଆଉ ପାଟ ଶାଲ ପୁରସ୍କାର ଦେଲେ । ଏପରି ରଜାମାନଙ୍କୁ କହନ୍ତି ଗୁଣଗ୍ରାହୀ । ଧନ୍ୟ ତ୍ରିଲୋଚନ ! ଧନ୍ୟ ବଡ଼ଯେନାଏ !

 

ବଡ଼ଯେନା ଭାରି ସୁନ୍ଦର ସୁନ୍ଦର ସରୁ ସରୁ ଅକ୍ଷର ଆଉ କମ କମ ଚିତ୍ର ତାଳପତ୍ରରେ ଆଙ୍କି ପାରୁଥିଲେ । ତାଙ୍କ ପୁଅ ଈଶ୍ୱର ପଟ୍ଟନାୟକ ଆଉ ନାତି ଭୁବନେଶ୍ୱର ବି ତାଙ୍କୁ ସରୁ ଅକ୍ଷର ଚିତ୍ରରେ ବଳି ଯାଇଥିଲେ । ପୁରୀ ଗଲାବେଳେ ଥରେ ବଡ଼ଯେନା ପୁଅ ଈଶ୍ୱରଙ୍କୁ ସାଥିରେ ନେଇ ଯାଇଥିଲେ । ଗଜପତିଙ୍କର ପାଟକରଣ ପୁରୀ ବଡ଼ ଦେଉଳ ମୁକ୍ତିମଣ୍ଡପରେ ବସି ମାଦଳା ଲେଖୁଥାଆନ୍ତି । ତାଙ୍କ ଲେଖନରେ ଖଣ୍ଡେ ପାଟକନାର ପତାକା ଉଡ଼ୁଥାଏ । ଈଶ୍ୱର ପିଲା । ବ୍ରଜନାଥ ମୁକ୍ତିମଣ୍ଡପ ଉପରେ ପାଟକରଣଙ୍କ ପାଖରେ ବସିଥିଲାବେଳେ ଈଶ୍ୱର ପଚାରିଲେ, ‘ବାପା ! ତାଙ୍କ ଲେଖନରେ ପାଟପତକା କିଆଁ ଉଡ଼ୁଛି ?’ ପାଟକରଣ ଚଶମା ଭିତରୁ ପିଲାଆଡ଼କୁ ମୁହଁ ଟେକି ନିରେଖି ଚାହିଁଲେ । ବ୍ରଜନାଥ କହିଲେ, ‘ସେ ସମସ୍ତଙ୍କ ଠୋଉଁ ଭଲ ଲେଖୁଥିବାରୁ ତାଙ୍କ ଲେଖନରେ ପାଟ ପତକା ଉଡ଼ୁଛି ।’ ଈଶ୍ୱର କହିଲେ, ‘ଆଉ କଅଣ କେହି ସେପରି ଲେଖିପାରିବେ ନାହିଁ ?’ ବ୍ରଜନାଥ ଜିଭ କାମୁଡ଼ି ପକାଇଲେ । ପାଟକରଣ ତର ତର ହୋଇ ଲେଖନ ଆଉ ତାଳପତ୍ର ଖେଦା ଥୋଇଦେଇ ଈଶ୍ୱରଙ୍କୁ କହିଲେ, ‘ଲେଖିଲ ଦେଖି ? କିପରି ଲେଖୁଛ ।’ ଈଶ୍ୱର ପଚାରିଲେ, ‘କେଉଁଠାରେ ଲେଖିବି ?’ ପାଟକରଣ କହିଲେ, ‘ଯୋଠେଇ ଇଛା’ । ଈଶ୍ୱର କହିଲେ, ‘ତୁମ ଅକ୍ଷର ଭିତରେ ଅକ୍ଷର ଧାଡ଼ି ଧାଡ଼ି ଲେଖିଯିବି-ଅଥଚ ମୋ ଅକ୍ଷର ବିରୋଳ ପଢ଼ିହେବ !’ ଲେଖନ ଆଉ ଖେଦା ଧରି ତାଙ୍କ ଅକ୍ଷର ଧାଡ଼ି ଭିତରେ ଧାଡ଼ି ଧାଡ଼ି ଅକ୍ଷର ବାଇଗଣମଞ୍ଜି ପରି ଲେଖିଗଲେ । ପାଟକରଣ ନିଜ ମୁଣ୍ଡ ପଗଡ଼ି ଫିଟାଇ ଈଶ୍ୱରଙ୍କ ମଥାରେ ବାନ୍ଧିବାକୁ ଗଲାରୁ ବ୍ରଜନାଥ କହିଲେ, ‘ଥାଉ ! ଥାଉ ! ତାକେ ବଡ଼ା ପୃଥ୍ୱୀ, ପିଲାଟିକୁ ଆଶୀର୍ବାଦ କରନ୍ତୁ–ଶାଢ଼ୀ ବାନ୍ଧୁଛନ୍ତି କଅଣ ?’ ଏ ଗପରୁ ବୁଝିପାରୁଛ, ତାଙ୍କ ବଉଁଶଯାକ କିପରି ଗୁଣବନ୍ତ ଥିଲେ ।

 

ଥରେ ବଡ଼ଯେନା କେଉଁଝର ରଜାଙ୍କ ପାଖୁ ଯାଇଥିଲେ । ବିଦାକୀ ଯାହା ପାଇଲେ ସେଥିରେ ତାଙ୍କ ମନ ମାନିଲା ନାହିଁ । ରଜା ବି ବଡ଼ଯେନାଙ୍କୁ ଲାଜରେ ଦେଖାଦେଲେ ନାହିଁ । ବଡ଼ଯେନା ତାଙ୍କ ବଡ଼ଦେଉଳ ପାଖରେ ଅନୁସରଣରେ ଚାହିଁଥିଲେ । ରଜା ଦେବାର୍ଚ୍ଚନକୁ ବିଜେ ହେଲାରୁ ମୁହେଁ ମୁହେଁ ପଦେ ଗୀତ ରଚନା କରି ଗାଇପକାଇଲେ–‘‘କେନ୍ଦୁଟାକର ଝରି–ସେଥିରେ ପିଇଲେ ବାରି-ତୃଷା କି ହୁଅଇ ହରି ?’’ ରଜା ଭାରି ଲାଜରେ କହିଲେ, ‘ବଡ଼ଯେନାଏ ! କଅଣ ଚାହୁଁଛ କି ?’ ବଡ଼ଯେନା କହିଲେ, ‘କଡ଼ାଏ କଉଡ଼ି ବାଣ ଦି ଗୁଣ କରି ଦେବେ ।’ ରଜା କହିଲେ, ‘କଅଣ ! ଆମେ କେଉଁଝର ଭଞ୍ଜେ ! ଆମକୁ କଡ଼ାଏ କଉଡ଼ି ମାଗି ଅପମାନ ଦଉଛନ୍ତି ?’ ବଡ଼ଯେନା କହିଲେ, ‘ହଜୁର ! ପାତ୍ର ତ ଗହଣରେ ଅଛନ୍ତି, ତାଙ୍କୁ ପଚାରନ୍ତୁ ।’ ପାତ୍ର ହିସାବ କରି କହିଲେ, ବାଣ ଦିଗୁଣ କରି କଡ଼ାଏ କଉଡ଼ି ବଡ଼ଯେନାଙ୍କୁ ବର୍ଷକ ପାଇଁ ଖଞ୍ଜିଦେଲେ ସାରା କେଉଁଝର ରାଜ୍ୟର ଆୟ ବର୍ଷକୁ ପାଇବ ନାହିଁ । ଏଥିରୁ ତୁମେ ଜାଣିପାରିବ, ବଡ଼ଯେନାଏ କିପରି ଚତୁର ନିର୍ଭୀକ ଆଉ ଗଣିତଜ୍ଞ ଥିଲେ ।

 

ବଡ଼ଯେନାଏ ପୁରୀରେ ବୈକୁଣ୍ଠକୁ ଗଲେ । ତାଙ୍କ ସାଥିରେ ପୁଅ ଈଶ୍ୱର ପଟ୍ଟନାୟକ ଥିଲେ । ତାଙ୍କ ଭାର୍ଯ୍ୟା କମଗରାରେ ଥିଲେ । ତାଙ୍କ ମୃତ ଶରୀର ବଳଦଗାଡ଼ିରେ ଢେଙ୍କାନାଳ ଅଣାହେଲା । ତାଙ୍କ ସ୍ତ୍ରୀ ସତୀ ଗଲେ । ତାଙ୍କ ବୋହୂ ପଚାରିଲେ, ‘ତୁମେ ତ ସତୀ ଯାଉଚ, ତୁମର ସନ୍ତକ କଅଣ ?’ ବଡ଼ଯେନାଙ୍କ ସ୍ତ୍ରୀ କହିଲେ, ‘ଅଁଳେଇ ଫୁଲ ମାଳ’ । ସେ ମୁଣ୍ଡରେ ସଜ ମାଳଟିଏ ସେଦିନ ଲଗାଇଥାଆନ୍ତି । ସତକୁ ସତ ଦେଖାଗଲା, ତାଙ୍କ ଶରୀର ନିଆଁରେ ଭସ୍ମ ହୋଇଗଲା; କିନ୍ତୁ ଅଁଳେଇ ଫୁଲମାଳଟି ସେହିପରି ସଜ ସଜ ନିଆଁରେ ଥାଏ । କିପରି ସାଧ୍ୱୀ ନାରୀ ! କି ବିଚିତ୍ର ନିଷ୍ଠା !

Image

 

ପଣ୍ଡିତ ନୃସିଂହ ମହାପାତ୍ର

 

ପଣ୍ଡିତ ନୃସିଂହ ମହାପାତ୍ରଙ୍କ ଘର ଧରାଧରପୁର ଶାସନ । ଧରାଧର ମହାପାତ୍ର କାନ୍ୟକୁବ୍ଜର ଜଣେ ବଡ଼ ତାନ୍ତ୍ରିକ ବ୍ରାହ୍ମଣ ପଣ୍ଡିତ । ଉତ୍ତର ଭାରତରେ ଗଙ୍ଗାକୂଳରେ କାନ୍ୟକୁବ୍ଜ ଗୋଟିଏ ବଡ଼ ପଣ୍ଡିତ ବ୍ରାହ୍ମଣସ୍ଥଳୀ । ତ୍ରିକଳିଙ୍ଗଛତ୍ରପତି ମହାରାଜ ଯଯାତିକେଶରୀ ତାଙ୍କୁ କାନ୍ୟକୁବ୍ଜରୁ ଉତ୍କଳକୁ ଅଣାଇଥିଲେ । ବେଦର ସବୁ କର୍ମ୍ମକାଣ୍ଡ ସେ ଭଲରୂପେ ଜାଣିଥିଲେ ଆଉ ତନ୍ତ୍ରବିଦ୍ୟାରେ ବଡ଼ ପାରଗ ଥିଲେ । ବାଟରେ ଧରାଧର ଆସୁଥାଆନ୍ତି; ଦିନେ ଅଧରାତି ବେଳେ ଗୋଟିଏ ଶ୍ମଶାନରେ ବଡ଼ ନିଆଁ ତାଙ୍କୁ ଦେଖାଗଲା । ସେ ତ ମନ୍ତ୍ର ଯନ୍ତ୍ର ଜାଣନ୍ତି, ପାଖକୁ ଯାଇ ଦେଖିଲେ ଯେ, ସେଟା ପ୍ରକୃତ ନିଆଁ ନୁହେଁ । ନିଜେ ଠାକୁରାଣୀ ଉଭା ହୋଇଛନ୍ତି, ତାଙ୍କ ମୁଣ୍ଡ ମେଘକୁ ଲାଗିଛି ଆଉ ତାଙ୍କ ଦିହର ଆଲୁଅ ନିଆଁ ପରି ଜଳି ବଣ ଜଙ୍ଗଲ ଆଲୁଅ କରିଦଉଚି । ଦେବୀଙ୍କର ଦଶ ହାତରେ ଶଙ୍ଖ ଚକ୍ର ଧନୁଶର ଖଣ୍ଡା ଅଙ୍କୁଶ ଆଦି ଅଛି ଏବଂ ଦଶ ଦିଗକୁ ଆଲୁଅ କରୁଚି । ମୁଣ୍ଡର ମୁକୁଳା ବାଳ ମେଘପରି ଭୂଇଁକୁ ଲମ୍ୱିଛି, ଜିଭ ଲହ ଲହ ହଉଚି । ଦେବୀ ‘ଦିଅ’ ‘ଦିଅ’ କହି ନାଚୁଛନ୍ତି । ଜଣେ ବ୍ରାହ୍ମଣ ଗୋଟାଏ ମଡ଼ା ଉପରେ ଆଖି ବୁଜି ପଦ୍ମଆସନରେ ବସିଛନ୍ତି-। ତାଙ୍କ ଦିହ ହଲୁ ନାହିଁ । ଚେତା ବୁଡ଼ିଗଲା ପରି ବୋଧ ହଉଚି–ଆଖି ଖୋସି ଦେଇଛନ୍ତି-ପାଟିରୁ ପଦାକୁ ଜିଭ ବାହାରି ପଡ଼ିଲାଣି । ଆଗରେ ପୂଜାର ବହୁତ ବହୁତ ଜିନିଷ ଥୁଆ ହୋଇଛି ।

 

ଧରାଧର ଧାଇଁ ଯାଇ ମଡ଼ା ଉପରୁ ବ୍ରାହ୍ମଣକୁ ପେଲି ଦେଇ ନିଜେ ବସିଗଲେ ଆଉ ଷୋହଳ ଉପଚାରରେ ପୂଜା କଲେ । ଠାକୁରାଣୀ ବଡ଼ ଖୁସି ହୋଇ କହିଲେ, ‘କଅଣ ଇଚ୍ଛା ?’ ଧରାଧର ଚାରୋଟି କଥା ମାଗିଲେ– (୧) ମୋହର ବଂଶ ଚିରକାଳ ରହିବ । (୨) ମୋହ ବଂଶରେ ସଂସ୍କୃତ ବିଦ୍ୟା ଲୋପ ହେବ ନାହିଁ । (୩) ମୋହର ବଂଶର ଲୋକେ ଭକ୍ତ ହେବେ ଆଉ କୀର୍ତ୍ତି ଅର୍ଜିବେ । (୪) ମୋହର ବଂଶ ପୃଥିବୀରେ ବଡ଼ ବୋଲି ଗଣା ହେବ । ଦେବୀ ‘ଅସ୍ତୁ’ ବୋଲି କହି ଅନ୍ତର୍ଦ୍ଧାନ ହୋଇଗଲେ ।

 

ଧରାଧର ଓଡ଼ିଶାକୁ ଆସି ଯଯାତିଙ୍କର ବଡ଼ ବଡ଼ ଯଜ୍ଞ କଲେ । ରଜା ତାଙ୍କୁ ବହୁତ ଜମିବାଡ଼ି ଗାଁ ଗଣ୍ଡା ଦାନ କଲେ । ଧରାଧରଙ୍କୁ ଲୋକେ ଜୈମିନି ଋଷିଙ୍କର ଅବାତାର କହୁଥିଲେ । ସେ ଯୋଉଁ ଶାସନ ବସାଇଛନ୍ତି, ତାର ନାଁ ଧରାଧରପୁର । ତାଙ୍କ ଘର ଦୁଆରେ କଂସା କବାଟ ଲାଗିଥିଲା । ବର୍ଗି ଉତ୍ପାତବେଳେ ଗାଁର ଚାରିପଟେ ଗହୀରିଆ ଜଳି ଖୋଳା ହେଲା । ଏବକାଳ ପର୍ଯ୍ୟନ୍ତ ସେ ଶାସନ କଟକ ଜିଲାରେ ଅଛି, ଆଉ ଧରାଧରଙ୍କର ବଂଶର ଲୋକେ ତହିଁରେ ଅଛନ୍ତି-

 

ନୃସିଂହ ମହାପାତ୍ରେ ତାଙ୍କର ବଂଶର ଲୋକ । ନୃସିଂହ ଭ୍ରମରବର ‘ଶରଦ୍‌ ବାଜପେୟ’ ନାମକ ଯଜ୍ଞ କରିବାକୁ ତାଙ୍କୁ ଓ ତାଙ୍କ ବାପା ଲକ୍ଷ୍ମୀଧର ମହାପାତ୍ରଙ୍କୁ ଦୂତ ପଠାଇ ଆଣିଲେ । ସେ ଭଲଭାବରେ ଯଜ୍ଞ କଲେ । ନୃସିଂହ ଭ୍ରମରବର ତାଙ୍କୁ ବହୁତ ଜମିବାଡ଼ି, ଘରଦ୍ୱାର ଖଞ୍ଜିଦେଲେ ।

 

ନୃସିଂହ ଭ୍ରମରବରଙ୍କର କାଳ ହୋଇଗଲା । ତାଙ୍କ ପୁଅ କୁଞ୍ଜବିହାରୀ ଆଉ ନାତି ବ୍ରଜବିହାରୀ ବି ଗଲେ । ଦାମୋଦର ଭ୍ରମରବର ହେଲେ ରଜା । କଳକଳା-ଜେମାଙ୍କ ସାଥିରେ ଦାମୋଦରଙ୍କ ମଙ୍ଗଳକୃତ୍ୟ ହେବାର କଥା ହେଲା । କିନ୍ତୁ ପରେ ତାହା ଭାଙ୍ଗିଗଲା ।

 

କଳକଳାର କେତେ ଖଣ୍ଡ ଗାଁର ଲୋକଙ୍କ ସାଥିରେ ଢେଙ୍କାନାଳର ସେହି ପଟ ଲୋକଙ୍କର ଆଗରୁ କଳି ଲାଗିଥିଲା । ଢେଙ୍କାନାଳ ଲୋକେ କଳକଳା ଲୋକଙ୍କର ଗାଈ ମଇଁଷି ପିଟି ଆଣିଲେ । କଳକଳା ଲୋକେ ଆସି ଢେଙ୍କାନାଳ ଲୋକଙ୍କର କେତେଖଣ୍ଡ ଗାଁରେ ନିଆଁ ଲଗାଇଦେଲେ । ସେକଥା, ଆସି ଢେଙ୍କାନାଳ ଲୋକେ ଦାମୋଦରଙ୍କ ଛାମୁରେ ଗୁହାରି କଲେ । ବିଭା ସମ୍ୱନ୍ଧ ତ ଆଗରୁ ଭାଙ୍ଗି ଯାଇଥିଲା–ଦାମୋଦର ଭାବିଲେ, କଳକଳା ରଜା ସେଥିଲାଗି ଦାଉ ସାଧୁଛନ୍ତି । ଦାମୋଦର ବହୁତ ଫଉଜ ସଜ କରି କଳକଳା ସାଥିରେ ଲଢ଼ାଇ କରିବାକୁ ବାହାରିଗଲେ । କଳକଳା ସାନ ରାଜ୍ୟଟିଏ । ଦାମୋଦରଙ୍କର ଅଗଣନ୍ତି ଫଉଜ ଯାଇ ଗାଁ ଗଣ୍ଡା ପୋଡ଼ି ଧ୍ୱସ୍ତ କରି ଗଡ଼ଉପରେ ଚଢ଼ୋଉ କଲେ; ଆଉସବୁ ଥଳେଇଦେଲେ । କଳକଳାର ବହୁତ ଲୋକ ମଲେ । ଲଢ଼େଇରେ ଜିଣି ଜୟବାନା ଉଡ଼ାଇ ଦାମୋଦର ଭାରି ମନ ଉଲ୍ଲାସରେ ଢେଙ୍କାନାଳ ଗଡ଼କୁ ବାହୁଡ଼ି ଅଇଲେ ।

 

ଲୋକେ କଥାବାର୍ତ୍ତା ହେଲେ, କଳକଳା ରଜା ବୁଢ଼ା–ତାଙ୍କର କିଛି ଦୋଷ ନ ଥିଲା । ଲୋକଗୁଡ଼ାକ ଆପଣା ଆପଣିରେ କଳି ଲଗାଇଦେଲେ । କଳକଳା ରଜା ଭାରି ଅସନ୍ତୁଷ୍ଟ ହେଲେ-। ସତକୁ ସତ କଳକଳାରୁ ବାହୁଡ଼ିଲା ଦିନୁଁ ରଜା ଆଜି ଜର, କାଲି ମୁଣ୍ଡବଥା ଏପରି ପଡ଼ି ରହିଲେ ।

 

ଦିନେ ଦାମୋଦର ଅସୁସ୍ଥ ଅଛନ୍ତି–ନଅରରେ ପାତ୍ର, ମନ୍ତ୍ରୀ, କବି, ପଣ୍ଡିତ ସମସ୍ତେ ବସିଛନ୍ତି-ବୁଢ଼ା ପଣ୍ଡିତ ନୃସିଂହ ମହାପାତ୍ରେ ବି ବସିଛନ୍ତି । କଥା ହଉ ହଉ ପଣ୍ଡିତ ନୃସିଂହ କହିଲେ–‘ଦେଉ ! କଳକଳାକୁ ଯେ ମାରିବା ହେଲ ଏଟା ଭଲ ହେଲା ନାହିଁ । ଲୋକେ ନିନ୍ଦା କରୁଛନ୍ତି । ସେ କନ୍ୟା ଦବାକୁ କହୁଥିଲେ-ଏଣୁକରି ଗୁରୁବର୍ଗ-ତାଙ୍କୁ ଅସନ୍ତୋଷ କରିବା ଭଲ ହେଲା ନାହିଁ ।’

 

ରଜାଙ୍କ ଶ୍ରୀ ଅଙ୍ଗ ତ ଭଲ ନ ଥିଲା–ସେ ବୁଢ଼ାଙ୍କ ଠୋଉଁ ଏ କଥା ଶୁଣି ଚିଡ଼ିଗଲେ । ପାଖଲୋକେ ବି କେହି କେହି ଟିହାଇଦେଲେ । ରଜା ପାଇକସରଦାରଙ୍କୁ ଆଜ୍ଞା କଲେ-ବୁଢ଼ାକୁ ବନ୍ଦୀଖାନାରେ ରଖ । ଲୋକେ ନୃସିଂହ ପଣ୍ଡିତଙ୍କୁ ବନ୍ଦୀଶାଳାକୁ ନେଇଗଲେ । ନୃସିଂହ ବଡ଼ ମନଦୁଃଖରେ ବନ୍ଦୀଶାଳାରେ ରହିଲେ-

 

ସେତେବେଳକୁ ବଳରାମଙ୍କ ପାଖରେ ବନ୍ଦୀଶାଳା ଥାଏ । ନୃସିଂହଙ୍କର ଇଷ୍ଟଦେବତା ଶ୍ରୀ ଲକ୍ଷ୍ମୀନୃସିଂହ । ଦିନେ ପାହାନ୍ତି ବେଳେ ନୃସିଂହ ମୁହେଁ ମୁହେଁ ଶ୍ଳୋକ ଦୁଇଟି ରଚନା କରି ବଡ଼ପାଟିରେ ବୋଇଲେ । କାନ୍ଦି କାନ୍ଦି ନୃସିଂହ ମହାପ୍ରଭୁଙ୍କୁ କହିଲେ–

 

‘‘ଯେତେବେଳେ ଶହ ଶହ ରଜାଙ୍କ ଆଗରେ ରାଜସଭା ମଝିରେ ରାଜା ଦୁର୍ଯ୍ୟୋଧନ ଧନମଦରେ ଅନ୍ଧ ହୋଇ ଅନ୍ତଃପୁର ଭିତରୁ ପାଣ୍ଡବକୁଳର ପାଟରାଣୀ ଦ୍ରୌପଦୀଙ୍କର କେଶ ଧରି ଟାଣିନେଲା ଆଉ ଅପମାନ ଦବାକୁ ପିନ୍ଧିଥିବା ଲୁଗା ଫିଟାଇଲା, ହେ ଅନନ୍ତ ମୂର୍ତ୍ତି ! ଲକ୍ଷ୍ମୀନୃସିଂହ ! ସେହି ଅସହାୟା ଦ୍ରୌପଦୀଙ୍କୁ କୋଟି ଲୁଗା ଦାନ କରି ତୁମେ ଲଜ୍ଜାସମୁଦ୍ରରୁ ପାରି କରିଥିଲ । ଆଜି ଶହ ଶହ ପ୍ରାଣିଙ୍କୁ ଯେ ପୋଷି କୋଟି କୋଟି ଲୋକଙ୍କର ଦୁଃଖ ବେଦନା କାଢ଼ି ନେଉଛନ୍ତି, ସେହି ଢେଙ୍କାନାଳ ଇନ୍ଦ୍ର ମହାରାଜ ଦାମୋଦର ମୋ ଉପରେ ଚିଡ଼ିଯାଇ ମୋତେ ବନ୍ଦୀଶାଳାରେ ରଖିଛନ୍ତି-। ମୁଁ ତାଙ୍କ ବଂଶର ଶରଦ୍‌ ବାଜପେୟ ଯଜ୍ଞ କରିଥିଲି । ଏହି ଯାତନାସମୁଦ୍ରରେ ପଡ଼ି ମୁଁ ଛଟପଟ ହଉଚି–ମୋତେ ବେଗେ ଉଦ୍ଧାରକର ।’’

 

ପାହାନ୍ତି ପହର । ରଜା ଘର ପାଖରେ । ରଜା ପହଡ଼ରୁ ଉଠିଲାବେଳକୁ ସେ ଶ୍ଳୋକ ଦୁଇଟି ରଜାଙ୍କ କାନରେ ପଡ଼ିଲା । କିଏ ଶ୍ଳୋକ ବୋଲୁଛି ବୋଲି ସେ ସିପାହିମାନଙ୍କୁ ବୁଝିବାକୁ କହିଲେ । ଲୋକେ ଓରଶୋର ବୁଝି ନୃସିଂହ ପଣ୍ଡିତେ ଗୀତ ବୋଲିଥିଲେ ବୋଲି ଜାଣିପାରି ତାଙ୍କୁ ରଜାଙ୍କ ଛାମୁକୁ ନେଇଗଲେ । ରଜା ସାଥେ ସାଥେ ପାଟ ଶାଲ ଦୋଶାଲ ସୁନାକୁଣ୍ଡଳ ଆଉ ଟଙ୍କାଗୁଡ଼ିଏ ଦେଇ ପଣ୍ଡିତଙ୍କୁ ବନ୍ଦୀଶାଳାରୁ ମୁକୁଳାଇଦେଲେ ।

 

ମାସେ ଦିମାସେ ପରେ ବର୍ଗି ଆଉ ପଠାଣମାନେ ଦିନେ ରାତି ଅଧରେ ନଅରରେ ପଶି ଦାମୋଦରଙ୍କୁ ମାରି ପକାଇଲେ । ସେଥିଲାଗି ଜଣେ ଗାଇଛନ୍ତି–

 

କରନ୍ତେ ରାଜ୍ୟ ବର୍ଷେ ଛମାସ-ମିଆଁ ମାର୍ଜନ କଲା ବିନାଶ ।

ଲୁଟି ନେଲା ସେ ତାଙ୍କ ଉଆସ-ବଡ଼ ପାମର ସେ ।

Image

 

ମହାରାଜ ଭଗୀରଥ

 

ମହାରାଜ ଭଗୀରଥଙ୍କୁ ସମସ୍ତେ ବୁଢ଼ାରଜା ବୋଲି କହନ୍ତି । କେବଳ ନିଜ ରାଜ୍ୟରେ ନୁହେ-ସବୁଠେଇଁ ଲୋକେ ତାଙ୍କୁ ଆପଣାର ଜଣେ ବୋଲି କହନ୍ତି । ସେ ଦଲାଲ ଗାଁରେ ହରିସିଂହ ବିଦ୍ୟାଧରଙ୍କ ବଂଶରେ ସାଆନ୍ତ କୁଳରେ ଜନ୍ମ ହୋଇଥିଲେ । ତାଙ୍କ ବାପା ନିତ୍ୟାନନ୍ଦ ଶ୍ରୀଚନ୍ଦନ ଆଉ ଜେଜେବାପା ପରଶୁରାମ ଶ୍ରୀଚନ୍ଦନ । ଶ୍ୟାମସୁନ୍ଦର ମହୀନ୍ଦ୍ର ବାହାଦୁରଙ୍କ ବିଧବା ପାଟମହାଦେଈ କୁନ୍ଦନଦେଈ ତାଙ୍କୁ ପୋଷିଆଁ ପୁଅ କରି ଆଣିଲେ । ସେତେବେଳକୁ ଶ୍ୟାମସୁନ୍ଦରଙ୍କ ପୂର୍ବ ରଜା କୃଷ୍ଣଚନ୍ଦ୍ରଙ୍କ ରାଣୀ ପୀତବାସ ପ୍ରିୟା ଜୀଇଥାଆନ୍ତି । ଦି ରାଣୀ କଳି କଲେ । ଶେଷକୁ ଇଂରାଜ ସରକାର କୁନ୍ଦନଦେଈଙ୍କୁ ପୁଅ କରିବାକୁ କହିଲେ ।

 

ଭଗୀରଥ ଯେ ଏଡ଼େ ବଡ଼ ରାଜା ହେବେ, ତାହା ପିଲାଦିନୁ ଜଣା ପଡ଼ିଥିଲା । କଥାରେ କହନ୍ତି, ‘ତୁଳସୀ ଦି’ପତ୍ରରୁ ବାସେ–ବିଛୁଆତି ଦି’ପତ୍ରରୁ କୁଣ୍ଡେଇ ହୁଏ ।’ ତାଙ୍କ କାଳରେ ଯୋ’ମାନେ ବଡ଼ ବଡ଼ ପଣ୍ଡିତ ଆଉ ବୀର ଥିଲେ, ସେମାନେ ତାଙ୍କୁ ପାଠ ପଢ଼ାଇଲେ ଆଉ କ୍ଷେତ୍ରିବିଦ୍ୟା ଶିଖାଇଲେ । ଖଡ୍‍ଗପ୍ରସାଦ ଗାଁ ଗଡ଼ନାୟକ ସାଧୁ ଇନ୍ଦ୍ରଜିତ, ବଳରାମପୁରର କେଶରୀ ସିଂହ ଆଉ କଟକ ଡିହସାହିର ଷଣ୍‌ମୁଖ ସିଂହ ତାଙ୍କୁ କ୍ଷେତ୍ରିବିଦ୍ୟା ଶିଖାଉଥିଲେ । ଗୋବିନ୍ଦ ବଡ଼ପଣ୍ଡା ପ୍ରଥମେ ସଂସ୍କୃତ ଭାଷାରେ ତାଙ୍କୁ ବ୍ୟାକରଣ, ସାହିତ୍ୟ ଆଉ ପୁରୀ ଜଗନ୍ନାଥ ବିଦ୍ୟାଧର ପୁର (ପିଳିପିଳା) ବାସିନ୍ଦା ମୃତ୍ୟୁଞ୍ଜୟ ତର୍କପଞ୍ଚାନନ ନ୍ୟାୟ ଆଉ ଦର୍ଶନଶାସ୍ତ୍ର ପଢ଼ାଇଥିଲେ । ତର୍କପଞ୍ଚାନନଙ୍କୁ ଲୋକେ ଜୟି ପଞ୍ଚାନ୍ନ କହନ୍ତି । ଢେଙ୍କାନାଳର ପୁରୁଣା ମେନେଜର ବନମାଳୀ ବାବୁଙ୍କ ବଡ଼ଭାଇ ଦାମୋଦର ସୁରେନ୍ଦ୍ର ସିଂହ ତାଙ୍କ ପାଖରେ କଟକ ଟୋଲରେ ନ୍ୟାୟ ଏବଂ ଦର୍ଶନମାନ ପଢ଼ୁଥିଲେ-। ସେତେବେଳେ ସମସ୍ତେ ବନାରସ (କାଶୀ) ଆଉ ପୁନାରେ ବି ଦାମୋଦରଙ୍କୁ ଓଡ଼ିଶାର ବଡ଼ ପଣ୍ଡିତ କହୁଥିଲେ (‘ଉତ୍କଳେ ଦାମୋଦରଃ’) । ପଞ୍ଚାନନଙ୍କର କଟକ ଟୋଲଟି କେତେ ଦିନ ପରେ ଉଠିଯିବାରୁ ଦାମୋଦର ନିଜ ଗୁରୁଙ୍କୁ ରାଜା ଭଗୀରଥଙ୍କ ସହିତ ଚିହ୍ନା କରାଇଦେଲେ ଆଉ ଢେଙ୍କାନାଳରେ ଟୋଲଟିଏ କରି ସେଥିରେ ପଣ୍ଡିତଙ୍କୁ ରଖିବାକୁ କହିଲେ । ସେତେବେଳକୁ ସୁରେନ୍ଦ୍ର ସିଂହଙ୍କ ସାଥିରେ ଭଗୀରଥି ନ୍ୟାୟଶାସ୍ତ୍ରର ଅନେକ ପଢ଼ି ଯାଇଥଇଲେ । ସିଂହଙ୍କ କଥାରେ ରାଜି ହୋଇ ଭଗୀରଥ ପଞ୍ଚାନନଙ୍କୁ ପଣ୍ଡିତ ରଖି ଟୋଲ ବସାଇଲେ । ଓଡ଼ିଶାର ସେକାଳର ସବୁ ବଡ଼ ବଡ଼ ପଣ୍ଡିତ ଏହି ଟୋଲରେ ପଢ଼ିଥିଲେ ।

 

ଭଗୀରଥ ଏଡ଼େ ପଣ୍ଡିତ ହୋଇଗଲେ ଯେ, କାଶୀ, ପ୍ରୟାଗ, ପୁନା, ବୋମ୍ୱାଇ ଆଉ ନଦିଆ ପ୍ରଭୃତି ଅଞ୍ଚଳରୁ ପଣ୍ଡିତମାନେ ଆସି ପାଠରେ ଭଗୀରଥଙ୍କ ପାଖରେ ହାରି ଯାଉଥିଲେ । ସେ ଓଡ଼ିଆ ଛାନ୍ଦ ବହିସବୁ ଭଲ କରି ପଢ଼ିଥିଲେ ଆଉ ସବୁବେଳେ ବୋଲୁଥିଲେ ।

 

ସେ ଏପରି ନଳି ଯୋଖିପାରୁଥିଲେ ଯେ, ଉଡ଼ନ୍ତା ଚଡ଼େଇ ଆଉ ଧାଉଁଥିବା ମିରିଗ ଏକା ଗୁଳିକେ ତଳେ ପଡ଼ି ଯାଉଥିଲେ । ସେ ତାଙ୍କ ଜୀବନରେ ତିନିଶ ପଚାଶ ମହାବଳ ବାଘ ମାରିଥିଲେ । ସେ କିପରି ବାଟୁଳିଖଡ଼ା ଅଭ୍ୟାସ କରିଥିଲେ, ଗୋଟିଏ କଥା କହିଲେ ତୁମେମାନେ ଜାଣିପାରିବ ।

 

ଥରେ ଭଗୀରଥ ଖଡ୍‍ଗପ୍ରସାଦ ଗାଁ ତଳେ ଡଙ୍ଗାରେ ଯାଉଥାଆନ୍ତି; ସାଙ୍ଗରେ ବଛା ବଛା ଲାଖ ବିନ୍ଧିବା ଲୋକ କେତେଜଣ ଥାଆନ୍ତି । ସମସ୍ତଙ୍କୁ ରଜା କହିଲେ–‘‘ବାଟୁଳି ବିନ୍ଧିଲ ଦେଖି, ଯେପରି ମାଠିଆ କଣା ହୋଇଯିବ ମାତ୍ର ପାଣି ବୋହିବ ନାହିଁ ।’’ ସମସ୍ତେ କହିଲେ, ‘‘ଦେଉ ! ଇମିତି ଅନାଗତ କଥା କିମିତି କହୁଛନ୍ତି ?’’

 

ଭଗୀରଥ ଗୁଡ଼ିଏ ମାଟିବଳା ଶୁଖିଲା ବାଟୁଳି ପାଖରେ ରଖିଥାଆନ୍ତି । ଗୁଡ଼ିଏ କଞ୍ଚା ମାଟିବାଟୁଳି ଡଙ୍ଗାରେ ବଳୁଥାଆନ୍ତି । ଗୋଟିଏ ଝିଅ ନଈରୁ ଦି’ମାଠିଆ ପାଣି ମୁଣ୍ଡରେ ଆଉ କାଖରେ ନେଇ ନଈ ଉପରକୁ ଉଠୁଥାଏ । ଭଗୀରଥ ଆଗ ଶୁଖିଲା ବାଟୁଳିଟିଏ ମାରି ତା ମୁଣ୍ଡରେ ଥିବା ମାଠିଆରେ କଣାଟିଏ କରି ଦେଲେ; ପରେ କଞ୍ଚା ବାଟୁଳିଟିଏ ମାରିଦେଲେ ଯେ, ଠିକ୍‌ ସେ କଣାରେ ଯାଇ ଲାଖିଗଲା । ସେ ଝିଅଟି ଏ କଥା କିଛି ଜାଣିପାରିଲା ନାହିଁ । ଗୋଟିଏ ଗୋଟିଏ ଘରକୁ ଚାଲିଗଲା । ଲୋକେ ରଜାଙ୍କର ଏ ବିଚିତ୍ର ଲାଖ ଦେଖି କାବା ହୋଇଗଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଯେତେବେଳେ ଦେଶର ଚାରିଆଡ଼େ ଖାଇବାକୁ ପିଇବାକୁ ନ ପାଇ ବାଟ, ଘାଟ, ଗାଁ, ଗଡ଼, ସହର, ବଜାରରେ ପଡ଼ି ଶହ ଶହ ହଜାର ହଜାର ଲୋକ ମରିଗଲେ, ମହାରାଜ ଭଗୀରଥ ପାଣିସୁଅ ପରି ଟଙ୍କା ଇଂରାଜୀ ସରକାରଙ୍କୁ ଲୋକମାନଙ୍କ ଭିତରେ ବାଣ୍ଟିଦେବାପାଇଁ ଦେଇଦେଲେ । ହଜାର ହଜାର ଭରଣ ଧାନ ଚାଉଳ ରାଜ୍ୟରୁ ପଠାଇଦେଲେ । ଢେଙ୍କାନାଳରେ ଶହ ଶହ ବ୍ରାହ୍ମଣ ରଖି ଭରଣ ଭରଣ ଚାଉଳର ଭାତ ରନ୍ଧାଇ ଯେତେ ଲୋକ ଆସନ୍ତି, ତାଙ୍କୁ ଖାଇବାକୁ ଦେଲେ । ବହୁତ ଲୋକ ପଳାଇ ଆସି ଢେଙ୍କାନାଳରେ ରହିବାକୁ କହିବାରୁ ସେମାନଙ୍କୁ ଡିହ ବାଡ଼ି ଜମା ଦେଇ ରଖାଇଲେ । ପ୍ରଜାମାନଙ୍କୁ କହିଲେ, ଯେତେ ଲୋକ ଆସିବେ ସମସ୍ତଙ୍କୁ ଆମର ଜାଗା ଦିଅ । କେବଳ ଭଗୀରଥଙ୍କ ଯୋଗୁଁ ବହୁତ ଲୋକ ଯମମୁହଁରୁ ରକ୍ଷା ପାଇଗଲେ । ନ ହେଲେ ଆହୁରି କଅଣ ହୋଇ ଯାଇଥାଆନ୍ତା କହିହେବ ନାହିଁ ।

 

ଭଗୀରଥଙ୍କ ଆଗରୁ ରାଜ୍ୟରେ ଜମିଜମାର ବନ୍ଦୋବସ୍ତ ହୋଇ ନ ଥିଲା । ଭଗୀରଥ ଆଗ ବନ୍ଦୋବସ୍ତ କଲେ । କେତେ ବ୍ରାହ୍ମଣ ଶାସନମାନ ବସାଇ ବ୍ରାହ୍ମଣମାନଙ୍କୁ ଲାଖରାଜୀ ଜମି ବିନା ଖଜଣାର ଛାଡ଼ିଦେଲେ । ରାଜ୍ୟରେ ନୂଆ ଡାକଘର ବସାଇଲେ । ଗଡ଼ରେ ଗୋଟିଏ ଇଂରାଜୀ ମାଇନର ସ୍କୁଲ କଲେ । ସେହି ସ୍କୁଲ ଏବେ ହାଇସ୍କୁଲ ହୋଇ ଓଡ଼ିଶା ମଧ୍ୟରେ ବଡ଼ ବଡ଼ ସ୍କୁଲମାନଙ୍କ ମଧ୍ୟରେ ଗୋଟିଏ ବୋଲି ଗଣା ହୋଇ ଆସୁଅଛି । ରାଜ୍ୟର ସବୁ ଗାଁରେ ଚାହାଳୀମାନ ବସାଇଲେ । ରେଭେନ୍‌ସା କଲେଜ କଟକରେ ବସିବା ଲାଗି ସରକାରଙ୍କୁ ବହୁତ ଟଙ୍କା ଦେଲେ ଆଉ କଲେଜରେ କେତୋଟା ବୃତ୍ତି ଖଞ୍ଜି ଦେଲେ ।

 

ଓଡ଼ିଶାରେ ସେତେବେଳେ ଛାପାଖାନା କି ଖବରକାଗଜ ନ ଥିଲା । ବହୁତ ଟଙ୍କା ଦେଇ କଟକର ପ୍ରିଣ୍ଟିଂକମ୍ପାନୀ ଛାପାଖାନା ବସିବାର ସୁବିଧା କରିଦେଲେ । ସେହି ଛାପାଖାନାରୁ ‘ଉତ୍କଳଦୀପିକା’ ବୋଲି ଖବରକାଗଜ ବାହାରିଲା । ପୁରୁଣା ପୁରୁଣା ତାଳପତ୍ର ପୋଥିରୁ ଭଞ୍ଜ, ସାମନ୍ତସିଂହାର, କୃଷ୍ଣଦାସ ଆଉ ଜଗନ୍ନାଥ ଦାସ ଆଦି ଓଡ଼ିଶାର ମହାକବିମାନଙ୍କର ଛାନ୍ଦବହି ଆଉ ଆଉ କବିମାନଙ୍କର ସଂସ୍କୃତ ବହିମାନ ଓଡ଼ିଆ ଅକ୍ଷରରେ ଛାପା ହେଲା ।

 

ହଣ୍ଟର ସାହେବ ସବୁ ଗଡ଼ଜାତମାନଙ୍କ ବିଷୟରେ ଧାଡ଼ିଏ ଦିଧାଡ଼ି ତାଙ୍କ ଲେଖା ଇତିହାସରେ ଲେଖିଛନ୍ତି; ଢେଙ୍କାନାଳ ଲାଗି ଦଶ ପନ୍ଦର ପତ୍ର ଲେଖିଛନ୍ତି । ମହାରାଜ ଭଗୀରଥଙ୍କର ବହୁତ କଥା ପ୍ରଶଂସା କରିଛନ୍ତି । ସେ କହନ୍ତି, ମୟୂରଭଞ୍ଜ ଓଡ଼ିଶାରେ ଗଡ଼ଜାତମାନଙ୍କରେ ବଡ଼; କିନ୍ତୁ ଢେଙ୍କାନାଳ ସମସ୍ତଙ୍କ ଠାରୁ ସଭ୍ୟ ରାଜ୍ୟ ।
 

ଲେଫ୍‌ଟନେଣ୍ଟ ଲରି ସାହେବ ଢେଙ୍କାନାଳବାଟେ ଅନୁଗୋଳ ଗଲାବେଳେ କହିଛନ୍ତି–‘‘ଢେଙ୍କାନାଳ ଭାରି ସୁନ୍ଦର ରାଜ୍ୟ- ପେରୁଦେଶ ପରି । ଏ ରାଜ୍ୟର ରଜା ରାଜ୍ୟ ଖୁବ୍‌ ଭଲ ଭାବରେ ଚଳାନ୍ତି ।’’ ଭଗୀରଥଙ୍କ ଭଲ ବୁଝାମଣା ଚାରିଆଡ଼େ ବ୍ୟାପିଗଲା । ବଡ଼ ବଡ଼ ମକଦ୍ଦମା ସବୁ କେହି ବୁଝି ନ ପାରିଲେ ଭାରତସରକାର ଭଗୀରଥଙ୍କୁ ବୁଝିଦବାକୁ କହନ୍ତି । ସରକାରଙ୍କର ଶହ ଶହ ଚିଠିରେ ଭଗୀରଥଙ୍କ ଟେକ ଅଛି; ବଡ଼ ହେଲେ ତୁମେମାନେ ସେ ସବୁ ପଢ଼ିବ । ସରକାର ତାଙ୍କୁ ମହାରାଜା ବାହାଦୁର ଉପାଧି ଦେଇଥିଲେ ।

 

ବୁଢ଼ାରଜାଙ୍କ କାଳରେ ଜୁଆଙ୍ଗ (ପାତୁଆ)ମାନେ ଲୁଗା ପିନ୍ଧୁ ନ ଥିଲେ । ଲୁଗା ପିନ୍ଧିଲେ ବାଘ ଖାଇଯିବ ବୋଲି କହୁଥିଲେ । ଭଗୀରଥ ଶହ ଶହ ହଜାର ହଜାର ଲୁଗା କିଣି ପାତୁଆଙ୍କୁ ବୁଝାଇ ବୁଝାଇ ଦେଲେ । ଜଙ୍ଗଲ କାଟି ଜମି କଲେ ଖଜଣା ନେବେ ନାହିଁ ବୋଲି କହିଲେ । ଏବେ ଜୁଆଙ୍ଗେ ଲୁଗା ପିନ୍ଧୁଛନ୍ତି ଆଉ ଚାଷ ବାସ କରି ଗାଁମାନ ବସାଇ ଘର କରି ରହିଛନ୍ତି ।

 

ତାଙ୍କର କିଛି ଆଡ଼ମ୍ବର ନ ଥିଲା । ସେ ଧୋତି ଖଣ୍ଡିଏ, କୁରୁତା ଖଣ୍ଡିଏ, କେତେବେଳେ ଘୋଡ଼େଇ ହେଲା ଖଣ୍ଡିଏ ଦେହରେ ପକାଇ ବାହାରୁଥିଲେ । ସେ ପଞ୍ଚହତା ମରଦ ଥିଲେ । ବୀରପଣିଆରେ କେହି ତାଙ୍କୁ ଜିତି ନାହିଁ । ପଣ୍ଡିତପଣିଆ କଥାମାନ ତ ଶୁଣିଛ । ସେ ଦାନ୍ତ ଘଷିଲାବେଳେ, ହାତମାଟି କଲାବେଳେ, ମୋକଦ୍ଦମାମାନ ବାଟ ଘାଟରେ ବୁଝିଦିଅନ୍ତି । ଷୋଳଜଣ ଆପଟରେ ଭିଡ଼ାହେବା ସବାରିଗୋଟିକରେ ଯିବା ଆସିବା କରନ୍ତି । ବଡ଼ ନଳିଟି ସବୁବେଳେ ସାଥିରେ ଥାଏ । ବାଟରେ ଶ୍ଳୋକ ବୋଲନ୍ତି, ପାଠ ଶାସ୍ତ୍ର ଅର୍ଥ କରନ୍ତି ।

 

ଥରେ ମୁକ୍ତାଦେଈ ପୁର ଶାସନର ଜଣେ ବ୍ରାହ୍ମଣ ଭାଇବିବାଦ ମୋକଦ୍ଦମା କରିଥିଲେ । ତାଙ୍କର ଅନ୍ୟାୟ ଥିବାରୁ ଭଗୀରଥ ତାଙ୍କ ଭାଇଙ୍କୁ ଡିଗ୍ରୀ ଦେଲେ । ସେଠୋଉ ସେ ବ୍ରାହ୍ମଣ ଦିନ ଦି’ପହରେ ନିଜ ପିନ୍ଧା ଲୁଗା ଚିରି ଦୋକାନରୁ ତେଲ କିଣି ଗୋଟାଏ ବାଡ଼ିରେ ମସାଲ କରି ଜାଳି ଜାଳି ସଡ଼କେ ସଡ଼କେ ‘‘ଦିନ ଅନ୍ଧାର ହୋଇଗଲା’’ ‘‘ଦିନ ଅନ୍ଧାର ହୋଇଗଲା”–ଡାକି ଡାକି ଆସୁଥାଆନ୍ତି । ଆଉ ମଧ୍ୟ କହୁଥାଆନ୍ତି–‘‘ଇଏ ସାଆନ୍ତଘର ପୁଅ-ଇଏ ଆଉ କି ବିଚାର କରନ୍ତେ ?’’ ତହୁଁ ପାଖଲୋକ ଯାଇ ଏକଥା ରଜାଙ୍କୁ ମିଶେଇ ଗୋଳେଇ କହିଲେ । ରଜା କହିଲେ–‘‘ସେ ତ ସତ କହିଛନ୍ତି । ଆମ୍ଭେ ସାଆନ୍ତଘର ପୁଅ । ସେଥିରେ ଚିଡ଼ିବା କାହିଁକି ?’’ ତହୁଁ ମିଶ୍ରଙ୍କୁ ଡକାଇ ଯେତେବେଳେ ମିଠା ମିଠା କଥାରେ ତାଙ୍କ ଅନ୍ୟାୟ ସବୁ କଥା ବୁଝାଇଦେଲେ ମିଶ୍ରେ ଭାରି ଲାଜରେ ମୁହଁ ତଳକୁ ପୋତିଲେ ।

 

ଧନ୍ୟ ଭଗୀରଥ ! ଧନ୍ୟ ତୁମ୍ଭର ଉଦାରତା ! ବାମଣ୍ଡା ରାଜା ସାର୍‌ ସୁଢ଼ଳଦେବ କେ, ସି, ଆଇ, ଇ, ଭଗୀରଥଙ୍କୁ ଦେଖିବାକୁ ଅନେକ ଦିନରୁ ଚିଠିପତ୍ର ଲେଖୁଥିଲେ । ବାମଣ୍ଡାରୁ ଆସି ଯେଉଁଦିନ ସେ ଢେଙ୍କାନାଳର ଭା’ପୁରରେ ପହଞ୍ଚିଲେ ଭଗୀରଥଙ୍କର ସେଦିନ ଶ୍ରୀଅଙ୍ଗ ସୁଖ ନ ଥାଏ । ତା’ଆର ଦିନ ସକାଳୁ ଦେଖା ହବାର କଥା । ହଠାତ୍‌ ସକାଳୁ ଭା’ପୁରରେ ଖବର ପହଞ୍ଚିଲା, ଭଗୀରଥ ରାତି ଅଧରେ ବୈକୁଣ୍ଠକୁ ଚାଲିଯାଇଛନ୍ତି ।

 

ମହାରାଜ ସୁଢ଼ଳଦେବ କହିଲେ, ‘ତାଙ୍କପରି ରାଜଋଷିଙ୍କୁ ମୋ ପାପଚକ୍ଷୁ କିପରି ଦେଖିଥାଆନ୍ତା ?’ ଏଥିରୁ ସେବକାଳ ରଜାମାନେ ତାଙ୍କୁ କିପରି ମାନୁଥିଲେ ବୁଝିପାରିବ ।

 

ଭଗୀରଥ କେବଳ ବଡ଼ ରଜା ନୁହନ୍ତି; ମଣିଷମାନଙ୍କ ମଧ୍ୟରେ ଗୋଟିଏ ବଡ଼ ଅବତାର-

Image

 

ଢେଙ୍କା ଶବର

 

ପିଲେ ! ଢେଙ୍କାନାଳ ନାଁ କିପରି ହେଲା ଶୁଣିଚ ? ହମିଲ୍‌ଟନ୍‌ ସାହେବ ଢେଙ୍କାନାଳ ନାଁ ଆଗେ ‘ଦକ୍ଷିଣାଳୟ’ ବା ‘ଦକ୍ଷିଣପଟ ଘର’ ଥିଲା ବୋଲି କହନ୍ତି । ମୁଁ କହିବି ତୁମକୁ ଢେଙ୍କାନାଳ ନାଁ ବିଷୟରେ ଗୋଟିଏ ପୁରୁଣା ଗପ ।

 

ଆଜିକାଲି ଯୋଠେଇ ଗଡ଼ ଅଛି ସେଇଠେଇ ଆଗେ ଢେଙ୍କା ନାଁରେ ଜଣେ ଶଅର ରଜା ଗଡ଼ଟିଏ କରି କୋଶେ ଭୂଇଁରେ ରାଜୁତି କରୁଥାଏ । ଗୁଡ଼ିଆନାଳି, କଣ୍ଟାନାଳି, ଘୁମୁରାନାଳି ଆଦି ଢେଙ୍କାନାଳିକୁ ଲାଗିକରି ଥାଏ । ଆଜିଯାଏ ବି ଅଛି । ଡାକ୍ତରଖାନା ପାଖରେ ଯୋ ବ୍ରାହ୍ମଣୀଦେଈ ଠାକୁରାଣୀ ଅଛନ୍ତି ସେ ବଡ଼ ପୁରୁଣା ଠାକୁରାଣୀ । ଢେଙ୍କାନାଳିର ଲୋକେ ତାଙ୍କୁ ପୂଜା କରୁଥିଲେ । ଆଜିକାଲି ଯୋଠେଇ ନଅର ଅଛି ଢେଙ୍କାର ଘର ତାହାରି ପାଖରେ ଥିଲା । ଜେଲଖାନା ଆଉ ଯାଉଁଳି ପୋଖରୀ ମଝିରେ ବାଉଁଶଦ୍ୱାର ବୋଲି ଗଡ଼ ଭିତରକୁ ଗୋଟିଏ ଦ୍ୱାର ଥିଲା । ଢେଙ୍କା ଗଡ଼ର ଚାରିପଟେ ମାଟିର ପାଚେରୀ ଥିଲା । ପାଚେରୀ ତଳେ ଜଳି ବି ଥିଲା । ଢେଙ୍କାର ବହୁତ ଶଅର ସୈନ୍ୟ ଥିଲେ । ସେମାନେ କାଣ୍ଡଶର, ଟାଙ୍ଗିଆ, ଫାରଶା, ତେଣ୍ଟା ଆଦି ଧରି ଲଢ଼େଇ କରୁଥିଲେ । ତା’ ଫଉଜଙ୍କୁ ଜିଣିବ କିଏ ?

 

ସେତେବେଳକୁ ଶ୍ରୀଧର ଭଞ୍ଜେ ବିଶାଳିଆ ଗଡ଼ରେ ରାଜୁତି କରୁଥାଆନ୍ତି । ଢେଙ୍କା ଆଉ ଭଞ୍ଜଙ୍କ ରାଜ୍ୟ ଲଗାଲଗି । ମଝିରେ ମଝିରେ କଳିଗୋଳ ହୁଏ । କିନ୍ତୁ ଭଞ୍ଜେ ଢେଙ୍କାକୁ ଡରି କିଛି କରିପାରନ୍ତି ନାହିଁ । ଥରେ କୁଟୁଣିଆ ପାହାଡ଼ ଉପରେ ଛାଉଣି ପକାଇ ଭଞ୍ଜେ ବଡ଼ଯୋଡ଼ା ଡେଇଁ ଢେଙ୍କାଗଡ଼କୁ ଘେରି ପକାଇଲେ । ଢେଙ୍କା ଶଅର ସୈନ୍ୟଙ୍କୁ ଧରି ଲଢ଼େଇ କଲା । ସେ ଲଢ଼େଇରେ ଭଞ୍ଜ ରାଜାଙ୍କ ଫଉଜସବୁ ନିପାତ ହେଲେ । ଭଞ୍ଜେ ଏକାକୀ ବିଶାଳିଆଗଡ଼କୁ ଫେରିଗଲେ । ସେହି ଦିନଠାରୁ ଭାବୁଥାଆନ୍ତି, ଛଳେ ବଳେ କଉଶଳେ କିପରି ଢେଙ୍କାକୁ ମାରିବେ ।

 

ଭଞ୍ଜେ ଚାରିଆଡ଼େ ଚର ଜଗାଇ ଥାଆନ୍ତି । ଥରେ ଭଞ୍ଜେ ନିଜର ସବୁ ସୈନ୍ୟଙ୍କୁ ଏକାଠେଇ କରି ଗୋଟିଏ ଗଉଡ଼ୁଣୀକୁ ଢେଙ୍କାଗଡ଼ ଭିତରକୁ କୌଶଳରେ ପଠାଇଲେ । ତାକୁ କହିଲେ–ଯେବେ ସବୁ ଶଅର ଢେଙ୍କା ପାଖରେ ଥିବେ ଡାକିବୁ ଦହି ଅଛି । ଯେବେ ନ ଥିବେ ତେବେ ଡାକିବୁ ଦହି ନାହିଁ । ତତେ ବହୁତ ପୁରସ୍କାର ଦେବି ।

 

ଏ କଥା ଶୁଣି ଗଉଡ଼ୁଣୀ ଢେଙ୍କା ଗଡ଼ଭିତରେ ପଶି ଗଡ଼ର ଏ ମୁଣ୍ଡରୁ ସେ ମୁଣ୍ଡଯାକେ ସବୁ ଜାଗା ଦେଖି ଦେଖି ଗଲା । ଢେଙ୍କାର ଶଅର ଫଉଜ ସେଦିନ ଗଡ଼ଭିତରେ ନ ଥିଲେ । ଗଉଡ଼ୁଣୀ ଡାକିଲା ଦହି ନାହିଁ ।

 

ଭଞ୍ଜଙ୍କ ଫଉଜ ଢେଙ୍କାର ଗଡ଼ଭିତରେ ପଶିଲେ । ଢେଙ୍କା ଏକୁଟିଆ ଥିଲା । ଭଞ୍ଜଙ୍କର ପାଇକେ ଢେଙ୍କାକୁ ବାନ୍ଧି ଭଞ୍ଜ ରଜାଙ୍କ ଛାମୁକୁ ନେଇଗଲେ । ଭଞ୍ଜେ ମାଲ ଲଢ଼େଇରେ ଢେଙ୍କାକୁ ମାରିବାକୁ ହୁକୁମ ଦେଲେ । ଢେଙ୍କା ଭଞ୍ଜଙ୍କୁ ବହୁତ ଗାଳିଦେଲା । କହିଲା,–ଏ ତୁମର କୋ’ ବୀରପଣିଆ ? ଏକୁଟିଆ ଥିଲାବେଳେ ମୋତେ ଧରିଆଣିଲ । ହଉ-ମୋତେ ମାର । କିନ୍ତୁ ମୋର ଗୋଟିଏ କଥା ନ ରଖିଲେ ତୁମର ଅମଙ୍ଗଳ ହବ । ମୋ ନାଁରେ ରାଜ୍ୟର ନାଁ ଦବ-ଆଉ ଏଇ ପର୍ବତ ଉପରେ ମୋର ମୁଣ୍ଡ ପୂଜା ପାଉଥିବ । ତା’ ପରେ ମାଲ ଲଢ଼େଇରେ ଭଞ୍ଜଙ୍କ ପାଇକେ ଢେଙ୍କାକୁ ମାରି ତା’ ମୁଣ୍ଡ କାଟି ପକାଇଲେ ।

 

ଢେଙ୍କା କଥାରେ ରାଜ୍ୟର ନାଁ ହେଲା ଢେଙ୍କାନାଳ । ଢେଙ୍କା ମୁଣ୍ଡ ଆଜି ସୁଦ୍ଧା ପାଣିଓହଳା ପର୍ବତରେ ରଜାଙ୍କ ନଅର ପାଖରେ ପୂଜା ହୁଏ ଆଉ ଯୋ’ ପାଟ ପଥର ଉପରେ ବସି ଢେଙ୍କା ଆଉ ତା’ର ପୂର୍ବ ପୁରୁଷମାନେ ରାଜଗାଦିରେ ବସୁଥିଲେ ଏବେ ବି ଏ ରାଜ୍ୟର ରଜାମାନେ ଅଭିଷେକବେଳେ ତାହାର ବ୍ୟବହାର କରିଥାନ୍ତି ।

Image

 

ନାରୀକବି ସୁଲକ୍ଷଣା

 

ସୁଲକ୍ଷଣା ଓଡ଼ିଶାର ସର୍ବପ୍ରଥମ ନାରୀକବି । ସେ ତିଗିରିଆରେ କରଣ କୁଳରେ ଜାତ ହୋଇଥିଲେ । ତାଙ୍କ ଭାଇ ଦାଶରଥି ବେବର୍ତ୍ତା ପଟ୍ଟନାୟକ ଆଉ ବାପା ଗୋବିନ୍ଦ ବେବର୍ତ୍ତା । ତାଙ୍କର ‘ପାରିଜାତମାଳା’, ‘ଦୀନବନ୍ଧୁ କୋଇଲି’ ଆଦି ବହି ଛାପା ହୋଇଛି । ସେ ବହି ପଢ଼ିଲେ ତୁମେମାନେ ଜାଣିପାରିବ, ସୁଲକ୍ଷଣା କିପରି ଗୁଣବତୀ ଥିଲେ ।

 

ସୁଲକ୍ଷଣା ଢେଙ୍କାନାଳରେ ବିଭା ହୋଇଥିଲେ । ତାଙ୍କର ଶ୍ୱଶୁରଙ୍କ ନାଁ ବି ଦାଶରଥି ବେବର୍ତ୍ତା । ତାଙ୍କର ଦୁଇ ପୁଅ–ଜଗନ୍ନାଥ ଆଉ ଦାମୋଦର । ତାଙ୍କର ଶ୍ୱଶୁର ଢେଙ୍କାନାଳ ରାଜଦରବାରରେ ବଡ଼ କାମ କରୁଥିଲେ । ତାଙ୍କ ସ୍ୱାମୀ ନିତ୍ୟାନନ୍ଦ ପଟ୍ଟନାୟକ ବଡ଼ ଧାର୍ମିକ ପୁରୁଷ ଥିଲେ । ତାଙ୍କର ସାନପୁଅ ଦାମୋଦର ବାବୁ ବହୁତ ଭଲ ଭଲ ବହି ଲେଖିଯାଇଅଛନ୍ତି । ବହୁତ ପୁରୁଣା ପୁରୁଣା ବହି ବି ଛପାଇଛନ୍ତି । ତାଙ୍କ ସମୟର ଓଡ଼ିଶାର ସବୁ ବଡ଼ ବଡ଼ ଗୁଣବନ୍ତ ଲୋକମାନେ ତାଙ୍କୁ ବହୁତ ଆଦର କରୁଥିଲେ ଆଉ ତାଙ୍କ ସମ୍ବନ୍ଧରେ ବଡ଼ ଭଲ ଲେଖିଛନ୍ତି । ଦାମୋଦରବାବୁ ଓଡ଼ିଶାର ଅନେକ ଗଡ଼ଜାତମାନଙ୍କରେ ଦେବାନ କାମ କରୁଥିଲେ । ତାଙ୍କ କାମରେ ଖୁସି ହୋଇ ଇଂରାଜ ସରକାର ତାଙ୍କୁ ଅନେକ ପ୍ରଶଂସାପତ୍ର ଦେଇଅଛନ୍ତି ।

 

ସୁଲକ୍ଷଣା ବଡ଼ ପବିତ୍ର ଭାବରେ ଜୀବନ କଟାଉଥିଲେ । ନିତି ଦେବତାଙ୍କର ପୂଜା ଆଉ ଧର୍ମଶାସ୍ତ୍ରମାନ ନ ପଢ଼ିଲେ ସେ ପାଣି ଛୁଉଁ ନ ଥିଲେ । ସେ ନିତି ବର ଅଶ୍ୱତ୍ଥ ଗଛର ପୂଜା କରୁଥିଲେ । ବ୍ରାହ୍ମଣମାନଙ୍କୁ ବଡ଼ ଆଦର କରୁଥିଲେ । ପୁଣ୍ୟପର୍ବ ଦିନମାନଙ୍କରେ ଜଣେ ହେଲେ ବ୍ରାହ୍ମଣକୁ ଖାଇବାକୁ ନ ଦେଲେ ସେ ଜଳଗ୍ରହଣ କରୁ ନ ଥିଲେ ।

 

ଭକ୍ତକବି ମଧୁସୂଦନ, କବିବର ରାଧାନାଥ, ବ୍ୟାସକବି ଫକୀରମୋହନ ଆଉ ସାହିତ୍ୟରସିକ କଳାସାହେବ ସୁଦାମବାବୁ ସୁଲକ୍ଷଣାଙ୍କର ରଚନାକୁ ଭାରି ପ୍ରଶଂସା କରିଛନ୍ତି । ଓଡ଼ିଶାର ଖବରକାଗଜମାନଙ୍କରେ ତାଙ୍କ ବହିର ପ୍ରଶଂସା ବରାବର କରାଯାଉଥିଲା ।

 

ସୁଲକ୍ଷଣା କାଳି କଲମରେ ଲେଖୁ ନ ଥିଲେ । ଅଳତା ଗୋଳି ଖଡ଼ିକା ମୁନରେ ଦେଶୀ କାଗଜରେ ଲେଖୁଥିଲେ । ରାତିରେ ମନେ ମନେ ଗୀତ ବାନ୍ଧି କାନ୍ଥମାନଙ୍କରେ ଖଡ଼ିରେ ଲେଖି ରଖୁଥିଲେ–ଦିନବେଳେ ତାହାକୁ ଅଳତା ଆଉ ଖଡ଼ିକା ମୁନରେ ଉତ୍ତାରୁଥିଲେ । ତାଙ୍କର ବର୍ଣ୍ଣନାଗୁଡ଼ିକ ବଡ଼ ସରଳ, ସତେ ଯେପରି ଆଗରେ ଚିତ୍ରଟିଏ ଆଙ୍କି ଦଉଛନ୍ତି । ଭାଷା ବଡ଼ ମଧୁର-। ଓଡ଼ିଶାର ବଣ ଗ୍ରାମର ପ୍ରକୃତି ସେ ଭଲ ଭାବରେ ଆଙ୍କିଛନ୍ତି ।

 

ସୁଲକ୍ଷଣା ସ୍ୱର୍ଗକୁ ଯାଇଥିଲେ ବି ଆଜି ‘ପାରିଜାତମାଳା’ ଭିତରେ ଜୀଇ ବସିଛନ୍ତି ।

Image

 

ମହିମା ଗୋସେଇଁ

 

ତୁମେମାନେ ଏଥିପୂର୍ବରୁ ଯୋରନ୍ଦା ଗାଁ ନାଁ ଶୁଣିଚ । ଯୋରନ୍ଦାରେ ମହିମା ଧର୍ମର ଗାଦୀ ଅଛି । ମାଘ ପୂର୍ଣ୍ଣମୀ ଦିନ ଏଠାରେ ଗୋଟିଏ ବଡ଼ ମେଳା ହୁଏ । ହଜାର ହଜାର ଲୋକ ଦେଶର ଚାରିଆଡ଼ୁ ଆସି ଜମା ହୁଅନ୍ତି । ବହୁତ ଜିନିଷ ବିକାକିଣା ହୁଏ । ମହିମା ଧର୍ମ କିପରି ହେଲା, ମୁଁ ତୁମକୁ ଏଠେଇ କହିବି ।

 

ବାଳକୃଷ୍ଣ ଦାସ ବୋଲି ଜଣେ ବାବାଜୀ ଆଗ ଭୁବନେଶ୍ୱରର ଖଣ୍ଡଗିରି, ଉଦେଗିରି ପାଖରେ ସାଧନା କରୁଥିଲେ । ବୁଲି ବୁଲି ସେ କପିଳାସକୁ ଅଇଲେ । କପିଳାସ ଦେଖି ତାଙ୍କୁ ଭାରି ଖୁସି ଲାଗିଲା । ସେଠେଇ ସେ ବୁଢ଼ା ରଜା ଆଉ ରାଣୀଙ୍କୁ ଭେଟିଲେ । ରଜା ତାଙ୍କ ରହିବାର ସୁବିଧା କରିଦେଲେ । ତାଙ୍କ ପାଇଁ ଗୋଟିଏ ଟୁଙ୍ଗୀ ତିଆରିହେଲା । ଦାସେ ଖାଲି ଓଖର ଖାଇ ବଞ୍ଚିଲେ । ବର୍ଷକୁ ବର୍ଷ ବାରବର୍ଷ କଟିଗଲା । ସେ କୁମ୍ଭୀ ଗଛର ବକଳା ପିନ୍ଧୁଥାଆନ୍ତି ।

 

ଦାସେ କପିଳାସରେ ନିରୋଳାରେ ବସି ଜପ କରନ୍ତି–ଧ୍ୟାନ କରନ୍ତି । ତାଙ୍କର ଜ୍ଞାନ ହେଲା, ସେ ବୁଦ୍ଧଦେବଙ୍କ ପରି ତାଙ୍କ ତଥ୍ୟ କଥା ଲୋକଙ୍କୁ ବୁଝାଇଲେ । ତାଙ୍କ କଥାରେ ବହୁତ ଲୋକଙ୍କର ମନ ମାନିଲା । ସମସ୍ତେ ତାଙ୍କର ଶିଷ୍ୟ ହେଲେ । ବୁଢ଼ା ରଜା ଯୋରନ୍ଦା ଗାଁରେ ତାଙ୍କ ଗାଦୀ କରାଇଦେବାକୁ ହଁ କଲେ । ଶିଷ୍ୟମାନେ ମିଳିମିଶି ଗୋଟିଏ ବଡ଼ ଟୁଙ୍ଗୀ ତିଆରି କଲେ । ସେହି ଟୁଙ୍ଗୀ ପାଖରେ ଏବେ ଗୋଟିଏ ବଡ଼ ଦେଉଳ ଠିଆ ହେଲାଣି । କେତେ ବାସନ, ହଣ୍ଡା, ଗରା, ଢାଳ, ଥାଳି, ଛତି, ତ୍ରାସ, ଚଅଁର ଆଦି ସେଠାରେ ରଖାହେଲାଣି । ଶହ ଶହ ହଜାର ହଜାର ଟଙ୍କା ଦେଉଳକୁ ଆସୁଛି । ମହିମା ଧର୍ମ୍ମ ଏବେ ଚାରିଆଡ଼େ ବ୍ୟାପିଗଲାଣି । ଗୁଜୁରାଟ, ମଧ୍ୟପ୍ରଦେଶ ଆଉ ଦକ୍ଷିଣ ଅଞ୍ଚଳକୁ ବୋଲି ଏ ଧର୍ମ୍ମ ମାଡ଼ିଗଲାଣି ।

 

ଆଗେ ଓଡ଼ିଶାରେ ତୁଳାଭିଣାପନ୍ଥୀ ବୋଲି କେତେ ଲୋକ ଥିଲେ । ଭୀମଭୋଇ ସେ ପନ୍ଥାର କେତେ ଗୀତ ଲେଖିଛନ୍ତି । ଭୀମଭୋଇ ଢେଙ୍କାନାଳର ପଳାଶୁଣି ଅଞ୍ଚଳ କେଉଁଝରର କେତେ ଗାଁ ଆଉ ସୁନପୁର ଆଦି ଅଞ୍ଚଳରେ ପାଠଶାଠ ନ ଜାଣିଥିବା ଲୋକଙ୍କ ଭିତରେ ଏ ଧର୍ମର ସାର ବୁଝାଉଥିଲେ । ପାଳଲହଡ଼ାର ଭୂୟାଁମାନଙ୍କର କେତେ ଭଜନରେ ଭୀମଭୋଇଙ୍କ ସାର ସାର କଥା ଥିବାର ବୁଝାଯାଏ । ବୌଦ୍ଧଧର୍ମର ବଜ୍ରଯାନ ଶାଖାରୁ ଏ ଧର୍ମର ପିଣ୍ଡ ଅଣାଯାଇ ଥିବାର ମନେ ହୁଏ । ପନ୍ଦର ଷୋହଳ ବର୍ଷ ତଳେ ତୁଳାଭିଣା ଆଉ ଜଗନ୍ନାଥ ଦାସ ବହିରେ ଏ ବିଷୟ ଆଲୋଚନା କରି ମୁଁ କଟକରୁ ପୁରସ୍କାର ପାଇଥିଲି । ସେ ବହିରେ ଏ ବିଷୟରେ ବହୁତ କଥା ଲେଖା ହୋଇଅଛି । ବଙ୍ଗଦେଶ ପ୍ରଭୃତିରେ ସହଜିଆପନ୍ଥୀ ବୋଲି ଦଳେ ଲୋକ ଥିଲେ । ସେମାନେ ସେହି ବଜ୍ରଯାନ ଶାଖାର ଲୋକ ।

 

ସେମାନେ ଶୂନ୍ୟକୁ ବଡ଼ ବୋଲି ମାନନ୍ତି । ସେମାନଙ୍କ ମତରେ ଭଗବାନ ଅଲେଖ ଅର୍ଥାତ୍‌ ଯାହାଙ୍କର ଚିହ୍ନ ବର୍ଣ୍ଣ କିଛି ନାହିଁ । ମହିମାଧର୍ମ ମାନୁଥିବା ଲୋକେ ଦୁଇ ଭାଗରେ ବିଭକ୍ତ; ସନ୍ନ୍ୟାସୀ ଆଉ ଫକଡ଼ିଆ ବା ଗୃହୀ । ସନ୍ନ୍ୟାସୀମାନେ ପୁଣି ଦୁଇ ଦଳ; ପର ସନ୍ନ୍ୟାସୀ ଆଉ ଅପର ସନ୍ନ୍ୟାସୀ । ପର ସନ୍ନ୍ୟାସୀମାନେ କୁମ୍ଭୀପଟ ଆଉ ଅପର ସନ୍ନ୍ୟାସୀମାନେ କନାପଟ ପିନ୍ଧନ୍ତି । ସେମାନଙ୍କର ଧୂନିଘର ପାଖେ ଗୁରୁଙ୍କ ସମାଧି ଉପରେ ଦେଉଳ ତୋଳା ହୋଇଛି । ଦେଉଳ ଉପରେ ଗୋଟିଏ ବଡ଼ ନାଗ ରଖା ହୋଇଛି । ଦେଉଳଟି ପଚାଶ ହାତ ଉଚ୍ଚ କରିବାରେ ସମସ୍ତେ ଲାଗିଛନ୍ତି । ସାନମାନେ ବଡ଼ମାନଙ୍କୁ ଶରଣ ମାନ୍ୟ ବା ପ୍ରଣାମ କରନ୍ତି ।

 

ମହିମାଧର୍ମ୍ମର ଲୋକେ ବଡ଼ିସକାଳୁ ଗାଧୁଅନ୍ତି । ସୂର୍ଯ୍ୟ ଉଦୟ ଆଉ ଅସ୍ତ ହେବା ବେଳରେ ଯୁଆଡ଼େ ଥାଆନ୍ତୁ ପଛକେ ତାଙ୍କୁ ମୁଣ୍ଡିଆ ମାରନ୍ତି, ଦଣ୍ଡପ୍ରଣାମ କରନ୍ତି । ବ୍ରାହ୍ମଣ ଆଉ ରଜାଘରେ ସେମାନେ ଖାଆନ୍ତି ନାହିଁ । ସମସ୍ତେ ତାଳପତ୍ର ପଖିଆ ଧରି ଚାଲନ୍ତି; ମୁଣ୍ଡରେ ଜଟା ରଖନ୍ତି । ସେମାନେ ସବୁବେଳେ ଖଞ୍ଜଣି ଧରି ଅଲେଖ ଭଜନ କରନ୍ତି ।

 

ବାଳକୃଷ୍ଣ ଦାସେ ବୈକୁଣ୍ଠକୁ ଗଲେଣି, ମାତ୍ର ତାଙ୍କ ଧର୍ମ୍ମ ଦିନକୁ ଦିନ ବଢ଼ି ଚାଲିଛି । ସେ ଜଣେ ମହାପୁରୁଷ !

Image

 

ରାଜର୍ଷି ସୂରପ୍ରତାପ

 

ବିଷ୍ଣୁ ଭକ୍ତ ସୂରପ୍ରତାପ ପ୍ରକୃତରେ ରାଜକୁଳରେ ଋଷି ଥିଲେ । ସେ ଯେତେବେଳେ ମୋଟେ ଛଅ ମାସର ସେତେବେଳେ ତାଙ୍କ ପିତା ଦୀନବନ୍ଧୁ କୋଡ଼ିଏ ବର୍ଷ ବୟସରେ ସ୍ୱର୍ଗକୁ ଚାଲିଗଲେ । ବଣେଇ ରାଜ୍ୟର ରାଜକୁମାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ରାଜା ଦୀନବନ୍ଧୁଙ୍କର ରାଣୀ; ସେତେବେଳକୁ ତାଙ୍କୁ ପୂର୍ଣ୍ଣ ପନ୍ଦର ବର୍ଷ । ସାତ ଆଠବର୍ଷ ଆଗରୁ ମହାରାଜ ଭଗୀରଥ ସାରା ପୃଥିବୀକୁ କନ୍ଦାଇ ବୈକୁଣ୍ଠପ୍ରବାସୀ ହୋଇଥାଆନ୍ତି । ଏପରି ଅବସ୍ଥାରେ ହୃଦୟରେ ସାହସ ବାନ୍ଧି କିଏ ରହିପାରିବ ? ରାଣୀ ଅନ୍ନପୂର୍ଣ୍ଣା ତାଙ୍କ କର୍ତ୍ତବ୍ୟ ବୁଝିଲେ; ନିଜର ପଣତକାନିରେ ଆଖିରୁ ଲୁହଧାର ପୋଛି ଛ’ମାସର ପୁଅଟିକୁ କୋଳରେ ଧରି ତାଙ୍କ ଜୀବନକୁ ଗଢ଼ିବାକୁ ଲାଗିଲେ । ଏହି ସନ୍ତତ ଯତ୍ନ, ଗାଢ଼ ସ୍ନେହ ଆଉ କଠୋର ଶାସନର ମିଳିତ କ୍ଷୀରସମୁଦ୍ରରୁ ବସନ୍ତପୂର୍ଣ୍ଣିମାର ଚନ୍ଦ୍ରମା ପରି ବାହାରିଲେ ମହାରାଜ ବିଷ୍ଣୁଭକ୍ତ ସୂରପ୍ରତାପ-ରାଜ୍ୟାଶ୍ରମର ପ୍ରକୃତ ମୁନି !

 

ନିତି ନିତି-ମାଘମାସର ପାହାନ୍ତି, ଶ୍ରାବଣର ନିଶାନ୍ତ, ରାତି ଚାରି ବାଜିଲା ବେଳକୁ ମହାରାଜ ସୂରପ୍ରତାପ ସ୍ନାନ ସାରି ଦେବାର୍ଚ୍ଚନକୁ ତିଆର । ପୁରୋହିତ ଆଉ ଚାକର ବାକରମାନେ ମଧ୍ୟ ଶୀତରେ ଥୁରୁଥୁରୁ ହଉଥାଆନ୍ତି । ପ୍ରତିଦିନ ଶ୍ରୀମଦ୍‌ ଭଗବତ, ମହାଭାରତ ନ ପଢ଼ିଲେ ଜଳଗ୍ରହଣ କରିବେ ନାହିଁ । ପାଞ୍ଚ ବର୍ଷର ବ୍ରାହ୍ମଣ ପିଲାଟିଏ ପଇତା ପକାଇଥିଲେ, ମୂର୍ଖ ହଉ, ପାପାତ୍ମା ହଉ, ତାକୁ ନମସ୍କାର କରିବେ । କୌଣସି ଗଛମୂଳରେ ପଥର ଖଣ୍ଡିକ ଉପରେ ସିନ୍ଦୂର ଲଗା ହୋଇଥିଲେ ମୁଣ୍ଡ ଲୁଆଁଇବେ । କି ନିଷ୍ଠା ! ବାଳକ ପରି କି ସରଳ ବିଶ୍ୱାସ ! କି ଅଲୌକିକ ଦେବ ବ୍ରାହ୍ମଣ ଭକ୍ତି ! ଯେ ତାଙ୍କୁ ଜୀବନରେ ଦିନେ ଭେଟିଛି ସେ ଆଜୀବନ ଭୁଲିପାରି ନାହିଁ ।

 

ଏହା ବୋଲି ରାଜ୍ୟ ଚଳାଇବାରେ ସେ କମ ଧୁରନ୍ଧର ନ ଥିଲେ । ତାଙ୍କ ସମୟର ସମସ୍ତ ଇଂରାଜ ସରକାରଙ୍କର ବଡ଼ ବଡ଼ କର୍ମଚାରୀମାନେ ତାଙ୍କ ରାଜ୍ୟ ଶାସନକୁ ଆଦର୍ଶ ବୋଲି ଘୋଷଣା କରିଛନ୍ତି । ବ୍ରିଟିଶ ସରକାରଙ୍କୁ ଗତ ଇଉରୋପୀୟ ମହାଯୁଦ୍ଧରେ ସେ ନିଜ ରାଜ୍ୟର ଆୟ ଅବସ୍ଥା ତୁଳନାରେ ଯେପରି ସହାୟତା କରିଥିଲେ, ସେପରି ବହୁତ କମ ରାଜା କରିଥିବେ । ତାଙ୍କର ପ୍ରଜାନୁରାଗ ଆଉ ଧର୍ମ୍ମନିଷ୍ଠା କିପରି ତାହା ଗୋଟିଏ ଘଟଣାରୁ ପ୍ରକାଶ ପାଇବ ।

 

ସେ ପ୍ରବଳ ବାତକଫ ଜ୍ୱରରେ (Pneumonia) ଶଯ୍ୟାରେ ଛଟପଟ ହେଉଛନ୍ତି । ସମୟ ସମୟରେ ଚେତନା ରହୁ ନ ଥାଏ । ଶଯ୍ୟାରେ ପଡ଼ିରହି ପ୍ରାଇଭେଟ ସେକ୍ରେଟରୀଙ୍କୁ ଡକାଇ ପଚାରୁଛନ୍ତି–‘‘ଦୁର୍ଭିକ୍ଷ ସାହାଯ୍ୟ ସକାଶେ କଟକରୁ ବାଞ୍ଛାନିଧି ସାହୁ ଯେ ଅଠରହଜାର ଟଙ୍କାର ଚାଉଳ ପଠାଇବାର ଥିଲା ତାହା ପହଞ୍ଚିଲାଣି କି ନାହିଁ ? ଟେଲିଗ୍ରାମ କର, ଆଉ ଆସିବା ମାତ୍ରେ ପ୍ରସ୍ତାବ ଅନୁସାରେ ବାଣ୍ଟିଦିଅ । ଗୋଷ୍ଠାଷ୍ଟମୀ ସକାଶେ କାଠର ଯେ ହାତୀ, ଗାଈ ପ୍ରଭୃତି ବନାଇବାର ଥିଲା, ତାହା ଶେଷ ହେଲାଣି କି ନାହିଁ ? ଗୋଷ୍ଠାଷ୍ଟମୀ ପ୍ରାୟ ଆସିଲା । ଶୀଘ୍ର କାର୍ଯ୍ୟ ହେଉ ।’’ ଏଥିରୁ ସମସ୍ତେ ତାଙ୍କ ଜୀବନର ଲକ୍ଷ୍ୟ ବୁଝିବେ ।

 

ଜାତି ଦେଶ ନିର୍ବିଶେଷରେ ବିଦ୍ୱାନ୍‌ ଆଉ ଗୁଣବନ୍ତ ଲୋକମାନଙ୍କୁ ଆଦର କରିବା ଆଉ ଷ୍ଟେଟ କାର୍ଯ୍ୟରେ ଲଗାଇବା ତାଙ୍କର ନୀତି ଥିଲା । ଷଢ଼େଇକଳାର ବଡ଼ଜେମା ରାଣୀ କୃଷ୍ଣପ୍ରିୟା ତାଙ୍କର ଯଥାର୍ଥ ସହଧର୍ମଚାରିଣୀ । ତାଙ୍କ ପରି ନାରୀ ଭାରତୀୟ ରାଜକୁଳରେ ଏ ଯୁଗରେ ବିରଳ ପ୍ରାୟ । ଅଶେଷ ପାଣ୍ଡିତ୍ୟ ସହିତ ଋଷିକୁମାରୀର ଧର୍ମନିଷ୍ଠାର ସଂଯୋଗ ଅତି ଅଳ୍ପ ସ୍ଥାନରେ ଦେଖାଯାଏ । ରାଣୀ କୃଷ୍ଣପ୍ରିୟା ଅଗଣ୍ୟ ଗ୍ରନ୍ଥ ଲେଖି ପ୍ରକାଶ କରିଛନ୍ତି । ବଙ୍ଗ ସାହିତ୍ୟରେ ମଧ୍ୟ ବହି ଲେଖିଛନ୍ତି । ଓଡ଼ିଶାରେ ସଙ୍ଗୀତ ଶିକ୍ଷାର ପ୍ରଚାର ପାଇଁ ପୁଷ୍ପାଞ୍ଜଳି ବହି ଲେଖି ସେ ଆଗେ ବାଟ ଫିଟାଇଛନ୍ତି । ତାଙ୍କର ସଂସ୍କୃତ ସାହିତ୍ୟରେ ପ୍ରବେଶ ପଣ୍ଡିତମଣ୍ଡଳୀରେ ପରିଚିତ । ସମଗ୍ର ଦିନମାନ ଜପ, ଦେବାର୍ଚ୍ଚନ ଆଉ ଶାସ୍ତ୍ରଚର୍ଚ୍ଚାରେ କଟାଇ ଏକାନ୍ତ ନିର୍ଜନରେ ମୁନିବ୍ରତ ଗ୍ରହଣ କରିଅଛନ୍ତି । ଗୈରିକ ପରିଧାନ, ଭୂମିଶୟନ, ହବିଷ୍ୟ ଭୋଜନ ଆଉ ବିଳାସ ବର୍ଜନହିଁ ବ୍ରତର ଅଙ୍ଗ ହୋଇଅଛି । ତାଙ୍କୁ ଯେ ଦେଖିଛି, ରାଜକୁଳରେ ଦ୍ୱିତୀୟ ମିରାଙ୍କର ଆବିର୍ଭାବ ସେ ପ୍ରତ୍ୟକ୍ଷ କରିଛି । ଯଥାର୍ଥରେ ସେ ବିଷ୍ଣୁଭକ୍ତ ସୂରପ୍ରତାପଙ୍କର ଯୋଗ୍ୟ ମହିଷୀ, ଆଉ ପ୍ରାଚୀନ ଭାରତର ଆଦର୍ଶ ରାଜବାଳା ।

 

ଜନନୀ ଶ୍ରୀମତୀ ଅନ୍ନପୂର୍ଣ୍ଣା କପିଳାସରେ ଗଙ୍ଗାନାରାୟଣଙ୍କର ମନ୍ଦିର ତୋଳାଇ ଯେପରି ଗଙ୍ଗାନାରାୟଣଙ୍କର ବିଗ୍ରହ ପ୍ରତିଷ୍ଠା କଲେ, ବିଷ୍ଣୁଭକ୍ତ ସୂରପ୍ରତାପ ଆଉ ସନ୍ନ୍ୟାସିନୀ ରାଣୀ କୃଷ୍ଣପ୍ରିୟା ସେହିପରି କୁଞ୍ଜକାନ୍ତଙ୍କର ପ୍ରଶସ୍ତ ନିର୍ମଳ ଜଳାଶୟ ଖୋଳାଇ ବିଚିତ୍ର ଶିଳ୍ପକଳା ମଣ୍ଡିତ କୁଞ୍ଜ ନିର୍ମାଣ କରି ତହିଁରେ କିଶୋରୀ କୁଞ୍ଜକାନ୍ତ ଆଉ ଅଷ୍ଟସଖୀଙ୍କର ବିଗ୍ରହମାନ ଅନେକ ରତ୍ନାଳଙ୍କାର ଭୂଷିତ କରି ପ୍ରତିଷ୍ଠା କରିଅଛନ୍ତି ।

Image